ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଓ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର ପାଇଁ ପ୍ରସ୍ତୁତି ବୈଠକ

ZILA STARIYA NIJUKTI MELA O BLOCK STARIYA PARAMERSA SIBIRA PAIN PRASTUTI BAITHAK-min


କେନ୍ଦ୍ରାପଡ଼ା, ୭ା୧: ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଓ ବ୍ଲକ୍ ସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ପରାମର୍ଶ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା। ମାନବ ସମ୍ବଳର ବିକାଶ ସହ ଅର୍ଥନୈତିକ ସ୍ୱଚ୍ଛଳତା ପାଇଁ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ ବୋଲି ଏହି ଅବସରରେ କହିଥିଲେ ଜିଲ୍ଲାପାଳ ଶ୍ରୀ ପ୍ରଧାନ। ଚଳିତ ଜାନୁଆରୀ ମାସ ୨୮ ତାରିଖରୁ ବ୍ଲକ୍ ସ୍ତରୀୟ ନିଯୁକ୍ତି ଭିତ୍ତକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ପରାମର୍ଶ ଶିବିର ଆରମ୍ଭ ହୋଇ ଫେବୃୟାରୀ ମାସ ୧୩ ତାରିଖରେ ଏହାର ସମାପ୍ତ କରିବାକୁ ସ୍ଥିର କରାଯାଇଛି । ଅଧିକରୁ ଅଧିକ ଯୁବକ ଯୁବତୀ ଏହି ଶିବିରରେ ଅଂଶଗ୍ରହଣ କରି କିପରି ଜୀବନ ଧାରଣ ମାନରେ ଉନ୍ନତି ଆଣି ପାରିବେ ସେ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସମସ୍ତ ବ୍ଲକ୍‌ର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଫେବୃୟାରୀ ୧୯ ଓ ୨୦ ତାରିଖରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ଅଧିକରୁ ଅଧିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେବେ ବୋଲି କହିଛନ୍ତି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦୟାସିନ୍ଧୁ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ସରକାରୀ ପଲିଟେକ୍ନିକର୍ ଅଧ୍ୟକ୍ଷ ଡକ୍ଟର ଗୁଣନିଧି ପ୍ରଧାନ, ଜିଲ୍ଲା କଲ୍ୟାଣ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରଶିଙ୍ଘ, ଜିଲ୍ଲା ସୂଚନା ଅଧିକାରୀ (ଏନଆଇସି) ଶୁଭେନ୍ଦୁ ଶେଖର ସାହୁ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ପାଢି ଏବଂ ସମସ୍ତ ବ୍ଲକ୍‌ର ମଣ୍ଡଳ ଉନ୍ନୟନ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଓ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିରକୁ ସଫଳ ରୂପେ ଆୟୋଜନ କରିବା ନିମନ୍ତେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ।