କେନ୍ଦ୍ରାପଡା, ୭ା୧: କେନ୍ଦ୍ରାପଡା ଜିଲ୍ଲାରୁ ରେଳବାଇ ଡାକସେବା ଉଛେଦ ନକରିବା ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡାକସେବା କାର୍ଯ୍ୟାଳୟର କର୍ମଚାରୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାର ମହିପାଳ ଠାରେ ୧୯୭୭ମସିହାରୁ ଅଦ୍ୟାବଧି ଏକ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି। ଏହି କାର୍ଯ୍ୟାଳୟ ଅଧିନରେ ଜିଲ୍ଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୈାରାଞ୍ଚଳରେ ଥିବା ୩୧ଟି ଡାକଘରର ଡାକସେବା କାର୍ଯ୍ୟ ଚାଲୁଅଛି। ସମଗ୍ର ଜିଲ୍ଲାର ଡାକଘର ଗୁଡିକରୁ ଯେଉଁ ସବୁ ଚିଠିପତ୍ର ଆସେ ସେଗୁଡିକ ଏହି କାର୍ଯ୍ୟାଳୟ ମାଧ୍ୟମରେ ଦୂର ଦୂରାନ୍ତର ଲୋକଙ୍କ ନିକଟରେ ପହଞ୍ଚି ଥାଏ। କିନ୍ତୁ ଏବେ ଓଡିଶା ସର୍କଲର ମୁଖ୍ୟ ଡାକପାଳ ନିଷ୍ପତ୍ତି ନେଇଛନ୍ତି ଯେ ଏହି କାର୍ଯ୍ୟାଳୟକୁ ଏଠାରୁ ଉଛେଦ କରି କଟକ ସର୍କଲ ସହିତ ଯୋଡି ଦେବା ପାଇଁ । ଏହାଦ୍ୱାରା ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ହଇରାଣ ହରକତ ହେବେ। ଏହାସହ ଜିଲ୍ଲାବାସୀ ମଧ୍ୟ ସମସ୍ୟାରେ ପଡିବେ। କାରଣ ଭୈାଗଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଜିଲ୍ଲା ସହ ପାରାଦୀପ ପୋର୍ଟ, ଧାମରା ପୋର୍ଟ ଯୋଡି ହୋଇଛି। ଏହାସହ ଏହି ଜିଲ୍ଲାର ମହାକାଳପଡା ଠାରେ ଏକ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ ଯୋଜନା ରହିଛି। ସେହିପରି ନିପନ ଷ୍ଟିଲ କାରଖାନା ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଗଲାଣି। ଏହି କାରଖାନା ନିର୍ମାଣ ହୋଇଯିବା ପରେ ଦେଶ ବିଦେଶର ହଜାର ହଜାର କର୍ମଚାରୀ ଏଠାରେ ବାସ କରିବେ। ସେମାନଙ୍କର ଡାକସେବାର ଆବଶ୍ୟକତା ରହିବ। ସେହିଭଳି ଭିତରକନିକା ଜାତୀୟ ଉଦ୍ୟାନ ଏହି ଜିଲ୍ଲାରେ ଅବସ୍ଥିତ। ପ୍ରତିଦିନ ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଆସିଥାନ୍ତି। ଚଳିତମାସ ୮ରୁ ୧୦ତାରିଖ ତିନିଧରି ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ। ଫଳରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଭିତରକନିକା ବୁଲିବାକୁ ଆସିବେ। ତେଣୁ ସେମାନେ ମଧ୍ୟ ଡାକସେବା ଉପରେ ନିର୍ଭର କରିବେ। ଏହିସବୁ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ରେଳ ଡାକସେବା କାର୍ଯ୍ୟାଳୟର ଗୁରୁତ୍ୱ ରହିଛି। ତେଣୁ ଏହି କାର୍ଯ୍ୟାଳୟକୁ ଏଠାରୁ ଉଠାଇ କଟକ ସର୍କଳ କାର୍ଯ୍ୟାଳୟ ସହିତ ନଯୋଡିବା ପାଇଁ କାର୍ଯ୍ୟାଳୟର କର୍ମଚାରୀ ଓ ଜିଲ୍ଲାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।