କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚେତାବନୀ ସମାବେଶ


ଦାବି ପୂରଣ ନହେଲେ ପ୍ରଶାସନକୁ ଅଚଳ କରି ଦିଆଯିବ

କେନ୍ଦ୍ରାପଡ଼ା, ୧୦ା୧: ପାଞ୍ଚଦଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଶୁକ୍ରବାର ରାଜ୍ୟ ବ୍ୟାପି ଚେତାବନୀ ସମାବେଶ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ଆହୁତ ଏହି ବିକ୍ଷୋଭରେ କୁହାଯାଇଛି ଯେ ଡ଼ିସେମ୍ବର ଶେଷ ସପ୍ତାହରେ ୨୧ଟି ଜିଲ୍ଲାରେ ଲଘୁରୂପ ଜନିତ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହୋଇଛି । ଓଡ଼ିଶାର ମୁଖ୍ୟ ଫସଲ ଧାନ ଠିକ୍ ଅମଳ ହେବା ପୂର୍ବରୁ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି। ସରକାର ଚାଷୀ ଏବଂ ଭାଗଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପରିବର୍ତ୍ତେର୍ ଘରୋଇ ବୀମା କମ୍ପାନୀମାନଙ୍କ ଦୟାରେ କ୍ଷତି ଭରଣା ହେବ ବୋଲି ବୟାନ ଦେଇ କଟା ଘା’ରେ ଚୂନ ଦେଇଛନ୍ତି। ଭାଗଚାଷୀମାନଙ୍କୁ କ୍ଷତିପୂରଣ ଦେବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ରୋକଠୋକ୍ ମନା କରିବା ଯୋଗୁଁ ଭାଗଚାଷୀମାନେ ଆହୁରି ହତାଶ ହୋଇପଡ଼ିଛନ୍ତି। ଏହି ଭୟଙ୍କର ହତାଶ ଭିତରୁ ଅଦ୍ୟାବଧି ଆମ ରାଜ୍ୟରେ ୧୪ଜଣ ଓ ଆମ ଜିଲ୍ଲାରେ ୩ଜଣ ଚାଷୀ ଏବଂ ଭାଗଚାଷୀ ଆତ୍ମହତ୍ୟା କିମ୍ବା ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ତମାମ ଆବଶ୍ୟକୀୟ ଧାନମଣ୍ଡି ନଖୋଲିବା ଯୋଗୁଁ ଚାଷୀ ଏବଂ ଭାଗଚାଷୀମାନେ ଅଭାବୀ ଦରରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି। ଡ଼ବଲ ଇଞ୍ଜିନ ସରକାର ଚାଷୀଙ୍କ ଏହି ଦୁର୍ଦ୍ଦଶାକୁ ଲାଘବ କରିବାରେ ସଂପୂର୍ଣ ବିଫଳ ହୋଇଛନ୍ତି। ଧାନ ଫସଲ କ୍ଷତି ପାଇଁ ଏକର ପ୍ରତି ସର୍ବନିମ୍ନ ୨୫,୦୦୦ ଟଙ୍କା, ପନିପରିବା ପାଇଁ ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ଏକର ପ୍ରତି ସର୍ବନିମ୍ନ ୪୦ ହଜାର ଟଙ୍କା କ୍ଷତିପୂରଣ ରାଶି ଦେବାପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ ଦାବି କରିଛନ୍ତି। ସରକାର ପ୍ରଦାନ କରିବାକୁ ଥିବା କ୍ଷତିପୂରଣ ରାଶିରୁ ଭାଗଚାଷୀଙ୍କୁ ୭୫ ପ୍ରତିଶତ ଏବଂ ଜମି ମାଲିକଙ୍କୁ ୨୫ ପ୍ରତିଶତ ଅନୁପାତରେ ବଣ୍ଟନ କରନ୍ତୁ। ପ୍ରତ୍ୟେକ ମୃତକ କୃଷକ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଋଣଛାଡ଼ ଏବଂ ଉକ୍ତ ପରିବାର ବଞ୍ଚିିବା ପାଇଁ ଆତ୍ମନିଯୁକ୍ତି ନିମନ୍ତେ ବିନା ସୁଧରେ ନୂତନ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଦାବି କରାଯାଇଛି। ଏହାସହିତ ଜିଲ୍ଲାବ୍ୟାପୀ ଆବଶ୍ୟକତା ଅନୁସାରେ ବ୍ୟବସ୍ଥିତ ମଣ୍ଡି ତୁରନ୍ତ ଖୋଲି ଅଭାବୀ ବିକ୍ରୀକୁ ନିୟନ୍ତ୍ରିତ କରିବା ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି। ଅଜୟ ସାମଲଙ୍କ ସଭାପତିତ୍ୱର ଅନୁଷ୍ଠିତ ଏହି ବିକ୍ଷୋଭରେ ଆବାହକ ଗୟାଧର ଧଳ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ରମଣୀ ରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ଫକୀର ଖଟୁଆ, ମୁକ୍ତାର ଖାଁ, ସୂର୍ଯ୍ୟକାନ୍ତ ପରିଡା,ନରୋତ୍ତମ ପାର୍ଥସାରଥୀ, ଆଦିକନ୍ଦ ରାଉଳ, ଜଗତଜୀବନ ଦାଶ, ପ୍ରକାଶ ମହାନ୍ତି, ପ୍ରକାଶ ମଲ୍ଲିକ, ମହେନ୍ଦ୍ର ପଟ୍ଟନାୟକ, ବିଧୂଭୁଷଣ ମହାପାତ୍ର, ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ, ସୀତାକାନ୍ତ ନାୟକ, ସୁହାନା ବେଗମ, ସୋମନାଥ ବିଶ୍ୱାଳ, ନିରଞ୍ଜନ ଦାସ, ଅକ୍ରୁର ପଲାଇ, ଗାନ୍ଧିବାଦୀ ଅଭିମନ୍ୟୁ ରାଉତ, ସତ୍ୟାନୁସନ୍ଧାନ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଗତ ଲଗାଣ ବର୍ଷାରେ ଫସଲ ହାନି ଯୋଗୁଁ ମୃତ୍ୟୁବରଣ କରିଥିବା ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗ୍ରାମର ଭାଗଚାଷୀ ଭାବଗ୍ରାହୀ ମଳିକଙ୍କ ପୁଅ ମଣ୍ଟୁ ମଳିକ ଏବଂ ବଦକୋସିଦା ଗ୍ରାମର ଭାଗଚାଷୀ ଦୈତାରି ଜେନାଙ୍କ ପୁଅ ରଘୁନାଥ ଜେନା ତାଙ୍କ ପରିବାରର ଦୁରାବସ୍ଥା ଓ ବାପାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କହିଥିଲେ ଯେ ସମସ୍ତ ଫସଲ ହାନି ଯୋଗୁଁ ମରିଛନ୍ତି। ଏହି ଆନ୍ଦୋଳନରେ ଦାବି ପୂରଣ ନହେଲେ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରେରିତ ଦାବିପତ୍ରକୁ ଡେପୁଟୀ କଲେକ୍ଟର କୁଇନ ଜେନା ବିକ୍ଷୋଭ ସ୍ଥଳକୁ ଆସି ଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading