
କେନ୍ଦ୍ରାପଡା ୨୦/୧- ଚଳିତ ଜାନୁୟାରୀ ୧୬ ତାରିଖରେ ସମାପ୍ତ ହୋଇଥିବା ନବମ ଜାତୀୟ ୱୋସିଆ ଚମ୍ପିୟାନସିପ୍ ୨୦୨୪-୨୫ ରେ କେନ୍ଦ୍ରାପଡ଼ାର ପାରାକ୍ରୀଡ଼ାବିତ୍ ସୁଧୀର ମଲିକ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବାରୁ ଭିନ୍ନକ୍ଷମମାନଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ସମ୍ବର୍ଦ୍ଧନା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଇଛି। ଏଥି ନିମନ୍ତେ ପୁନର୍ବାସ ଥେରାପି କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ(ମୁଖ୍ୟ କାର୍ଯ୍ୟାଳୟ), ସୁଧାଂଶୁ ଶେଖର ବେହୁରା ଓ ପୌରାସଭ୍ୟା ରଶ୍ମିତା ସିଂ ଏହି ସଫଳ ଜାତୀୟ ପାରାକ୍ରୀଡ଼ାବିତ୍ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ସୁଧୀରଙ୍କ କ୍ରୀଡ଼ାଗତ ଦକ୍ଷତା ଦିଗରେ ସହାୟତା ନିମନ୍ତେ ପୁନର୍ବାସ ପକ୍ଷରୁ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ, ପଟ୍ଟାମୁଣ୍ଡାଇ, ପାଳପାଟଣା ଗ୍ରାମର ସୁଧୀର ମଲିକ ହାଇଦ୍ରାବାଦ ସହରରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ଉପରେ ଲିଫ୍ଟ ଖସି ପଡିବାରୁ ମେରୁଦଣ୍ଡ ଆଘାତର ଶିକାର ହୋଇ ପକ୍ଷାଘାତଗ୍ରସ୍ତ ହୋଇ ପଡ଼ିଥିଲେ। ଆର୍ôଥକ ଦୁରାବସ୍ଥା ମଧ୍ୟରେ ଥାଇ ସୁଦ୍ଧା କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରି ପ୍ରଥମେ ଗତ ଡିସେମ୍ବର ୨୦୨୪ ମସିହାରେ ଅନୁଷ୍ଠିତ ରାଜ୍ୟ ପାରାଆଥେଲେଟିକ୍ସ୍ ଚାମ୍ପିୟାନସିପ୍ ର ଦୁଇଟି ଇଭେଣ୍ଟରେ ଭାଗ ନେଇ ଉଭୟ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁନର୍ବାସ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ସହସମ୍ପାଦକ ବଂଶୀଧର ମହାନ୍ତି, କୋଷାଧକ୍ଷ ଶିବଚରଣ ସାମଲ, ସଭ୍ୟ ମହମ୍ମଦ ଜାହିଦ୍ ଖାନ୍, ସଂଜୀବ କୁମାର ଜେନା, ମନୋଜ ବିଶ୍ୱାଳ, ଥେରାପିଷ୍ଟ ରଚିତା ଜେନା ଓ ଗୁଞ୍ଜନସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ସଫଳ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିଥିଲେ।











