ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଭା



କେନ୍ଦ୍ରାପଡା,୧୯ା୧: ବାରୋସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଯୋଜନାରେ ସୁସ୍ଥ ଗାଁ ଓ ସୁସ୍ଥ ସମାଜ ଗଢି ତୋଳିବାର ଉଦ୍ଦେଶ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା । ଲୋକ ସଚେତନ ହେଲେ ସତ୍‌ସଂକଳ୍ପ ନେଇପାରିବେ ଏବଂ ସଠିକ୍ ମାର୍ଗରେ ପରିଚାଳିତ ହୋଇ ନିଜର ସ୍ୱାସ୍ଥ୍ୟ ରକ୍ଷା କରିପାରିବେ ବୋଲି ଆଲୋଚନା ହୋଇଥିଲା । ଦେହ ଖରାପ ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ଗୁରୁତ୍ୱ ଦିଆଯାଇଥିଲା । ଜନ୍ମ ନିୟନ୍ତ୍ରଣ ପାଇଁ ପୁରୁଷ ବନ୍ଧ୍ୟାକରଣ ସହଜରେ ଗ୍ରହଣୀୟ ହୋଇପାରିନଥିବା କଥା ଆଲୋଚନା ହୋଇଥିଲା । ଗର୍ଭ ନିରୋଧକ, ଅନ୍ତରା ଇଞ୍ଜେକସନ୍‌, ଆଇୟୁସିଡି, କପରଟି, ଗର୍ଭ ନିରୋଧକ ବଟିକା ଆଦି ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ କଥା ଆଲୋଚନା ହୋଇଥିଲା । ଋତୁସ୍ରାବ ପରିଚ୍ଛନ୍ନତା ଓ କିଶୋରୀ ସ୍ୱାସ୍ଥ୍ୟ, ମା’ ଓ ଶିଶୁର ସ୍ୱାସ୍ଥ୍ୟରକ୍ଷା ବିଷୟରେ ଆଲୋଚନା ହୋଇଥିଲା । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟକ୍ରମ ବିଷୟରେ ସଂକ୍ଷେପରେ ଅବଗତ କରାଯାଇଥିଲା । ଉପସ୍ଥିତ ସଦସ୍ୟାମାନେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସମର୍ଥନ ଓ ସହଯୋଗ କରିବେ ଏବଂ ଗାଁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆଣିବାକୁ ସଂକଳ୍ପ ନେଇଥିଲେ । ଏହି ସଭାରେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ମଲ୍ଲିକ ମୁଖ୍ୟ ଅତିଥି ଏବଂ ବିମଳ ପ୍ରସାଦ ପରିଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁବାଳା ପରିଡା, କମଳା ପ୍ରଧାନ, ଅନ୍ନପୂର୍ଣ୍ଣା ବେହେରା, ସମ୍ପଦ ପରିଡା, ଦମୟନ୍ତୀ ପରିଡା, ଉର୍ମିଳା ସୂତାର, କାଞ୍ଚନବାଳା ପ୍ରଧାନ, ସରୋଜିନୀ ପରିଡା, ମାନସୀ ପରିଡା, ପୁଷ୍ପଲତା ଜେନା, ଜାନକୀ ମଲ୍ଲିକ, ମମତା ନାୟକ, ସସ୍ମିତା ପ୍ରଧାନ, ମମତା ସାମଲ, ରଶ୍ମିରେଖା ବିଶ୍ୱାଳ, ରଶ୍ମିତା ପ୍ରଧାନ, ରଞ୍ଜୁ ମଲ୍ଲିକ ଏବଂ ଆଶାକର୍ମୀ ସରସ୍ୱତୀ ସ୍ୱାଇଁ ଏକାଠି ବସି ସଭା ଆୟୋଜନ କରିବା, ଭଗବତ୍ ବିଶ୍ୱାସୀ ହେବା ତଥା ପିଲାମାନଙ୍କୁ ଭଲ ପାଠପଢି ବଡ ମଣିଷ ହେବାକୁ ଉତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ । ସଦସ୍ୟାମାନଙ୍କ ସକରାତ୍ମକ ଦୃଷ୍ଟିକୋଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହେବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କୃଷ୍ଣାନନ୍ଦ ମହାପାତ୍ର ଦୃଢ ଆଶା ପ୍ରକାଶ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading