ପଟ୍ଟାମୁଣ୍ଡାଇ ୩୧/୧ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୬୭ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ଗୁଣାତ୍ମକ ଶିକ୍ଷା ଓ ନିଷ୍ଠା ଅଧ୍ୟବସାୟ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ ସ୍ଥଳରେ ପହଁଚାଇ ଥାଏ ବୋଲି ପ୍ରକାଶ କରିଥିଲେ । ପୂର୍ବତଟ ରେଳବାଇର ପ୍ରାକ୍ତନ ବରିଷ୍ଠ ଅଧିକାରୀ କବି ନିରାକାର ଦାସ ମୁଖ୍ୟବକ୍ତା ଭାବେଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଶିକ୍ଷକଙ୍କ ମୌଳିକ କର୍ତବ୍ୟ । ଏହାଦ୍ୱାରା ଶିଶୁର ଲୁକାୟିତ ପ୍ରତିଭାର ଉନ୍ମୋଚନ ହେବା ସହ ବିଦ୍ୟାଳୟର ମଧ୍ୟ ଗୌରବ ବୃଦ୍ଧି ପାଇବ ବୋଲି କହିଥିଲେ। ଯାଜପୁର ସହକାରୀ ଜିଲ୍ଲାପାଳ ଅଶୋକ ବେହେରା ଯୋଗ ଦେଇ କଷ୍ଟ କରି ପାଠ ପଢିଲେ ଜଣେ ଛାତ୍ରୀ କିମ୍ବା ଛାତ୍ର ନିଶ୍ଚିତ ଭବିଷ୍ୟତରେ ବଡ ମଣିଷ ହୋଇ ପାରିବ ବୋଲି ବକ୍ତବ୍ୟ ଦେଇଥିଲେ। ପୂର୍ବତନ ପ୍ରଧାନଶିକ୍ଷକ ପଂଚାନନ ଧଳ କହିଥିଲେ ଖାଦ୍ୟ ବସ୍ତ୍ର ବାସଗୃହ ପରି ଶିକ୍ଷା ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା ହୋଇଥିବାରୁ ସବୁ ମା’ବାପା ଚାହାନ୍ତି ସେମାନଙ୍କ ପିଲା ଆଦରରେ ବଢୁ, ସମସ୍ତ ସୁବିଧା ସୁଯୋଗ ପାଉ। ନିଜେ ଉପାସରେ ରହିଲେ ବି ପିଲା କିନ୍ତୁ ବିଦ୍ୟାଳୟକୁ ଯାଉ, ଭଲ ପାଠପଢୁ । ଯେକୌଣସି ସଭ୍ୟତାର ସଫଳତା, ବିକାଶଶୀଳତା, ସମୃଦ୍ଧତା, ପରିପକ୍ୱତା, ଦୂରଦର୍ଶିତା, ନୈତିକତା ତଥା ପ୍ରାସଙ୍ଗିକତା କେବଳ ସେହି ସଭ୍ୟତାର ଶିକ୍ଷିତ ସମାଜ ଉପରେ ନିର୍ଭରଶୀଳ। ସେଥିପାଇଁ ଶିକ୍ଷା ଓ ଶିକ୍ଷିତ ସମାଜର ପ୍ରାଧାନ୍ୟ ଯୁଗେଯୁଗେ ସର୍ବାଗ୍ରେ ରହିଆସିଛି। ଆଜି କିନ୍ତୁ ବାସ୍ତବତା, ଏଥିରୁ ବହୁଦୂରରେ ଏବଂ ଭୟାନକ। ଆମ ଦେଶରେ ବର୍ତମାନ ଶିକ୍ଷାର ଅବସ୍ଥା ଏତେ ଦୁଃଖଦାୟକ ଯେ ପିଲାମାନଙ୍କୁ ଅର୍ଥପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବାକୁ ବିକଳ୍ପ ଉପାୟ ଖୋଜିବାକୁ ପଡୁଛି। ଶିକ୍ଷାର ଆନୁଷ୍ଠାନିକ ବ୍ୟବସ୍ଥା ପ୍ରାୟ ମୂଲ୍ୟହୀନ ପ୍ରମାଣିତ ହୋଇଛି। ଶିକ୍ଷାର ଗୁଣାତ୍ମକ ମାନ ଲଗାତର ହ୍ରାସ ପାଇଚାଲିଛି ବୋଲି ମତପ୍ରକାଶ କରିଥିଲେ ।ଏହି ସଭାରେ ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ନିରଞ୍ଜନ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନ ଉତ୍ସବର ୧ମ ଅଧିବେଶନରେ ଦୂର ସଂଚାର ଯନ୍ତ୍ରୀ ଜୟ ନାରାୟଣ ଅଖିଳ ନାଥ ମୁଖ୍ୟଅତିଥି, ଚନ୍ଦନନଗର ସରପଂଚ ବନୋଜ ସେଠୀ ଓ ସିଆରସିସି ରଞ୍ଜନ ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ପୂର୍ବତନ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷାର ଉଦ୍ଦେଶ୍ୟ କେବଳ ଜଣେ ବ୍ୟକ୍ତିବିଶେଷକୁ ରୋଜଗାରକ୍ଷମ କରିବାକୁ ନୁହେଁ । ଶିକ୍ଷା ମନୁଷ୍ୟର ମାନସିକତାକୁ ଆବଶ୍ୟକତା ପରିମାଣରେ ବିକଶିତ କରି ଏକ ଆଦର୍ଶ ବ୍ୟକ୍ତିତ୍ୱର ଗଠନ କରାଏ ବୋଲି ମତ ରଖିଥିଲେ । ଖବରଦାତା ଭାସ୍କର ରାଉତରାୟ କହିଥିଲେ ସାଧାରଣତଃ ଆମ ଦେଶରେ ସରକାର ଶିକ୍ଷାକ୍ଷେତ୍ର ପ୍ରତି ଆବଶ୍ୟକ ବ୍ୟୟକୁ ଭବିଷ୍ୟତ ପାଇଁ ବିନିଯୋଗ ନୁହେଁ ବରଂ ବାଧ୍ୟବାଧକତା ରୂପେ ନେଇଥାନ୍ତି। ସେଥିପାଇଁ ଯେକୌଣସି ବିଷମ ପରିସ୍ଥିତି ଉପୁଜିଲେ ପ୍ରଥମେ ଶିକ୍ଷାକ୍ଷେତ୍ରର ବ୍ୟୟଅଟକଳକୁ କାଟଛାଂଟ କରିବା ଏକ ସାଧାରଣ ଘଟଣା। ଶିକ୍ଷା ଭିତିଭୂମିର ବିକାଶ, ଅନୁସନ୍ଧାନ, ବିଶ୍ଳେଷଣ ଓ ପରୀକ୍ଷଣ, ଶିକ୍ଷାପ୍ରଣାଳୀର ଉନ୍ନତୀକରଣ, ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ତଥା ସେମାନଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମ ଦେଶରେ ସର୍ବନିମ ପ୍ରାଥମିକତା ଭାବେ ନିଆଯିବା ଦୁର୍ଭାଗ୍ୟଜନକ ହେଲେ ବି ଏହା ହିଁ ବାସ୍ତବଚିତ୍ର। କେବଳ ଭୋଟ ବ୍ୟାଙ୍କ ପାଇଁ ମାଳମାଳ ବ୍ୟୟବହୁଳ ଯୋଜନା ହେଉଥିବା ବେଳେ ଶିକ୍ଷାକ୍ଷେତ୍ର ପ୍ରତି ସରକାରୀ ଉଦାସୀନତା ଶିକ୍ଷାର ଗୁଣାତ୍ମକ ମାନ ହ୍ରାସର ପ୍ରମୁଖ କାରଣ ବୋଲି କହିଥିଲେ । ଏହି ସଭାରେ ବିଦ୍ୟାପୀଠ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚ୍ଚିନନ୍ଦନ ଦାସ, ଶିକ୍ଷାବିତ ରଘୁନାଥ ମଲ୍ଲିକ, ବିଚିତ୍ର ସିଂହ,ନିରଞ୍ଜନ ଶତପଥୀ, କବି ନଳିନୀପ୍ରଭା ଦାଶ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ।ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ନିରଞ୍ଜନ ଶତପଥୀ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷକ ଚିତ ରଞ୍ଜନ ବାରିକ ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରକାଶ ସେଠୀ ଧନ୍ୟବାଦ ଦେଇଥିଲେ ।
Posted inଆନ୍ତର୍ଜାତୀୟ ଆସନ୍ତୁ ଭାବିବା ରାଜ୍ୟ
ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠ ବାର୍ଷିକ ଉତ୍ସବ
