ଅସାମାଜିକତତ୍ୱଙ୍କ ଚରାଭୂଇଁ ପାଲଟିଛି କେନ୍ଦ୍ରାପଡା ଜିଲ୍ଲା : ସିପିଆଇ(ଏମ୍‌)ର ଦାବି


କେନ୍ଦ୍ରାପଡ଼ା,୧୪ା୨: ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ହେଲେ, ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଯେମିତି ତତ୍ପରତା ଦେଖାଇବା କଥା ସେପରି ଦେଖାଯାଉନାହିଁ । ଫଳରେ ଜିଲ୍ଳାରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ଲୋକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରୁଛି। ଏହାର ପ୍ରତିବାଦରେ ଶୁକ୍ରବାର ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଜିଲ୍ଲାକୁ ରକ୍ଷା କରିବା ପାଇଁ ଓ ସାଧାରଣ ନାଗରିକଙ୍କ ଆସ୍ଥାକୁ ଫେରେଇ ଆଣିବା ପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦୃଢ ଦାବି କରିଛନ୍ତି । ନଚେତ ସାରା ଜିଲ୍ଲାରେ ଆନ୍ଦୋଳନ ପ୍ରନ୍ଥା ଗ୍ରହଣ କରିବାକୁ କମିଟି ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି।
କେନ୍ଦ୍ରାପଡ଼ା ଜିଲା କିଛି ବର୍ଷ ହେଲା ଟିକେ ଶାନ୍ତ ପଡିଥିବା ବେଳେ ଏବେ ପୁଣି ଜିଲ୍ଳାରେ ବଢ଼ି ଚାଲିଛି ଅପରାଧ। ସାମାନ୍ୟ କଳହରୁ ମୁଣ୍ଡ ଗଡୁଛି। ଆଉ କେତେବେଳେ ଖଣ୍ଡା ବୁଲୁଛି। ଜିଲ୍ଲାର ସମସ୍ତ ଅଞ୍ଚଳରେ ନିଜକୁ ଶସକ ଦଳର ଲୋକ କହି ଅନେକ ଅସାମାଜିକ ତତ୍ୱ ଆତଙ୍କ ଚଳାଇଛନ୍ତି। କିଛିଦିନ ତଳେ କେନ୍ଦ୍ରାପଡାର ଗରାପୁର ଅଞ୍ଚଳରେ ଜଣେ ଲୋକକୁ ଅଖାରେ ପୁରାଇ ପିଟି ପିଟି ମାରି ଦିଆଗଲା। ନିକିରାଇ ଥାନା ଅଂଚଳରେ ଜଣକୁ ମାରି ଦିଆଗଲା। ପଟ୍ଟାମୁଣ୍ଡାଇ ବଜାରରେ ଦିନ ଦିପହରରେ ଖଣ୍ଡା ଓ ମାରଣାସ୍ତ୍ର ଧରି ସରକାରୀ ଦଳର କେତେକ ଅସାମାଜିକ ଯୁବକ ସହର ସାରା ଆତଙ୍କ ସୃଷ୍ଟି କଲେ। ବ୍ରାହ୍ମଣୀ ନାଦୀ ବାଲିଖାଦାନକୁ ନେଇ ୩ ଜଣ ଯୁବକଙ୍କୁ ଆକ୍ରମଣ ହୋଇଥିଲା। ଡେରାବିଶ ଅଞ୍ଚଳରେ ଜନୈକ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲା। ଥାନାରେ ଏଫ୍‌.ଆଇ.ଆର. ପଡିଥିଲେ ମଧ୍ୟ ପୋଲିସ୍ ହାତବାନ୍ଧି ବସିଛି। ଜିଲ୍ଲା ସାରା ବାଲି ମାଫିଆଙ୍କ ଆତଙ୍କରାଜରେ ନିରୀହ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ମହାକାଳପଡା ବ୍ଳକର କଂସାର ପଞ୍ଚାୟତରେ ଜଣେ ଯୁବକଙ୍କ ଉପରେ ସରକାରୀ ଦଳ ବୋଲାଉଥିବା ଦଳେ ଅସାମାଜିକ ଯୁବକ ମରଣାନ୍ତକ ଆକ୍ରମଣ କଲେ। ପୋଲିସ ଜାଣିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆସାମୀମାନଙ୍କୁ ଧରିଲା ନାହିଁ। ମାର୍ଶାଘାଇର ପୋଦନା ଗାଁରେ ଦଳୀୟ କାରଣରୁ ଅତ୍ୟାଚାରିତ ଗୋଟିଏ ନିରୀହ ପରିବାର ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ମୁଖ୍ୟ ପଦାଧିକାରୀରୀଙ୍କୁ ପ୍ରତିଦିନ ଭେଟିବା ପରେବି ଫଳଶୂନ୍ୟ। ଏମିତି ଅନେକ ଘଟଣା ଜିଲ୍ଲାରେ ରହିଛି। ସରକାରୀ ଅଧିକାରୀମାନେ ବଦଳି ଭୟରେ ହାତଗୋଡ ଜାକି ବସିଛନ୍ତି। ଯେମିତି ଜଣାପଡୁଛି ଜିଲ୍ଲାର ଆଇନର ଶାସନ ନାହିଁ। ଜିଲ୍ଲା ଅସାମାଜିକମାନଙ୍କ ଚରାଭୂଇଁରେ ପରିଣତ ହେବାକୁ ଲାଗିଛି । ଏପରିସ୍ଥିତିରେ ଯଦି ଜିଲ୍ଲାକୁ ରକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କମିଟି ବାଧ୍ୟ ହେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଏହି ପ୍ରତିନିଧି ଦଳରେ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜଗତଜୀବନ ଦାଶ, କାଳିପ୍ରସାଦ ନାୟକ, ନରୋତ୍ତମ ପାର୍ଥସାରଥୀ, ମାଧବ ଦାସ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Next Post

କେନ୍ଦ୍ରାପଡ଼ା ହେବ ରାଜ୍ୟର ଶିଳ୍ପ କରିଡର: ବୈଜୟନ୍ତ

Sat Feb 15 , 2025
କେନ୍ଦ୍ରାପଡା,୧୪ା୨: କେନ୍ଦ୍ରାପଡା ଜିଲ୍ଲା ରାଜ୍ୟର ଏକ ଶିଳ୍ପ କରିଡର ହେବ ବୋଲି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା ଶୁକ୍ରବାର ଅପରାହ୍ନରେ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ କେନ୍ଦ୍ରାପଡାକୁ ରାଜ୍ୟର ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ […]

KANIKA