ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି



କେନ୍ଦ୍ରାପଡ଼ା, ୨୧ା୩: ସ୍ୱାଧୀନୋତ୍ତର ଓଡିଶା ରାଜନୀତିରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଜଣେ ପରିପୂର୍ଣ୍ଣ ପ୍ରେରଣାଦାୟୀ ସଫଳ ବ୍ୟକ୍ତିତ୍ୱ। ଅନୁଗୁଳ ଗଡ଼ଜାତ ଖମାର ଅଞ୍ଚଳର ଏକ କୃଷକ ପରିବାରରେ ଜନ୍ମ ହୋଇ ଚିକିତ୍ସା ସେବାକୁ ଜୀବନର ବୃତ୍ତି ଭାବେ ଗ୍ରହଣ କରିଥିବା ଡାକ୍ତର ଦେବେନ୍ଦ୍ର ପ୍ରଧାନ। ପରବର୍ତ୍ତୀ ସମୟରେ ବିଜେପିର ବ୍ଲକ୍ ସଭାପତି ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ଉପସଭାପତି ଭଳି ସାଙ୍ଗଠନିକ ଦାୟିତ୍ୱ ସଫଳତାର ସହିତ ନିର୍ବାହ କରିବା ସହ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱର ଗଠିତ କେନ୍ଦ୍ର ସରକାରରେ ଭୁପୃଷ୍ଠ ପରିବହନ ଓ କୃଷି ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସଫଳ ଭାବେ ନିର୍ବାହ କରିଥିଲେ। ତାଙ୍କ ସମୟରେ ଓଡିଶାର ରାଷ୍ଟ୍ରୀୟ ରାଜପଥ ନିର୍ମାଣ ,ବନ୍ଦର ବିକାଶ ଓ କୃଷି ବିକାଶର ବିଭିନ୍ନ ଯୋଜନା ଓଡିଶା ପ୍ରଦେଶ ଓ ଦେଶ ପାଇଁ ସ୍ମରଣୀୟ ହୋଇ ରହିବ। ସେ ଯେତିକି ସରଳ ସେତିକି ସୁଦୃଢ଼ ଓ ସସକ୍ତ, ନୀତି ଓ ବିଚାର ନିଷ୍ଠ ଏବଂ ସଫଳ ଥିଲେ ନିଜ ଜୀବଦସାରେ ବୋଲି ବିଜେପିର ବରିଷ୍ଠ ନେତା ଭୁବନ ମୋହନ ଜେନା କହିଥିଲେ।
ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୁତିର ସମ୍ପାଦକ ପଣ୍ଡିତ ସର୍ବେଶ୍ୱର ମିଶ୍ର ଡାକ୍ତର ପ୍ରଧାନଙ୍କୁ ଜଣେ ପ୍ରେରଣାଦାୟୀ, ସମାଜ ମନସ୍କ ସଫଳ ରାଜନେତା ବୋଲି ଅବିହିତ କରିବା ସହିତ ତାଙ୍କୁ ଜଣେ ଯୋଗ୍ୟ ସମାସେବୀ, ଚିକିତ୍ସକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ସୁଯୋଗ୍ୟ ପୁତ୍ରର ପିତା ଭାବେ ସଫଳ ବ୍ୟକ୍ତି ବୋଲି କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସଂଚାଳନ କରିି ପଣ୍ଡିତ ହୃଷୀକେଶ ରଥ ତାଙ୍କ ଜୀବନର ବହୁ ଅନାଲୋଚିତ ପ୍ରସଙ୍ଗ ଆଲୋଚନା କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶ୍ରୀମଦ୍ ଭାଗବତ ଗୀତାର ପୁରୁଷୋତ୍ତମ ଯୋଗ ଡ. ପ୍ରସନ୍ନ ପରିଡା ପାଠ କରିଥିଲେ। ପରେ ପବିତ୍ର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶତାଧିକ ଲୋକଙ୍କ ସହିତ ଜିଲ୍ଲା ପୂଜ୍ୟପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ଯୋଗଦେଇ କେନ୍ଦ୍ରାପଡ଼ା ସହିତ ତାଙ୍କର ସ୍ମୃତି ରୋମନ୍ଥନ କରିଥିଲେ। ବିଜେପି ନେତା ଦୁର୍ଯ୍ୟୋଧନ ସାହୁ, ଦେବେନ୍ଦ୍ର ପ୍ରଧାନଙ୍କ ସହଯୋଗୀ ହରିଶ ଜେନା, ଅଜୟ ସାମଲ, ସରୋଜ କୁମାର ମହାନ୍ତି,ପବିତ୍ର ପରିଡା, ନୀଳମଣି ସାହାଣୀ, ରୋଜାଲିନ ମହାନ୍ତି, ଧର୍ମରକ୍ଷା ସେନାର ଉମେଶ ଦାସ ଓ ଗୋଲଖ ଚନ୍ଦ୍ର ବେହେରା, ବିବେକାନନ୍ଦ ମହାରଣା, ପଣ୍ଡିତ ଅଭୟ ଶତପଥୀ, ଗୋଲକ ଚନ୍ଦ୍ର ପଢ଼ିହାରୀ, ମୁକ୍ତାର ଖାଁ, ଉମାକାନ୍ତ ଦାସ, ସାମ୍ବାଦିକ ରବି ନାରାୟଣ ପତି ଓ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଡାକ୍ତର ପ୍ରଧାନଙ୍କ ସ୍ମୃତି ଚାରଣ କରିବା ପରେ ଶାନ୍ତି ପାଠ କରାଯାଇ ଶ୍ରଦ୍ଧାଞ୍ଜଳି ସଭା ସାଙ୍ଗ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading