ବାରୁଅ ସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ପଦ୍ମଶ୍ରୀ ବାବା ବଳିଆଙ୍କ ପଦାର୍ପଣ



କେନ୍ଦ୍ରାପଡା,୨୧ା୩: ଆଜି ବାରୁଅ ଗ୍ରାମରେ ଥିବା ଶିଶୁ ଅନନ୍ତ ଆଶ୍ରମରେ ପରିବେଶ, ଗଣତନ୍ତ୍ର ଓ ଧର୍ମ ସମ୍ପର୍କରେ ଅୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆ ଯୋଗ ଦେଇଥିଲେ । ପୂଜ୍ୟ ପୂଜକ ବାବା ବଳିଆ ନିଜ ଅଭିଭାଷଣରେ ସତସଙ୍ଗର ମହତ୍ୱ ସମ୍ବନ୍ଧରେ ଉଲ୍ଲେଖ କରିବା ସହିତ ଯୁବକମାନେ ନିଶାଦ୍ରବ୍ୟ ପରିତ୍ୟାଗ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଅଧୁନା ବୃଦ୍ଧ ପିତାମାତା ସବୁଠୁ ଅଧିକ ଅବହେଳିତ ହେଉଥିବାରୁ ସମସ୍ତଙ୍କୁ ନିଜର ପିତାମାତାଙ୍କ ସେବା କରିବା ନିମନ୍ତେ ଅନୁରୋଧ କରିଥିଲେ । ସନାତନ ଧର୍ମରେ ଜାତି ପ୍ରଥାର କୌଣସି ସ୍ଥାନ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଯେ ସେବା କରେ ସେ ଶୂଦ୍ର । ଆମେ ସମସ୍ତେ ଦେଶର ସେବା କରୁ, ପିତାମାତାଙ୍କ ସେବା କରୁ, ଗୁରୁଙ୍କ ସେବା କରୁ, ଗୋମାତାଙ୍କ ସେବା କରୁ ତେଣୁ ଆମେ ସମସ୍ତେ ଶୂଦ୍ର ଅଟୁ ବୋଲି ନିଜର ମତପୋଷଣ କରିଥିଲେ । ଜୀବ ହତ୍ୟା କରୁଥିବା ସମସ୍ତ ଲୋକ ଚାଣ୍ଡାଳ ଅଟନ୍ତି ବୋଲି ଭାଗବତ ଉକ୍ତିର ସୁନ୍ଦର ବାଖ୍ୟା କରିଥିଲେ । ଦକ୍ଷିଣା ସ୍ୱରୁପ ସମସ୍ତେ ପାଞ୍ଚଟି ଗଛ ଲଗାଇବା ସହ ତାକୁ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ‘ବାରୁଅ’ ନାମର ମହତ୍ତ୍ୱ ପ୍ରତିପାଦନ କରିବାକୁ ଯାଇ ବା – ବାୟୁ , ରୁ – ଋଷି , ଅ – ଅନନ୍ତ ବୋଲି ନିଜର ଅଭିଭାଷଣରେ ସୁନ୍ଦର ବ୍ୟାଖା କରିଥିଲେ । ବାବା ବଳିଆଙ୍କୁ ଗ୍ରାମବାସୀମାନେ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସ୍ୱାଗତ କରି ଆଶ୍ରମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଆଶ୍ରମର ଦେହତ୍ୟାଗ କରିଥିବା ତିନିଜଣ କର୍ମକର୍ତ୍ତା ଗୋବିନ୍ଦ ପରିଡ଼ା, ହରିଶ୍ଚନ୍ଦ୍ର ପରିଡ଼ା, ଗଣେଶ ନାୟକ ଓ ତୁଳସୀ ଦେବୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆରମ୍ଭରେ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ବାବା ବଳିଆଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଭାବଗ୍ରାହୀ କଳା ନିକେତନର ବିମଳ ପରିଡା, ଉପେନ୍ଦ୍ର ପାଢ଼ୀ, ନିରୁପମା ଜେନା, ରଞ୍ଜନ ବରାଳ, ରୂପାଲି ସୂତାର ଏବଂ ସ୍ମୃତିରେଖା ବିଶ୍ୱାଳ ପ୍ରମୁଖ କଳାକାରମାନେ ଶିଶୁ ଅନନ୍ତ ଏବଂ ସିଦ୍ଧ ବଳଦେବଜୀଉଙ୍କ ଉପରେ ଆଧାରିତ ଭଜନ ଓ ନୃତ୍ୟ ପରିବେଷଣ କରିଥିଲେ। ସାଂସଦ ଓ ବିଧାୟକଙ୍କୁ ସେମାନଙ୍କର ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading