ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ


କେନ୍ଦ୍ରାପଡ଼ା, ୨୨ା୮: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କର ଆଜି ସକାଳ ୬.୪୦ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ଏସ୍‌ସିବି ମେଡିକାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପଂଚାନନ, ପୁତ୍ରବଧୂ, ଓ ନାତି ପ୍ରମୁଖ ଉପସ୍ଥିତ ଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କ କିଡ୍‌ନୀ ଓ ଫୁସଫୁସ୍‌ରେ ସଂକ୍ରମଣ ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲ୍‌ରେ ଚଳିତ ମାସ ୧ ତାରିଖରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଏସ୍‌ସିବି ମେଡିକାଲ୍‌ର ନୂତନ ମେଡିସିନ୍ ୱାର୍ଡ଼ର ଆସିୟୁରେ ଚିକିତ୍ସିତ ହେଉଥିଲେ ।

କଟକରୁ ତାଙ୍କ ମର ଶରୀର ତାଙ୍କ ପୈତୃକ ବାସଭବନ ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁର ପଂଚାୟତର ହାଟବାଣପୁର ଗ୍ରାମକୁ ଅଣାଯାଇଥିଲା । ସେଠାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ଼ ଅଫ ଅନର୍ ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ୍ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ପଂଚାନନ ମୁଖାଗ୍ନି ଦେଇଥିଲେ ।

ତାଙ୍କ ମୃତ୍ୟୁରେ ସାରା କେନ୍ଦ୍ରାପଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରୁ ଶୋକବାର୍ତାମାନ ପହଂଚିବାରେ ଲାଗିଛି । କେନ୍ଦ୍ରାପଡ଼ାର ଗର୍ବ ଓ ଗୌରବ ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ୍ ହୋଇ ବ୍ରିଟିଶ୍‌ରାଜ୍ ବିରୁଦ୍ଧରେ ସଂଗ୍ରାମ କରି କାରାବରଣ କରିଥିଲେ । ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ଶ୍ରୀ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ଗତ ୯.୮.୨୦୨୩ରିଖରେ ଚଳିତ ବର୍ଷ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ରାଷ୍ଟ୍ରପତି ଭବନରୁ ଆସିଥିବା ଅଙ୍ଗବସ୍ତ୍ର, ସାଲ୍ ଏବଂ ପୁଷ୍ପଗୁଚ୍ଛ ଦେଇ ଏହି ସଂଗ୍ରାମୀ ବୀରଙ୍କୁ କ୍ରାନ୍ତି ଦିବସର ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ୍‌ଙ୍କ ନେତୃତ୍ୱରେ ତାଙ୍କୁ ଗାର୍ଡ଼ ଅଫ ଅନର୍ ପ୍ରଦାନ କରାଯାଇଥିବା ବେଳେ ସେଠାରେ ଡେରାବିଶ ବିଡିଓ ଦାଶରଥି ଜେନା, ଡେରାବିଶ ତହସିଲ୍‌ଦାର୍ ଅକ୍ଷୟ କୁମାର ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂ, ସ୍ଥାନୀୟ ପ୍ରଶାସନ, ସମତି ସଭ୍ୟ, ସରପଂଚ, ୱାର୍ଡ଼ ମେମ୍ବର, ଗ୍ରାମବାସୀ, ଆତ୍ମୀୟସ୍ୱଜନ ଓ ବହୁ ରାଜନେତା ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପରମାତ୍ମା ପରମେଶ୍ୱରଙ୍କ ନିକଟରେ ଆନ୍ତରିକ ପ୍ରାର୍ଥନା କରାଯାଉଛି ।

 


Next Post

ପୂଜ୍ୟପୂଜାର ସ୍ମୃତି ସଂରକ୍ଷଣ ପାଇଁ ଉଦ୍ୟମ

Wed Aug 23 , 2023
କେନ୍ଦ୍ରାପଡ଼ା,୨୨ା୮ : ଜିଲ୍ଲା ପ୍ରତିଭା ପୂଜା ସଂସଦ, କେନ୍ଦ୍ରାପଡା ପକ୍ଷରୁ ପୂଜ୍ୟପୂଜାର ସ୍ମୃତିକୁ ସଂରକ୍ଷଣ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍ମୃତି ଫଳକର ରକ୍ଷଣାବେକ୍ଷଣ କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରିବା ପରେ ସଂସଦ ପକ୍ଷରୁ ପ୍ରଥମ ଦଫାରେ ପତ୍ରପୁର ପୋଲର ଉଭୟ ପାଶ୍ୱର୍ରେ ଲାଗିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ଶରତ କୁମାର […]

You May Like