ପୁସ୍ତକମେଳାରେ “ବେଷ୍ଟ ଅଫ୍ କେନ୍ଦ୍ରାପଡ଼ା” ଚିତ୍ର ପ୍ରଦର୍ଶନ : ରାଜ୍ୟସ୍ତରୀୟ ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା ୫/୧: ୬ ଜାନୁୟାରୀରୁ ୧୩ ଜାନୁୟାରୀ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ଆୟୋଜିତ ହେଉଥିବା ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାରେ ଚଳିତ ବର୍ଷ ସାମିଲ ହେବ ନିଆରା ଚିତ୍ର ପ୍ରଦର୍ଶନୀ । “ବେଷ୍ଟ ଅଫ୍ କେନ୍ଦ୍ରାପଡ଼ା” ଶୀର୍ଷକରେ ଏହି ପ୍ରଦର୍ଶନୀ କେନ୍ଦ୍ରାପଡ଼ା ଜିଲ୍ଲାର ଐତିହାସିକ କୀର୍ତ୍ତି, ମନ୍ଦିର ପର୍ଯ୍ୟଟନ ଓ ବିଶେଷ କରି ପ୍ରସିଦ୍ଧ ଭିତରକନିକାର ଜୈବବିବିଧତା ବିଭବକୁ ପ୍ରଦର୍ଶିତ କରିବ ବୋଲି ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ଓ ମୁଖ୍ୟ ସଂଯୋଜକ ବଂଶୀଧର ମହାନ୍ତି ପ୍ରକାଶ କରିଛନ୍ତି। ଯୁବ ଚିତ୍ରଶିଳ୍ପୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଜିଲ୍ଲାର ଅନ୍ୟ ପ୍ରତିଭାବାନ୍ ତରୁଣ ଚିତ୍ରଶିଳ୍ପୀ ଏହି ଚିତ୍ର ପ୍ରଦର୍ଶନୀରେ ସେମାନଙ୍କ କଳାକୃତି ପ୍ରଦର୍ଶନ କରିବେ। ଏଥି ନିମନ୍ତେ ଆୟୋଜିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ରାଜ୍ୟର ପାଖାପାଖି ଖ୍ୟାତନାମା ୩୦ ଗୋଟି ପୁସ୍ତକ ପ୍ରକାଶନ ସଂସ୍ଥା ଚଳିତ ବର୍ଷ ମେଳାରେ ଅଂଶଗ୍ରହଣ କରୁଛନ୍ତି ବୋଲି ସଭାପତି ଅକ୍ଷୟ ପାଣି ସୂଚନା ପ୍ରଦାନ କରିଛନ୍ତି । ଯୁବ ପିଢ଼ି ଓ କିଶୋର ବର୍ଗଙ୍କୁ ପୁସ୍ତକ ପଠନ ପ୍ରତି ଆକୃଷ୍ଟ କରାଇବା ଓ ସେମାନଙ୍କ ସୃଜନାତ୍ମକ ଦକ୍ଷତାର ବିକାଶ ନିମନ୍ତେ “ଯୁବ ଓ କିଶୋର ସ୍ପନ୍ଦନ”ନାମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତ୍ରୀ-ଦିବସ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଅମରିନ୍ ସାହାଦତ୍ ଓ ରଞ୍ଜନ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି। ଡିଜିଟାଲ୍ ମାଧ୍ୟମର ପ୍ରଭାବରେ କ୍ରମଶଃ ବହିଠାରୁ ଦୁରେଇ ଯାଉଥିବା ବ୍ୟସ୍ତବିବ୍ରତ ସାମ୍ପ୍ରତିକ ମଣିଷଙ୍କୁ ବହିମନସ୍କ କରାଇବା ସହିତ କିଶୋର ଓ ଯୁବପିଢ଼ିଙ୍କ ସୃଜନ ସାଂସ୍କୃତିକ ଅଭିବୃଦ୍ଧି ଆମର ଲକ୍ଷ୍ୟ ବୋଲି ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ(କେମ୍‌)ର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଜଣାଇଛନ୍ତି। ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଅନ୍ତ ର୍ନିହିତ କଳା, ସଂସ୍କୃତି ଓ ବୌଦ୍ଧିକତାର ଅନ୍ୱେଷଣ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପ୍ରତିଦିନ ସନ୍ଧ୍ୟାରେ ବହୁ ବିଶିଷ୍ଟ ଲେଖକ, ସାହିତିକମାନଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ, ହାସ୍ୟ କବି ଡଃ କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଡଃ ରମାକାନ୍ତ ମହାପାତ୍ର, ଶ୍ରୀମାନ ଦୁର୍ବଳିଆଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ, ସାଂସ୍କୃତିକ ବିଚିତ୍ରା, ସାହିତ୍ୟ ଆସର, ସଂଗୀତ ସମାରୋହ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ବରିଷ୍ଠ ସଭ୍ୟା କବି ନବଜ୍ୟୋତି ରାୟ, ଉପ ସଭାପତି ସରୋଜକାନ୍ତ ସାହୁ, ସହସମ୍ପାଦକ ପ୍ରତାପ ସ୍ୱାଇଁ, ସୌମ୍ୟରଂଜନ ପଟ୍ଟନାୟକ, ହିମାଂଶୁ ଦାଶ, ମହମ୍ମଦ ମୁସ୍ତାକ୍‌, ପ୍ରଫୁଲ୍ଲ କୁମାର ଜେନା, ଲକ୍ଷ୍ମୀକାନ୍ତ ନାୟକ, ଧର୍ମଦର୍ଶୀ କର, ସାଗର କୁମାର ଜେନା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହିଥିଲେ।


Discover more from

Subscribe now to keep reading and get access to the full archive.

Continue reading