ପୁସ୍ତକମେଳାରେ ଦିବ୍ୟାଙ୍ଗ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣ



କେନ୍ଦ୍ରାପଡା ୧୪/୧- ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ଉଦଯାପନୀ ଦିବସରେ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ କଣ୍ଠଶିଳ୍ପୀଙ୍କ ଏକ ନିଆରା ସଙ୍ଗୀତ ଆସର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଂଶ ଗ୍ରହଣ କରିଥିବା ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ରଞ୍ଜିତ ରଞ୍ଜନ ନାୟକ ଓ ଆଶା ବାହାଦୂର ଏବଂ ବାଦ୍ୟଯନ୍ତ୍ର ଶିଳ୍ପୀ ସୌମ୍ୟ ରଞ୍ଜନ ସାହୁ, ଭୀଷ୍ମ କୁମାର ଓ ରାଜ୍ ସାହୁ ପ୍ରମୁଖ ସମସ୍ତ ଦିବ୍ୟାଙ୍ଗ କଳାକାର ଦୃଷ୍ଟିବାଧିତ ଥାଇ ସୁଦ୍ଧା ସଙ୍ଗୀତ ପରିବେଷଣର ଅପୂର୍ବ କଳାରେ ଉପସ୍ଥିତ ଶ୍ରୋତାମାନଙ୍କ ହୃଦୟ ଜୟ କରିଥିଲେ। ପୁସ୍ତକମେଳା ପରି ଏକ ସାମାଜିକ ମୁଖ୍ୟସ୍ରୋତର ବୌଦ୍ଧିକ ଉତ୍ସବରେ ଭିନ୍ନକ୍ଷମ ଶିଳ୍ପୀମାନଙ୍କୁ ସଙ୍ଗୀତ ପରିବେଶଣର ସୁଯୋଗ ପ୍ରଦାନ ସହ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତା ପ୍ରଦର୍ଶନ କରାଇବା ଏହି ସଙ୍ଗୀତ ସନ୍ଧ୍ୟାର ଆଭିମୁଖ୍ୟ ବୋଲି ପୁନର୍ବାସ ମୁଖ୍ୟ ଉପଦେଷ୍ଟା ଡ଼ଃ ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଅନୁଷ୍ଠାନର ସଭ୍ୟ ସ୍ୱପ୍ନାଶୁ କୁମାର ଦାସଙ୍କ ସଂଯୋଜନାରେ ଏହି ସଙ୍ଗୀତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା, ବିଶିଷ୍ଟ କବୟତ୍ରୀ ନବଜ୍ୟୋତି ରାୟ, ଉପଦେଷ୍ଟା ପ୍ରଭାସ ଚନ୍ଦ୍ର ଦାସ ଓ ସହ ସହସମ୍ପାଦକ ବଂଶୀଧର ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ଦିବ୍ୟାଙ୍ଗ ଶିଳ୍ପୀମାନଙ୍କ ପ୍ରତିଭାକୁ ଉଛ୍ୱସିତ ପ୍ରଂଶସା କରିଥିଲେ। ପୁନର୍ବାସ ପକ୍ଷରୁ ସଂଜୀବ ଜେନା, କେଦାର ନାଥ ବାରିକ ଓ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।