୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ନିମ୍ନମାନର ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ରାଜପଥ କତ୍ତୃପକ୍ଷ



କେନ୍ଦ୍ରାପଡ଼ା,୧୧ା୪:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କୁ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ନିର୍ମାଣାଧିନ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ନିକଟରେ ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି। ଫଳରେ ସେହି ନିର୍ମାଣାଧିନ ରାସ୍ତାର ବିଭିନ୍ନ ଅଂଶ ଫାଟି ଯାଉଥିବା ବେଳେ କେଉଁଠି ନିର୍ମାଣଧିନ ରାସ୍ତାର ଅଂଶ ଭୁଷୁଡି ପଡୁଛି। ଯାହାଦ୍ୱାରାକି ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଦ୍ୱାରା ଭବିଷ୍ୟତରେ ଏହି ରାସ୍ତାଦେଇ ଯିବା ସମୟରେ ଜନସାଧାରଣଙ୍କ ଧନଜୀବନ କ୍ଷୟକ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ପଦାର୍ଥ ବ୍ୟବହାର କରାଯିବା ସହିତ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଥିବା ମଧ୍ୟ ଅଭିଯୋଗ ହୋଇଛି।ଯେଉଁ ନିୟମ ଅନୁସରଣ କରି ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ କରିବା କଥା ସେଥିରେ ସାଙ୍ଘାତିକ ଉଲ୍ଲଙ୍ଘନ କରାଯାଇଛି। କେବଳ ଠିକାସଂସ୍ଥା ଯେ ନିର୍ମାଣ କାର୍ଯ୍ୟରେ ଅବହେଳା କରିଛି ତାନୁହେଁ ନିର୍ମାଣ ଦାୟିତ୍ୱ ତଦାରଖ କରୁଥିବା ସରକାରୀ ସଂସ୍ଥାର ଅଧିକାରୀମାନେ ମଧ୍ୟ ନିଜର କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରୁନାହାନ୍ତି। ଯାହାର ଫଳ ସୂରୂପ ଜନତାଙ୍କ ଟିକସ ଅର୍ଥ ଅପବ୍ୟୟ ହେଉଛି। ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକତା ଅନୁଯାୟି ମଞ୍ଜୁର ହୋଇଥିବା ସରକାରୀ ପାଣ୍ଠିରେ ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ସଂପୃକ୍ତ ଠିକାସଂସ୍ଥାର ଏଭଳି ବେପରୁଆ ତଥା ଦାୟୀତ୍ୱହୀନ ଭାବେ ରାସ୍ତା ନିର୍ମାଣ କରାଯିବା ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଏଥିନିମନ୍ତେ ଦାୟି ଅଧିକାରୀ ଓ ଠିକାସଂସ୍ଥା ବିରୋଧରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବାକୁ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। ସେହି ଅଭିଯୋଗ ଅନୁଯାୟି ଜାତୀୟ ରାଜପଥ କତ୍ତୃପକ୍ଷ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଡେପୁଟୀ ଜେନେରାଲ ମ୍ୟାନେଜର(ଟେକନିକାଲ) ଅମିତ କୁମାର ଗୁପ୍ତା ଚଣ୍ଡିଖୋଲସ୍ଥିତ ଜାତୀୟ ରାଜପଥ କତ୍ତୃପକ୍ଷ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟର ପ୍ରକଳ୍ପ ନର୍ଦ୍ଦେଶକଙ୍କୁ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।


Leave a Reply

Your email address will not be published. Required fields are marked *