କେନ୍ଦ୍ରାପଡାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ପ୍ରକାଶନ



କେନ୍ଦ୍ରାପଡ଼ା,୫ା୭:କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନର୍ଗତ ଭୋଟର ତାଲିକା ଚିଠା ପ୍ରକାଶନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ରଘୁରାମ ଆର. ଆୟର ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୫ ଗୋଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅନର୍ଗତ ଫର୍ମ ବଣ୍ଟନ, ସଂଗ୍ରହ ଓ ଡିଜିଟାଇଜେସନ କାର୍ଯକ୍ରମ(ଏସ୍‌ଆଇଆର) ଗତ ମଇମାସ ୩୦ ତାରିଖରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ୯୬- ପାଟକୁରା, ୯୭- କେନ୍ଦ୍ରାପଡ଼ା, ୯୮-ଆଳି, ୯୯- ରାଜନଗର ଓ ୧୦୦- ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଆଜି ଅର୍ଥାତ ୫ ଜୁଲାଇରେ ଖସଡ଼ା ଭୋଟର ତାଲିକା ଇଆରଓ କାର୍ଯ୍ୟାଳୟ,ବୁଥ ଲେବୁଲ ଅଧିକାରୀ, ମତଦାନ କେନ୍ଦ୍ର ଏବଂ ସର୍ବୋପରି ଇସିଆଇ ଅନଲାଇନ ପୋର୍ଟାଲରେ ଆଜି ଠାରୁ ଉପଲବ୍ଧ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସମସ୍ତ ଯୋଗ୍ୟ ମତଦାତାମାନଙ୍କୁ ଖସଡା ଭୋଟର ତାଲିକାରେ ନିଜ ନାମ ଓ ବିବରଣୀ ଯାଞ୍ଚ କରିବାକୁ ସେ ଅନୁରୋଧ କରିଥିଲେ । କୌଣସି ତ୍ରୁଟି କିମ୍ବା ନାମ ଛାଡି ଯାଇଥିଲେ ନିର୍ଦ୍ଧାରିତ ସମୟ ଅର୍ଥାତ ଆଜିଠାରୁ ୨୦୨୬ ଅଗଷ୍ଟ ୪ ତାରିଖ ମଧ୍ୟରେ ଦାବି ଓ ଆପତି ଦାଖଲ କରି ସଠିକ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପୃଥିବୀରେ ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଭାବେ ଭାରତର ସୁନାମ ରହିଛି। ସଶକ୍ତ ଓ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଟ ପାଇଁ ସଠିକ ଓ ତ୍ରୁଟିମୁକ୍ତ ଭୋଟର ତାଲିକାର ଆବଶ୍ୟକତା ରହିଛି। ଏଥିପାଇଁ ଗଣମାଧ୍ୟମର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ବୁଥ ଲେବୁଲ ଅଧିକାରୀ, ଇଆରଓ/ଏଇଆରଓ କାର୍ଯ୍ୟାଳୟ କିମ୍ବା ସିଟିଜେନ ସର୍ଭିସ ପୋଟାଲ ମାଧ୍ୟମରେ ଯୋଗ୍ୟ ମତଦାତା ମାନେ ନୂତନ ନାମ ସାମିଲ, ବିଲୋପ, ସଂଶୋଧନ, ସ୍ଥାନାନ୍ତରିକରଣ ଇତ୍ୟାଦି କାର୍ଯ୍ୟ ଫର୍ମ-୬, ୭ ଓ ୮ ମାଧ୍ୟମରେ କରିପାରିବେ ଏବଂ ଏହି କାର୍ଯ୍ୟ ନିମନ୍ତେ ହେଲଫ ଲାଇନ ୧୯୫୦ ର ସହାୟତା ମଧ୍ୟ ନେଇପାରିବେ। ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଉକ୍ତ ଫର୍ମ ଗୁଡିକ ମିଳିପାରିବ। ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାରେ ପୂର୍ବରୁ ୧୪୪୯ଟି ମତଦାନ କେନ୍ଦ୍ର ଥିବା ବେଳେ ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ୧୯୮ବୁଥ ସଂଖ୍ୟା ବୃଦ୍ଧି ପାଇ ୧୬୪୭ ଟି ମତଦାନ କେନ୍ଦ୍ର ସ୍ଥିର ହୋଇଛି। ଆଗରୁ ଯୋଗ୍ୟ ମତଦାତା ସଂଖ୍ୟା ୧୨,୫୧,୧୩୫ ଥିବା ବେଳେ ପରିଗଣନା ଫର୍ମ ସଂଗ୍ରହ ପରେ ଡିଜିଟାଇଜେସନ ହୋଇଥିବା ମତଦାତାଙ୍କ ସଂଖ୍ୟା ୧୧,୯୦,୮୯୫ କୁ କମିଯାଇଛି। ୬୦,୨୪୦ ଜଣ ମତଦାତାଙ୍କ ନାମ ଡିଜିଟାଇଜେସନ ହୋଇପାରିଲା ନାହିଁ। ଅନୁପସ୍ଥିତ, ସ୍ଥାୟୀ ସ୍ଥାନାନ୍ତରିକରଣ, ଏକାଧିକ ସ୍ଥାନରେ ନାମ ଥିବା ମତଦାତା ଓ ମୃତ୍ୟୁ ଜନିତ କାରଣ ଯୋଗୁ ଏମାନଙ୍କ ନାମ ଡିଜିଟାଇଜେସନ ହୋଇପାରି ନାହିଁ। ଗତ ୨୦୦୨ ମସିହାରେ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସହିତ ଚଳିତ ବର୍ଷର ସତନ୍ତ୍ର ସଘନ ସଂଶୋଧନରେ ୪୫,୮୩୨ ଜଣଙ୍କ ନାମ ସଂଯୋଗି କରଣ ହୋଇପାରି ନାହିଁ ଓ ସମଗ୍ର ଜିଲ୍ଲାର ଭୋଟର ତାଲିକାରେ ୧,୫୨,୫୩୪ ଜଣ ମତଦାତାଙ୍କ ନାମ ତ୍ରୁଟି ସଂଶୋଧନ କରାଯିବ ଓ ବୁଥ ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଏହାର ସଂଶୋଧନ କରିବେ ଓ ଜିଲ୍ଲାରେ ୯୫.୧୯ % ଭୋଟର ତାଲିକା ଡିଜିଟାଇଜେସନ ହୋଇପାରିଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଥିଲେ। ଏହା ପୂର୍ବରୁ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକରେ ଚିଠା ଭୋଟର ତାଲିକା ପ୍ରକାଶନ ସମ୍ପର୍କରେ ଅବଗତ କରିବା ସହ ଚିଠା ଭୋଟର ତାଲିକା ସମସ୍ତଙ୍କୁ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ଭୋଟର ତାଲିକା ସଂଶୋଧନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଉପ-ଜିଲ୍ଲାପାଳ ସନ୍ଧ୍ୟାରାଣୀ ମାଝୀ, ଡେପୁଟି କଲେକ୍ଟର(ନିର୍ବାଚନ) ଅମିୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ମଧ୍ୟରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରଫୁଲ୍ଲ କୁମାର ଦାସ, ବିଜେପିର ଉପିନ୍ କୁମାର ରାଉତ, ବିଏସପିର ସୁଧାକର ମଲ୍ଲିକ, ସିପିଆଇ(ଏମ)ର ଗାୟଧର ଧଳ, ଆପ୍‌ର ସୂର‌୍ୟକାନ୍ତ ପରିଡା ଓ ବିଜେଡ଼ିର ଶିବ ପ୍ରସାଦ ଭଳ ପ୍ରମୁଖ ଉପସ୍ଥିତ ଥିଲେ।


Be the first to comment

Leave a Reply

Your email address will not be published.