
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ

ପଟ୍ଟାମୁଣ୍ଡାଇ୭/୫–୧୯୭୦ ମସିହାରେ ସ୍ଥାପିତ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଦୀର୍ଘ ୫୬ ବର୍ଷର ଗୌରବମୟ ଯାତ୍ରା ଅତିକ୍ରମ କରି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ଏହି ଅନୁଷ୍ଠାନ କେବଳ ଉଚ୍ଚଶିକ୍ଷାର ପ୍ରସାର ନୁହେଁ, ବରଂ ସମାଜ ପାଇଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ପ୍ରଶାସକ, ଶିକ୍ଷାବିତ୍, ବୈଜ୍ଞାନିକ, ସମାଜସେବୀ ଓ ବିଭିନ୍ନ କ୍ଷେତ୍ରରେ ସଫଳ ଛାତ୍ରୀଛାତ୍ରଙ୍କୁ ସୃଷ୍ଟି କରିଛି ବୋଲି ରବିବାର ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି ।
ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ମନୋଜ ପରିଡାଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଓଡ଼ିଶାର ଜଣାଶୁଣା ଆଂଚଳିକ ପାଣିପାଗ ବିଭାଗର ପୂର୍ବତନ ନିର୍ଦେଶକ ଡ଼ ଶରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଦୀର୍ଘ ଦିନର ପାଣିପାଗ ପୂର୍ବାନୁମାନ ସଂକ୍ରାନ୍ତୀୟ ଅନୁଭୂତିକୁ ଛାତ୍ରୀଛାତ୍ରମାନଙ୍କ ଆଗରେ ସହଜ ଓ ସରଳ ଭାବେ ଉପସ୍ଥାପନ କରିଥିଲେ। ସମ୍ପ୍ରତି ସମଗ୍ର ବିଶ୍ୱ ପାଇଁ ସବୁଠାରୁ ବଡ଼ ଆହ୍ୱାନ ସାଜିଥିବା ଜଳବାୟୁ ପରିବର୍ତନ ଏବଂ ଏହାର ଭୟାବହତା ସମ୍ପର୍କରେ ସେ ଆଲୋକପାତ କରି କହିଥିଲେ ଯେ କିପରି ସାମୁଦ୍ରିକ ବାତ୍ୟା ଓ ଅନିୟମିତ ଲଘୁଚାପବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଦେଖାଦେଉଛି। କେତେବେଳେ ମରୁଡ଼ି ତ କେତେବେଳେ ଅଦିନିଆ ବନ୍ୟା ସାଧାରଣ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପରିବେଶର ସୁରକ୍ଷା ଏବଂ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ । ଯୁବପିଢ଼ି ଯଦି ଏବେଠାରୁ ପ୍ରକୃତିର ସୁରକ୍ଷା ପାଇଁ ଆଗେଇ ନଆସନ୍ତି, ତେବେ ଭବିଷ୍ୟତ ଅତି ଭୟଙ୍କର ହେବ ବୋଲି ସେ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଇଥିଲେ। ମୂଖ୍ୟ ବକ୍ତା ଭାବେ ଓଡିଶା ଉଚ୍ଚଶିକ୍ଷା ପରିଷଦ ପରାମର୍ଶଦାତା ତଥା ବିଶିଷ୍ଟ ଗାଣିତିକ ଡ଼ ତୁଷାରକାନ୍ତି ତ୍ରିପାଠୀ ଯୋଗଦେଇ “କେବଳ ପାଠ୍ୟପୁସ୍ତକ ପଢ଼ି ଡିଗ୍ରୀ ହାସଲ କରିବା ପ୍ରକୃତ ଶିକ୍ଷା ନୁହେଁ। ଶିକ୍ଷା ସେତିକିବେଳେ ସାର୍ଥକ ହୁଏ, ଯେତେବେଳେ ଜଣେ ବିଦ୍ୟାର୍ଥୀ ପରିବେଶର ସୁରକ୍ଷା, ସମାଜର କଲ୍ୟାଣ ଏବଂ ଅସହାୟଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରେ। ଯେଉଁ ଶବ୍ଦ କିମ୍ବା ଜ୍ଞାନ ମଣିଷର ଚିନ୍ତାଧାରାରେ ପରିବର୍ତନ ଆଣିପାରେ ନାହିଁ, ତାହା କଦାପି ପ୍ରକୃତ ବିଦ୍ୟା ହୋଇପାରିବ ନାହିଁ। ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଶବ୍ଦ ଓ ଚିନ୍ତାଧାରା ଯଦି କାହାର ଦୁଃଖ ଦୂର କରିପାରୁଛି, ସମାଜକୁ ଏକତା ସୂତ୍ରରେ ବାନ୍ଧିପାରୁଛି ଏବଂ କୁସଂସ୍କାର ବିରୋଧରେ ସ୍ୱର ଉତୋଳନ କରିପାରୁଛି, ତେବେ ଯାଇ ଶିକ୍ଷାର ସାର୍ଥକତା ପ୍ରମାଣିତ ହେବ ବୋଲି ସେ କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପରିଡା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନର ଗୌରବମୟ ୫୬ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ରସାୟନ ବିଭାଗ ମୁଖ୍ୟ ଡ଼ ସୁନୀଲ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସଂଯୋଜନାରେ ଏକ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୨୫-୨୬ ରେ ବିଦାୟ ନେଇଥିବା ଅଧ୍ୟକ୍ଷ, କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯଇଥିଲା ।ପରେ ଉଭୟ +୨ ଓ +୩ କଳା, ବାଣିଜ୍ୟ ଓ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜନୀତି ବିଭାଗର ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ସଂଯୋଜନା କରିଥିଲେ । ଶେଷରେ ଇତିହାସ ବିଭାଗର ମୁଖ୍ୟ ରଞ୍ଜନବେହୁରା ଧନ୍ୟବାଦ ଦେଇଥିଲେ । ଏହି ସଭାରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ପ୍ରେମଲତା ରାଉତ, ଉମାକାନ୍ତ ପାତ୍ର ,ସର୍ବେଶ୍ୱର ସାହୁ, ପ୍ରାଧ୍ୟାପକ ରଂଜିତ କେଶରୀ ସେନାପତି, ଗଣେଶ୍ୱର ଦାସ , ସନାତନ ବେହେରା, ଆଲୁମିନି ଆସୋସିଏସନର ସଭାପତି ରଶ୍ମିରଂଜନ ପ୍ରଧାନ, ସମ୍ପାଦକ ନିଶିକାନ୍ତ ପ୍ରଧାନ, ସହସଂପାଦକ ରାଜେନ୍ଦ୍ର ଦାଶ, ପୂର୍ବତନ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।

Leave a Reply