
ମହାନଦୀ ଓ ଏହାର ଶାଖା ନଦୀ ଗୁଡିକ ନିକଟରେ ସତର୍କ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ଅନୁରୋଧ

କେନ୍ଦ୍ରାପଡ଼ା,୧୦ା୭:ହୀରାକୁଦ ଡ୍ୟାମର ସ୍ପିଲୱେ ଗେଟ୍ ଖୋଲାଯାଇଥିବା ପରିପ୍ରେକ୍ଷୀରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ ଅନୁରୋଧ କରାଯାଇଛି। ନଦୀରେ ପ୍ରବଳ ସ୍ରୋତ ଓ ଜଳସ୍ତର ବୃଦ୍ଧି ଯୋଗୁଁ ଅଘଟଣ ଏଡ଼ାଇବା ପାଇଁ ସାଧାରଣ ଲୋକମାନେ ନଦୀ, ନଦୀପଠା, ବାଲିଚର, ଗାଧୋଇବା ଘାଟ ଏବଂ ଅନ୍ୟାନ୍ୟ ନିମ୍ନାଞ୍ଚଳକୁ ଯିବାରୁ ସମ୍ପୂର୍ଣ୍ଣ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।ସେହିପରି ନଦୀରେ ଗାଧୋଇବା, ମାଛ ଧରିବା, ଡଙ୍ଗା ଚଳାଚଳ ଏବଂ ବାଲି ଉତ୍ତୋଳନ ଭଳି କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି। ଗୃହପାଳିତ ପଶୁମାନଙ୍କୁ ନଦୀକୂଳ କିମ୍ବା ଜଳାବଦ୍ଧ ନିମ୍ନାଞ୍ଚଳକୁ ଚରାଇବା ପାଇଁ ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅଭିଭାବକମାନେ ପିଲାମାନଙ୍କୁ ନଦୀ ଏବଂ ଜଳାଶୟ ନିକଟକୁ ଯିବାକୁ ନ ଦେବା ପାଇଁ ବିଶେଷ ଅନୁରୋଧ କରାଯାଇଛି। ଅସାବଧାନତା ଯୋଗୁଁ କୌଣସି ଅଘଟଣ ନଘଟିବା ପାଇଁ ସମସ୍ତେ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କୌଣସି ଗୁଜବ କିମ୍ବା ଅପ୍ରମାଣିତ ସୂଚନାକୁ ବିଶ୍ୱାସ ନ କରି କେବଳ ଜିଲ୍ଲା ପ୍ରଶାସନ, ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସରକାରୀ ସୂଚନା ଓ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ। ଜିଲ୍ଲା ପ୍ରଶାସନ ସମସ୍ତ ସମ୍ପୃକ୍ତ ବିଭାଗ, ବ୍ଲକ୍ ପ୍ରଶାସନ, ଅଗ୍ନିଶମ ବାହିନୀ, ଓଡ୍ରାଫ୍, ପୋଲିସ ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ଜିଲ୍ଲାବାସୀଙ୍କ ସତର୍କତା ହିଁ ସେମାନଙ୍କ ସୁରକ୍ଷା। ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ ବୋଲି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply