ଚିନ୍ତାମଣି ଗୁରୁଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା ଚକ୍ର



କେନ୍ଦ୍ରାପଡା୨୧ା୭: ମଧୁସାଗର ଆବାସିକ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ୱର୍ଗତ ଚିନ୍ତାମଣି ଗୁରୁଜୀଙ୍କ ପ୍ରିୟ ଛାତ୍ର ତଥା ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଶିକ୍ଷକ ନେତା ଭ୍ରମର ରାଉତଙ୍କ ଜନ୍ମ ବାର୍ଷିକୀ ଅବସରରେ ଅଙ୍ଗୁଳାଇ ଗ୍ରାମ ଦେବତୀ ମା ତାରିଣୀଙ୍କ ପୀଠରେ ଗୁରୁଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଚିନ୍ତାମଣି ଗୁରୁଜୀ ଓ ରୁକ୍ମଣୀ ଦେବୀ ସ୍ମାରକୀ ନ୍ୟାସର ସଭାପତି ହୃଦାନନ୍ଦ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଧୁସାଗର ବିଦ୍ୟାପୀଠର ବହୁ ସଂଖ୍ୟକ ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ଗାନ୍ଧୀ ପନ୍ଥି, ସମାଜ ସଂସ୍କାରକ, ସ୍ୱାଧୀନତା ସଂଗ୍ରାମୀ ଓ ଆଦର୍ଶ ଶିକ୍ଷକ ଚିନ୍ତାମଣି ଗୁରୁଜୀଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ମଧୁସାଗର ବିଦ୍ୟାପୀଠର ପ୍ରତିଷ୍ଠାତା ଭାବେ ଗୁରୁଜୀ ନିଜର ସମସ୍ତ ପୈତୃକ ସମ୍ପତ୍ତି ଦାନ କରି ୧୯୬୭ ରେ ଟ୍ରଷ୍ଟ ବୋର୍ଡ ଗଠନ କରିଥିଲେ । ସନ୍ଥ ବିନୋବାଙ୍କ ଠାରୁ ଆରମ୍ଭ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀ, ପୁଣ୍ୟମା ଗୋପବନ୍ଧୁ ଚୈାଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, ଅନ୍ନପୂର୍ଣ୍ଣା ମହାରଣା, ମାଳତୀ ଚୈାଧୁରୀ, ମନମୋହନ ଚୈାଧୁରୀ, ତତ୍କାଳୀନ ଭାରତର ଜାତୀୟ କଂଗ୍ରେସର ସଭାପତି ୟୁ.ଏନ୍‌. ଧ୍ୱେବର ଓ ଗୁରୁଜୀଙ୍କ ଛାତ୍ର ଦିବଂଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧୁସାଗର ଆସିଥିଲେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ୧୯୪୮ ରୁ ନିପଟ ମଫସଲ ନଦୀନାଳ ଘେରା ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ମଧୁସାଗର ବିଦ୍ୟାପୀଠ ପ୍ରତିଷ୍ଠା କରି ଗାନ୍ଧିଜୀଙ୍କ ମୈାଳିକ ଶିକ୍ଷା ପ୍ରଚଳନ କରି ପାଠପଢା ସହିତ ଧନ୍ଦା ମୂଳକ ଶିକ୍ଷା ପ୍ରଚଳନ କରି ଗରିବ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା ସହ ସ୍ୱାବଲମ୍ବି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଥିଲେ । ପାଠପଢା ସହ ମାଛଚାଷ, ଗୋପାଳନ, କୃଷି, ଡଙ୍ଗାଚାଳନା, ସାଇକେଲ ମରାମତି, ଟେଲରିଂ ଶିକ୍ଷା ଓ ନାରୀ ଶିକ୍ଷାର ପ୍ରସାର ପାଇଁ କସ୍ତୁରବା ନାରୀମହଲ ପ୍ରତିଷ୍ଠା କରି ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିଥିଲେ । ଶିକ୍ଷାସହ ସମାଜ ସେବା, ସର୍ବୋଦୟ ଆନ୍ଦୋଳନ, ଭୂଦାନ ଆନ୍ଦୋଳନର ସକ୍ରିୟ ଯୋଗଦାନ, ସମାଜ ସଂସ୍କାର ମାଧ୍ୟମରେ କମ୍ ବୟସ୍କ ବିଧବା ମହିଳାମାନଙ୍କୁ ଦ୍ୱିତୀୟ ବିବାହ କରାଇ ମହିଳାଙ୍କୁ ନୂତନ ଦିଗ ଦେଖାଇଥିଲେ । ଗୁରୁଜୀ ତାଙ୍କ ପ୍ରାଥମିକ ଶିକ୍ଷକ ସ୍ୱର୍ଗତ ନଟବର ମେକାପଙ୍କୁ ଦେହାନ୍ତ ପର୍ଯ୍ୟନ୍ତ ପ୍ରତିମାସରେ ଖର୍ଚ୍ଚ ପାଇଁ ଟଙ୍କା ଦେବା ସହ ଦୈନିକ ଖାଦ୍ୟର ବ୍ୟବସ୍ଥା କରିଥିଲେ । ମେକାପଙ୍କ ଏକମାତ୍ର ଝିଅକୁ ପ୍ରାଥମିକ ଶିକ୍ଷକ କରାଇ ବିବାହ କରିଥିବା ପିତୃହୀନ ଝିଅ ମାନଙ୍କ ପିତାଭାବେ ବିବାହ କରାଇବା ଅନେକଙ୍କୁ ଯୈାତୁକ ବିହୀନ ଶଙ୍ଖ ବଜାଇ ଚଲାଇ ଚଲାଇ ନେଇ ବିବାହ କରାଇଥିବା ବକ୍ତାମାନେ ପ୍ରକାଶ କରିଥିଲେ । ଆଲୋଚନା ଚକ୍ରରେ ପ୍ରହ୍ଲାଦ ଚନ୍ଦ୍ର ସ୍ୱାଇଁ, ବୈଷ୍ଣବ ଖଣ୍ଡୁଆଳ, କେଶବ ଚରଣ ଲେଙ୍କା, ପ୍ରଭାତୀ ସାହୁ, ଅରବିନ୍ଦ ସ୍ୱାଇଁ, ବିଦୁଲତା ପତି, ଧ୍ରୁବଚରଣ ସାହୁ, ନୀଳମାଧବ ରାଉତ, ଭଞ୍ଜକିଶୋର ସ୍ୱାଇଁ, ଶେଖ ମନସୁର ଅଲ୍ଲୀ, କ୍ୟାପ୍‌ଟେନ ପ୍ରେମାନନ୍ଦ ରାଉତ, ବିଶ୍ୱଭୂଷଣ ମଲ୍ଲିକ, ମନୋଜ ନନ୍ଦ, ମହାକାଳପଡା ବିକାଶ ମଞ୍ଚ ସଭାପତି କାଶୀନାଥ ରାଉତରାୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମାରକୀ ନ୍ୟାସର ସମ୍ପାଦକ ଭ୍ରମର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।


Be the first to comment

Leave a Reply

Your email address will not be published.