ଡେରାବିଶ ବ୍ଲକରେ ଏକ କୋଟି ୬ଲକ୍ଷ ଟଙ୍କା ଆତ୍ମସାତ ଗଟଣା , କିରାଣି ଶଶିକାନ୍ତ ନିଲମ୍ବିତ,ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ


କେନ୍ଦ୍ରାପଡ଼ା,୩ା୧୧:କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଏକ କୋଟି ୬ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆତ୍ମସାତ୍ ଘଟଣାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଫେରାର ଥିବା କିରାଣୀ ଶଶିକାନ୍ତ ରଣାଙ୍କୁ ନିଲମ୍ବିତ କରିଛନ୍ତି। ଏହାସହ ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଡେରାବିଶ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା, ପଞ୍ଚାୟତ ପାଣ୍ଠି ତଥା ସରକାରୀ ହିସାବ ଖାତାରେ ଦୀର୍ଘ ଦିନ ଧରି ବ୍ୟାପକ ଗୋଳମାଳ ଚାଲିଥିଲା। ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଶଶିକାନ୍ତ ରଣା ନିଜ ପଦବୀର ଦୁରୁପଯୋଗ କରି ଚଞ୍ଚକତା ପୂର୍ବକ ୧ କୋଟି ୬ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର କରି ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଥିବା ନେଇ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ବ୍ୟାଙ୍କ ହିସାବ ଏବଂ ବ୍ଲକ ଆକାଉଣ୍ଟ ମଧ୍ୟରେ ତାଳମେଳ ନ ରହିବାରୁ ଏହି ବିରାଟ ଆର୍ôଥକ ଠକେଇ ସମ୍ପର୍କରେ ଉଚ୍ଚ ପଦାଧିକାରୀମାନେ ଅବଗତ ହୋଇଥିଲେ। ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ପ୍ରଶାସନିକ ସ୍ତରରେ ଆଲୋଡନ ଖେଳିଯାଇଥିଲା। ଘଟଣାର ସତ୍ୟାସତ୍ୟ ତଥା ଅର୍ଥ ହେରଫେରର ପ୍ରକୃତ ପରିମାଣ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶାସନିକ ଟିମ୍ ଗଠନ କରାଯାଇଛି। ଏହି ତଦନ୍ତକାରୀ ଟିମ୍ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ସମସ୍ତ ସରକାରୀ ନଥିପତ୍ର, କ୍ୟାସବୁକ୍, ବ୍ୟାଙ୍କ ପାସବୁକ୍, ଚେକ୍ ବୁକ୍ ଓ ଆର୍ôଥକ କାରବାର ସମ୍ପର୍କିତ ଦସ୍ତାବିଜ୍ର ଟିକିନିଖି ଯାଞ୍ଚ ଚଳାଇଛନ୍ତି। କେଉଁ କେଉଁ ଖାତାରୁ ଟଙ୍କା କିଭଳି ଭାବେ ଉଠାଣ କରାଯାଇଛି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ସମ୍ପର୍କରେ ତଦନ୍ତକାରୀ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। କିରାଣୀଙ୍କ ଏଭଳି କାର୍ଯ୍ୟକଳାପ ପ୍ରଶାସନିକ ନିୟମାବଳୀର ଘୋର ଉଲ୍ଲଂଘନ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ ଆୟର ତୁରନ୍ତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟରୁ ନିଲମ୍ବନ ଆଦେଶ ଜାରି କରିଛନ୍ତି। ଏଥିସହ ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନ ଯିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରୀ ଅର୍ଥ ହେଉଛି ଜନସାଧାରଣଙ୍କ ସମ୍ପତ୍ତି। ଏଥିରେ କୌଣସି ପ୍ରକାରର ଦୁର୍ନୀତି ବା ଅନିୟମିତତାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ବର୍ତ୍ତମାନ ପ୍ରଶାସନିକ ଟିମ୍ ଦ୍ୱାରା ଅଡିଟ୍ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ଅନୁସନ୍ଧାନ ସମ୍ପୂର୍ଣ୍ଣ ହେବା ପରେ ସମସ୍ତ ତଥ୍ୟ ଓ ପ୍ରମାଣ ସହିତ ମାମଲାକୁ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରାଯିବ। ଭିଜିଲାନ୍ସ ତଦନ୍ତ ମାଧ୍ୟମରେ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହେରଫେର ହୋଇଥିବା ସରକାରୀ ଟଙ୍କା ଫେରସ୍ତ ଆଣିବା ଉପରେ ଗୁରୁତ୍ୱ ଦିଆଯିବ। ଅନ୍ୟପକ୍ଷରେ ଏତେ ବଡ଼ ପରିମାଣର ଟଙ୍କା ଜଣେ ମାତ୍ର କିରାଣୀ ଆତ୍ମସାତ୍ କରିବା ସମ୍ଭବ କି ନାହିଁ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି କାରବାର ପଛରେ ଅନ୍ୟ କୌଣସି ବିଭାଗୀୟ କର୍ମଚାରୀ କିମ୍ବା ଉପରିସ୍ଥ ଅଧିକାରୀଙ୍କ ପ୍ରୋତ୍ସାହନ ରହିଛି କି ନାହିଁ, ଭିଜିଲାନ୍ସ ତଦନ୍ତ ପରେ ହିଁ ତାର ସ୍ପଷ୍ଟ ଚିତ୍ର ପଦାକୁ ଆସିବ। ପ୍ରଶାସନର ଏହି କଠୋର ଆଭିମୁଖ୍ୟ ଯୋଗୁଁ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ପ୍ରକାଶ ଯେ. ରାଜସ୍ୱ ବିଭାଗର କିରାଣି ଶଶିକାନ୍ତ ରଣା ଡେରାବିଶ ଓ ରାଜକନିକା ବ୍ଲକ୍ କାର୍ଯ୍ୟାଳୟରୁ ସରକାରୀ ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏପରି କେଳେଙ୍କାରୀ ହୋଇଥିବା ବେଳେ ସେ ପତ୍ନୀ, ଶାଳୀ, ପୂର୍ବତନ ଭିଏଲ୍ଡବ୍ଲୁ ଓ ନିଜ ଆକାଉଣ୍ଟ୍ରେ ବିଭିନ୍ନ ପର୍ଯ୍ୟାୟରେ ଉପରୋକ୍ତ ହଡ଼ପ ରାଶି ଶ୍ରୀ ରଣା ଉଠାଇ ନେଇଛନ୍ତି। ଡେରାବିଶ ବ୍ଲକ୍ର ୧କୋଟି ୬ଲକ୍ଷ ୩ହଜାର ୫୯୫ଟଙ୍କା ହଡପ ହୋଇଥିବା ନେଇ ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଡେରାବିଶ ବିଡିଓଙ୍କୁ ଚିଠି ଲେଖିବା ପରେ ପୂରା କେଳେଙ୍କାରୀ ସାମନାକୁ ଆସିଛି। କିରାଣି ଶ୍ରୀ ରଣା ଏବେ ଡେରାବିଶ ବ୍ଲକ୍ରେ କର୍ଯ୍ୟକରୁଥବା ବେଳେ ପୂର୍ବରୁ ରାଜକନିକା ବ୍ଲକ୍ରେ କାର୍ଯ୍ୟ କରୁଥିଲେ। ଚାକିରିରୁ ଅବସର ନେଉଥିବା କର୍ମଚାରୀ ଓ ଅଧିକାରୀଙ୍କ ନାମକୁ ବ୍ୟବହାର କରି ସେ ଏପରି କେଳେଙ୍କାରୀ ୨୦୨୦ ମସିହାରୁ କରି ଆସୁଥିଲେ।
