ସିଦ୍ଧମରିଚାଣି ବିଦ୍ୟାପୀଠରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0
GODABARIS MISHRA ADARSA PRATHAMIKA BIDYALAYA - 1 (1)

କେନ୍ଦ୍ରାପଡ଼ା,୬ା୧୧:ରାଜ୍ୟ ସରକାରଙ୍କ ଶିକ୍ଷା ବିକାଶ ଯୋଜନା ଅଧୀନରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ (ଭର୍ଚୁଆଲ୍‌) ଜରିଆରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୧୬ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉପଲକ୍ଷେ ବଗଡା ସିଦ୍ଧମରିଚାଣି ବିଦ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ, ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଦେଖିଥିଲେ। କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ବଗଡ଼ାସ୍ଥିତ ସିଦ୍ଧମରିଚାଣି ନୋଡାଲ ବିଦ୍ୟାପୀଠ ପରିସରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ତୃତୀୟ ପର୍ଯ୍ୟାୟରେ ସମଗ୍ର ରାଜ୍ୟରେ ମୋଟ ୭୧୬ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲା ଶିକ୍ଷାଧିକାରୀ ଶ୍ରୀ ବାରିକ କହିଲେ କେନ୍ଦ୍ରାପଡ଼ା ଜିଲାର ୧୬ଟି ବିଦ୍ୟାଳୟକୁ ଏଥି ନିମନ୍ତେ ଚୟନ କରାଯାଇଛି। ବଗଡ଼ା ହାଇସ୍କୁଲ ପଡ଼ିଆରେ ନିର୍ମିତ ହେବାକୁ ଥିବା ଏହି ବିଦ୍ୟାଳୟ ନିମନ୍ତେ ପ୍ରାୟ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଠାରେ ଉଚ୍ଚ ମାନର ଭତ୍ତିଭୂମି ସହିତ ସମସ୍ତ ଅତ୍ୟାଧୁନିକ ବିଶ୍ୱ ସ୍ତରୀୟ ସୁବିଧା ଉପଲବ୍ଧ ହେବ। ଆଇ.ସି.ଟି. ଶ୍ରେଣୀଗୃହ, ବିଜ୍ଞାନଗାର, ବିଶ୍ୱ ସ୍ତରୀୟ ଉନ୍ନତ ମାନର କ୍ରୀଡ଼ା ଭିତ୍ତିଭୂମି, ଖେଳପଡିଆ, ପାଠାଗାର, ଶିଶୁ ଉଦ୍ୟାନ, ସ୍ମାର୍ଟ କ୍ଲାସରୁମ ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାବଧାନ ଅନୁଯାୟୀ ପିଲାମାନେ ମୂଲ୍ୟବୋଧ ଭିତ୍ତିକ ଗୁଣାତ୍ମକ ଶିକ୍ଷା ଲାଭ କରିବେ। ଏଥିସହିତ ପ୍ରାରମ୍ଭିକ ବୈଷୟିକ ତାଲିମ ବ୍ୟବସ୍ଥା ଏହି ବିଦ୍ୟାଳୟର ମୁଖ୍ୟ ଆକର୍ଷଣ ହେବ, ଯାହା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିବ ବୋଲି ଶିକ୍ଷାଧିକାରୀ ଶ୍ରୀ ବାରିକ କହିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ଇଂ. ଅକ୍ଷୟ କୁମାର ପାଣି ଅତିଥି ଭାବେ ଯୋଗ ଦେଇ କହିଲେ ପ୍ରଖ୍ୟାତ ଶିକ୍ଷାବିତ୍‌, କବି ତଥା ସମାଜ ସଂସ୍କାରକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମହାନ ଆଦର୍ଶ ଓ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ। ଜାତୀୟ ଶିକ୍ଷାନୀତି-୨୦୨୦ର ଲକ୍ଷ୍ୟ ହାସଲ ଦିଗରେ ଏହି ଆଦର୍ଶ ବିଦ୍ୟାଳୟ ଗ୍ରାମାଞ୍ଚଳରେ ଏକ ନୂତନ ଯୁଗର ଆରମ୍ଭ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁବନୀ ସାହୁ, ଜିଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ସମିତିସଭ୍ୟା ସୌଦାମିନୀ ଦାସ, ସିଆରସିସି ଅଚ୍ୟୁତାନନ୍ଦ ସାମଲ ଏବଂ ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ଚିତ୍ତରଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରୀଡ଼ା ଶିକ୍ଷକ ଉମାକାନ୍ତ କର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କେନ୍ଦୁଝରରୁ ଆଭାସୀ (ଭର୍ଚୁଆଲ୍‌) ଜରିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ୭୧୬ ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଉପସ୍ଥିତ ସମସ୍ତ ଅତିଥି ଓ ଗ୍ରାମବାସୀଙ୍କୁ ଦେଖାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ସୁକାନ୍ତ କୁମାର ଜେନା, ସୁରେଶ ଚନ୍ଦ୍ର ସାହୁ, ଶ୍ରୀଚରଣ ସାମଲ ଓ ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସଭା କାର୍ଯ୍ୟ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Leave a Reply

Your email address will not be published. Required fields are marked *