କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ନିକଟସ୍ଥ ନାଇଆଡିଆ ଗାଁ ଦେଇ ପ୍ରବାହିତ ହେଉଥିବା ବ୍ରହ୍ମଣୀ ନଦୀରେ ରବିବାର ସଂନ୍ଧ୍ୟା ଦୁଇଜଣ ଧୀବର ମାଛ ଧରିବା ପାଇଁ ଜାଲ ଟାଣୁଥିବାବେଳେ ଏକ ୪ ଫୁଟ୍ ଲମ୍ବର ହିଂସ୍ର କୁମ୍ଭୀର ଜାଲ ଫାଶରେ ପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ବଡ ମାଛ ଭାବି ଡଙ୍ଗା ଦ୍ୱାରା ନଦୀ କୂଳକୁ ଜାଲ ଆଣିବା ପରେ ହିଂସ୍ର କୁମ୍ଭୀରଟି ସେଥିରେ ଫଶି ରହିବାର ଦେଖିଥିଲେ । ପରେ ଗ୍ରାମବାସୀ କୁମ୍ଭୀରଟିକୁ ଉଦ୍ଧାର କରି ରାଜନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରଟିକୁ ଉଦ୍ଧାର କରିଥିବା ରାଜନଗର ବନଖଣ୍ଡ ରେଞର ଚିତରଞନ ବେଉରା କହିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ନଦୀକୂଳକୁ ଲୋକମାନଙ୍କ ସୁଅ ଛୁଟିଥିଲା । ଏଭଳି ହିଂସ୍ର କୁମ୍ଭୀରକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।
ସାମାଜିକ କର୍ମୀ ନରେନ୍ଦ୍ର ଧଳ କୁହନ୍ତି କୁମ୍ଭୀର ଆତଙ୍କ ନେଇ ଏବ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହି ବ୍ରହ୍ମଣୀ ନଦୀରୁ ୨ ମାସ ଭିତରେ ୬ଜଣଙ୍କୁ ଟାଣି ନେଇ ମାରି ଦେଲାଣି ମଣିଷଖିଆ କୁମ୍ଭୀର । ଆଜି ଜାଲରେ ଧରା ପଡିଥିବା କୁମ୍ଭୀର ଛୋଟ ଥିଲେ ମଧ୍ୟ ତାର ମା କୁମ୍ଭୀର ଏଠାରେ ଥାଇପାରେ । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଛି । ଫଳରେ ନଇକୂଳିଆ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।
ବୁଦ୍ଧିଜିବୀ କୈଳାସ ସେଠୀ କୁହନ୍ତି , କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଂଚଳରେ ଭିତରକନିକା (ଡାଙ୍ଗମାଳ) କୁମ୍ଭୀର ପ୍ରଜନନ ପ୍ରକଳ୍ପ ରହିଛି । ୧୯୭୫ ମସିହାଠାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏଠାରେ ପ୍ରାୟତଃ ବଉଳା କୁମ୍ଭୀର ଦେଖାଯାଆନ୍ତି । ଏବେ ହିଂସ୍ର କୁମ୍ଭୀର ସବୁ ନଦୀ ନାଳରେ ଦେଖାଦେଉଥିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ଅଂଚଳ ବ୍ୱ୍ାହ୍ମଣୀ, ବୈତରଣୀ, ଗୋବରୀ, ଲୁଣା ଓ କାଣୀ ନଦୀ ପ୍ରବାହିତ ହେଉଛି । କୃଷିକାର୍ଯ୍ୟ, ମାଛଧରା ସମେତ ସ୍ନାନଶୌଚାଦି ପାଇଁ ଲୋକେ ନଦୀ ଉପରେ ନିର୍ଭରଶୀଳ । କିନ୍ତୁ ଏବେ ନଦୀରେ କୁମ୍ଭୀର ଆକ୍ରମଣ ଭୟ ଘାରିଛି ଲୋକଙ୍କୁ । ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ କିମ୍ବା ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ । ଏମିତିକି ଦୁର୍ଘଟଣା ଘଟିବା ପରେ ବି ସରକାରୀ ସହାୟତା ମିଳିପାରୁନାହିଁ । କେବଳ ମଣିଷ ନୁହେଁ, ନଈହୁଡାରେ ଚରୁଥିବା ଗାଈ, ମଇଁଷି, ଛେଳି, ମେଣ୍ଢା ମଧ୍ୟ କୁମ୍ଭୀର ମୁହଁରୁ ବାଦ ପଡୁନାହାନ୍ତି ।
ସେହିପରି ତରଡିପାଳ ଗ୍ରାମର ହିମାଂଶୁ ବିଶ୍ୱାଳ କୁହନ୍ତି ଭିତରକନିକା ଅଂଚଳରେ ବଉଳା ପ୍ରଜାତିର କୁମ୍ଭୀର ସାଧାରଣତଃ ହିଂସ୍ର । ଆଖପାଖ ନଦୀମାନଙ୍କରେ ପ୍ରାୟ ୧୮୦୦ ପ୍ରଜାତିର କୁମ୍ଭୀର ରହିଥିବା ବନ ବିଭାଗ ପକ୍ଷରୁ ଜଣାପଡିଛି । ଗତ ୨ ମାସ ହେବ କୁମ୍ଭୀର ଆକ୍ରମଣରେ ୬ ଜଣଙ୍କର ଜୀବନ ଅକାଳରେ ଝଡି ଯାଇଛି । ହିଂସ୍ର ଜନ୍ତୁମାନଙ୍କଠାରୁ ସୁରକ୍ଷା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ କୁମ୍ଭୀରମାନଙ୍କୁ ନଦୀକୂଳ ଜନବସତି ନିକଟରୁ ଘଉଡାଇବା କିମ୍ବା ସେମାନଙ୍କୁ ରୋକିବା ଲାଗି ବନ ବିଭାଗ ପକ୍ଷରୁ ବିଶେଷ କିଛି ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ । ଲୋକେ ଚଳପ୍ରଚଳ ହେଉଥିବା ନଦୀ କୂଳମାନଙ୍କରେ ଶକ୍ତ ତାର ଜାଲି ଲଗାଇବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।