ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ ,ଏକାଧିକ ନଦୀରେ କୁମ୍ଭୀର ଆତଙ୍କ,ନଦୀକୂଳରେ ସୁରକ୍ଷା ଶୂନ

 ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ ,ଏକାଧିକ ନଦୀରେ କୁମ୍ଭୀର ଆତଙ୍କ,ନଦୀକୂଳରେ ସୁରକ୍ଷା ଶୂନ

କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଂଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିମାସରେ କୁମ୍ଭୀର ଓ ମଣିଷ ଲଢ଼େଇରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି । ଏବେ ଏହି ହିଂସ୍ର କୁମ୍ଭୀର ପଟ୍ଟାମୁଣ୍ଡାଇର ସବୁ ନଦୀ ନାଳ ବିଲ ରାସ୍ତାରେ ଦେଖାଦେଉଥିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପଟ୍ଟାମୁଣ୍ଡାଇ ତଳବାଲିପଡା ପାଟ ନାଳିରେ କୁମ୍ଭୀର ବାହାରିବା, ପେଣ୍ଠ ରାସ୍ତାରେ କୁମ୍ଭୀର ବୁଲିବା ଏବଂ ଗତ କାଲି କୁଳସାହି ନିକଟ ନଦୀରେ ମାଛ ଜାଲରେ ଲାଗିବା ଘଟଣା ସମଗ୍ର ଧୋୟାଂଚଳ ଓ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ପରିବେଶବିତ୍ ବୁଭୁତି ମହାପାତ୍ର କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ହିଂସ୍ର କୁମ୍ଭୀର ସବୁ ନଦୀ ନାଳରେ ଦେଖାଦେଉଥିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ଅଂଚଳ ଦେଇ ବ୍ରାହ୍ମଣୀ, ବୈତରଣୀ, ଗୋବରୀ ଓ କାଣୀ ନଦୀ ପ୍ରବାହିତ ହେଉଛି । କୃଷିକାର୍ଯ୍ୟ, ମାଛଧରା ସମେତ ସ୍ନାନଶୌଚାଦି ପାଇଁ ଲୋକେ ନଦୀ ଉପରେ ନିର୍ଭରଶୀଳ । କିନ୍ତୁ ଏବେ ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଆକ୍ରମଣ ଭୟ ଘାରିଛି । ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରହ୍ମଣୀ ନଦୀରେ କୁମ୍ଭୀର ଆତଯାତ ଦେଖାଯାଇଛି । ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ କିମ୍ବା ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ । କେବଳ ମଣିଷ ନୁହେଁ, ନଈହୁଡାରେ ଚରୁଥିବା ଗାଈ, ମଇଁଷି, ଛେଳି, ମେଣ୍ଢା ମଧ୍ୟ କୁମ୍ଭୀର ମୁହଁରୁ ବାଦ ପଡୁନାହାନ୍ତି ।

ବୁଦ୍ଧିଜିବୀ କୈଳାସ ସେଠୀ କୁହନ୍ତି , କୁମ୍ଭୀର ଆତଙ୍କ ନେଇ ଏବ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହି ବ୍ରହ୍ମଣୀ ନଦୀରୁ ୩ ମାସ ଭିତରେ ୬ଜଣଙ୍କୁ ଟାଣି ନେଇ ମାରି ଦେଲାଣି ମଣିଷଖିଆ କୁମ୍ଭୀର । ରବିବାର ସଂନ୍ଧ୍ୟାବେଳେ ଜାଲରେ ଧରା ପଡିଥିବା କୁମ୍ଭୀର ଛୋଟ ଥିଲେ ମଧ୍ୟ ତାର ମା କୁମ୍ଭୀର ଏଠାରେ ଥାଇପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଛି । କୁମ୍ଭୀର ପ୍ରତି ସାବଧାନ ସାଇନ୍‌କାର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି । ଫଳରେ ନଇକୂଳିଆ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ସାମାଜିକ କର୍ମୀ ଚିତରଞନ ମଲ୍ଲିକ କୁହନ୍ତି.କେନ୍ଦ୍ରାପଡା ଜିଲ୍ଲା ଭିତରକନିକା (ଡାଙ୍ଗମାଳ) କୁମ୍ଭୀର ପ୍ରଜନନ ପ୍ରକଳ୍ପ ରହିଛି । ୧୯୭୫ ମସିହାଠାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ସେ ସମୟରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୧୯୯୧ ବେଳକୁ ଏହା ୧୦୦୦ କୁ ବୃଦ୍ଧି ପାଇଥିଲା । ୧୯୯୧ ରେ ଜାତୀୟ ଉଦ୍ୟାନରେ ଏହାର ବଂଶବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟବରଣ ମନ୍ତ୍ରଣାଳୟରୁ ଚିଠି ହୋଇଥିଲା । ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ ରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା । ମାତ୍ର ଗତ ଜାନୁୟାରୀ ଗଣନା ସମୟରେ ପ୍ରାୟ ୧୮୦୦ ବିଭିନ୍ନ ପ୍ରଜାତିର କୁମ୍ଭୀର ରହିଥିବା ବନ ବିଭାଗ ଗଣନାରୁ ଜଣାପଡିଛି । କିନ୍ତୁ ନଦୀ ନାଳ ଅଂଚଳରେ କୁମ୍ଭୀର ସଂଖ୍ୟା ଗଣନାରେ ସାମିଲ ହେଉନାହିଁ ।

ସେହିପରି ତରଡିପାଳ ଗ୍ରାମର ହିମାଂଶୁ ବିଶ୍ୱାଳ କୁହନ୍ତି, ଭିତରକନିକା ଅଂଚଳରେ ବଉଳା ପ୍ରଜାତିର କୁମ୍ଭୀର ସାଧାରଣତଃ ହିଂସ୍ର । ଭିତରକନିକା କୁମ୍ଭୀର ପ୍ରଜନନ ପ୍ରକଳ୍ପକୁ ଛାଡି ଆଖପାଖ ନଦୀମାନଙ୍କରେ ଶହ ଶହ କୁମ୍ଭୀର ରହିଥିବା ଜଣାପଡିଛି । ଗତ ୩ ମାସ ହେବ କୁମ୍ଭୀର ଆକ୍ରମଣରେ ୬ ଜଣଙ୍କର ଜୀବନ ଅକାଳରେ ଝଡି ଯାଇଛି । ହିଂସ୍ର ଜନ୍ତୁମାନଙ୍କଠାରୁ ସୁରକ୍ଷା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ କୁମ୍ଭୀରମାନଙ୍କୁ ନଦୀକୂଳ ଜନବସତି ନିକଟରୁ ଘଉଡାଇବା କିମ୍ବା ସେମାନଙ୍କୁ ରୋକିବା ଲାଗି ବନ ବିଭାଗ ପକ୍ଷରୁ ବିଶେଷ କିଛି ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ । ଲୋକେ ଚଳପ୍ରଚଳ ହେଉଥିବା ନଦୀ କୂଳମାନଙ୍କରେ ଶକ୍ତ ତାର ଜାଲି ଲଗାଇବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।ଏବାବଦରେ ମହାକାଳପଡା ରେଞର କାର୍ତ୍ତିକେଶ୍ୱର ଖଣ୍ଡାଇଙ୍କୁ ଯୋଗାଯୋଗ କରିବାରୁ ଏକାଧିକ ନଦୀନାଳରେ କୁମ୍ଭୀର ମାନଙ୍କର ପ୍ରକୁତିକ ପ୍ରଜନନ ହେଉଛି । ସେଥିନେଜ  ନଦୀମାନଙ୍କରେ କୁମ୍ଭୀର ସଂଖ୍ୟା ବଢୁଛି ।