କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବୁଧବାର ସଂନ୍ଧ୍ୟା ସୁଧା ୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି । ପୌରପ୍ରଶାସନର ପ୍ରହସନ ଯୋଗୁଁ ବିଗତ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ପୌରାଂଚଳରେ କୁତ୍ରିମ ବନ୍ୟା ପ୍ରତି ବର୍ଷ ଦେଖାଯାଉଥିବା ବେଳେ ସବୁ ବର୍ଷ ବଡ ବଡ ଦାବୀ କରାଯାଇ ଜନତାଙ୍କୁ ଫମ୍ପା ଆଶ୍ୱସନା ଦିଆଯାଉଛି । ପ୍ରତି ମାସ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ସତ୍ୱେ ପରିମଳ ଓ ନାଳ ନିଷ୍କାସନ ବ୍ୟବସ୍ଥା ଠିକ ହୋଇ ପାରୁ ନାହିଁ । ଅଧିକାଂଶ ଅଂଚଳରେ ନାଳ ଗୁଡିକ ଜାମ ହୋଇ ପଡ଼ି ରହିଥିବା ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି କୁତ୍ରିମ ବନ୍ୟା ସୃଷ୍ଟି ହେଉଛି । ଏଣୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରିବା ସହିତ ଆବର୍ଜନାମୟ ପରିବେଶରେ ଚଳପ୍ରଚଳ କରିବାକୁ ବାଧ୍ୟ ହେଉଛନ୍ତି ।
ସାମାଜିକକର୍ମୀ ଅନନ୍ତ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇବାସୀଙ୍କୁ ସହରୀ ସୁବିଧାର ସୁନେଲି ସ୍ୱପ୍ନ ଦେଖାଇ ୧୯୮୮ମସିହାରେ ପଟ୍ଟାମୁଣ୍ଡାଇକୁ ଏନଏସି ଘୋଷଣା କରାଯାଇଥିଲା । ପରବର୍ତି ସମୟରେ ମ୍ୟୁନିସପାଲଟି ଘୋଷଣା କରାଗଲା । ଇତି ମଧ୍ୟରେ ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ୩୫ବର୍ଷ ବିତିଯାଇଛି । ସରକାର ପରେ ସରକାର ବଦଳି ଯାଇଥିଲେ ମଧ୍ୟ ପୌରାଂଚଳବାସୀଙ୍କ ଭାଗ୍ୟ ବଦଳିନାହିଁ । ପୌରାଂଚଳ ଅଧିବାସୀମାନେ ସହରୀ ମାନ୍ୟତା ପାଇବା ପାଇଁ କେବଳ ମନଇଚ୍ଛା ମାତ୍ରାଧିକ ଟିକସ ଗଣିବା ସାର ହୋଇଛି । ପଂଚାୟତ ଗାଁର ମଫସଲି ସଭ୍ୟତାରୁ ସହରୀ ସଭ୍ୟତାର ମୋହ ପୌରାଂଚଳବାସୀଙ୍କୁ ମହରଗରୁ ଯାଇ କାନ୍ତରାରେ ପଡିବା ଭଳି ହୋଇଛି । ପଂଚାୟତରେ ସ୍ୱଳ୍ପ ଟିକସ ଦେଇ ଗ୍ରାମାଂଚଳ ଲୋକମାନେ ଅତ୍ୟାଧୁନିକ ସହରୀ ସୁବିଧା ସୁଯୋଗ ଉଜ୍ୱଳ ଆଲୋକ, ପାଇପ ଯୋଗେ ବିଶୁଦ୍ଧ ପାଣି, ଲୋଭନୀୟ ଢ଼ଳେଇ ରାସ୍ତା ଆଦି ବିଭିନ୍ନ ସୁବିଧା ପାଉଥିବା ପୌରାଂଚଳରେ ମାତ୍ରାଧିକ ଟିକସ ଦେଇ ଯନ୍ତ୍ରଣା ଭୋଗ କରୁଥିବା ଅଂଚଳବାସୀ ସମସ୍ୟା ପରେ ସମସ୍ୟାକୁ ସାଥୀ କରି କେବଳ ଭାଗ୍ୟକୁ ନିନ୍ଦି କରିବା ଛଡା କିଛି କରିପାରୁନାହିଁ ।
ବୁଦ୍ଧିଜିବୀ ପ୍ରମୋଦ ସାହୁ କୁହନ୍ତି ପଟ୍ଟାମୁଣ୍ଡାଇ ସହର ସମେତ ପୌରାଂଚଳର ଜଳନିଷ୍କାସନ ଏକ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଦୀର୍ଘବର୍ଷ ଧରି ଉଭା ହୋଇଛି । ଇତି ମଧ୍ୟରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୬ଟି ନିର୍ବାଚିତ ବୋର୍ଡ଼ ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବାବେଳେ ଜଳନିଷ୍କାସନ ଯୋଜନା କେବଳ କାଗଜକଲମରେ ଚାଲିଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦରେ ଅନାବଶ୍ୟକ ସ୍ଥାନରେ ରାସ୍ତା ନିର୍ମାଣ କରାଯାଇ ସରକାରୀ ରାଜସ୍ୱ ଖର୍ଚ୍ଚ କରାଯାଇଥିବାବେଳେ ପୌର ଅଧିବାସୀ ଜଳବନ୍ଦୀ ଜୀବନଯାପନ କରିବା ସହରୀ ସୁବିଧାର ମାନଦଣ୍ଡ ବୋଲି ପୌର କତୃପକ୍ଷ ବିବେଚନା କରୁଛନ୍ତି । ଅସରାଏ ବର୍ଷା ହେଲେ ପଟ୍ଟାମୁଣ୍ଡାଇ ସହର ସ୍ଥିତି ବିଗିଡ଼ିବା ସହିତ ପରିସ୍ଥିତି ଅସମ୍ଭାଳ ହୋଇପଡୁଛି । ସାମାନ୍ୟ ବର୍ଷାରେ ପଟ୍ଟାମୁଣ୍ଡାଇ ସହର ଓ ବିଭିନ୍ନ ୱାର୍ଡରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପ୍ରଶାସନର ପାରିବାପଣିଆକୁ ପ୍ରମାଣିତ କରିଛି । ସେହିପରି ଯୁବନେତା ସତ୍ୟପ୍ରିୟ ସାମଲ କୁହନ୍ତି ଅସରାଏ ବର୍ଷାରେ ପଟ୍ଟାମୁଣ୍ଡାଇ ସହର, ସବଡିଭିଜନ ହସ୍ପିଟାଲ, ସରକାରୀ ବାଳିକା ହାଇସ୍କୁଲ, ସବରେଜିଷ୍ଟ୍ରି ଅଫିସ, ଯଜ୍ଞ ପଡିଆ, ଡେଲି ମାର୍କେଟ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ସରକାରୀ ଅଫିସ ଦପ୍ତରରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ସ୍ଥିତି ସଂଗୀନ ହୋଇପଡିଛି । ପଟ୍ଟାମୁଣ୍ଡାଇ ସହରକୁ ଛାଡି ଦେଲେ କଲେଜ ରୋଡ଼ ଏକ ଅତ୍ୟନ୍ତ ସ୍ପର୍ଶକାତର ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିଲେ ସାମାନ୍ୟ ବର୍ଷାରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯାତାୟାତ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ବର୍ଷାପାଣି ଜମି ରହିବା ଫଳରେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲରେ ଶିକ୍ଷାଦାନ, ସବଡିଭିଜନ ହସ୍ପିଟାଲରେ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବାବେଳେ ବସଷ୍ଟାଣ୍ଡ, ଡେଲି ମାର୍କେଟ ଓ ଯଜ୍ଞ ପଡିଆ ଅପହଂଚ ପାଲଟିଛି । ବର୍ଷା ଜଳ ନିଷ୍କାସନ ପାଇଁ ସୁନିୟନ୍ତ୍ରିତ ବ୍ୟବସ୍ଥା ନଥିବାରୁ ବହୁ କଚା ଘରେ ପଶି ଯିବା ଫଳରେ ଗୃହ ଗୁଡିକ କ୍ଷତିଗ୍ରସ୍ତ ହେଉଛି । ବର୍ଷାଜଳ ନିଷ୍କାସନ ପାଇଁ ବର୍ଷ ବର୍ଷ ଧରି ଯୋଜନା କେବଳ କାଗଜ କଲମରେ ଚାଲିଥିବା ପୌରାଂଚଳବାସୀ ପ୍ରକାଶ କରିବା ସହିତ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ଦିଗରେ ସରକାର ଓ ପୌର ପ୍ରଶାସନ ଅବିଳମ୍ବେ ସ୍ଥାୟୀ ଯୋଜନା ଓ ପଦକ୍ଷେପ ଗ୍ରହଣ ନକଲେ ଜନଅସନ୍ତୋଷ ଉଗ୍ର ରୂପ ଧାରଣ କରିବା ସମ୍ଭାବନାକୁ ଏଡାଇ ଡିଆଯାଇନପାରେ ବୋଲି ସେ କହିଛନ୍ତି । ଏବାଦରେ ପୌର ନିର୍ବାହୀ ଅଧିକାରୀ ଅଜିତନାରାୟଣ ପ୍ରସାଦ ଗିରୀଙ୍କୁ ପଚାରିବାରେ କୌଣସି ନାଳ ଜାମ ଥିବାରୁ ଜଳ ନିଷ୍କାସନରେ ବାଧା ହୋଇ ଏପରି ହୋଇଛି । ସମଧାନ ହୋଇଯିବ ।