ପ୍ରଶିକ୍ଷଣ ବେଳେ ଟଳି ପଡିଲେ ଯବାନ


 

କେନ୍ଦ୍ରାପଡା ସହରର ସୁନାଇଲୋ ଗ୍ରାମର ସଂଗ୍ରାମ ମହାନ୍ତି(୪୩) ଗତ ବୁଧବାର ଦିନ ସି.ଆର.ପି.ଏଫ. ଛତିଶଗଡ କ୍ୟାମ୍ପରେ ପ୍ରଶିକ୍ଷଣ ନେଉଥିବା ବେଳେ ହଠାତ ହୃତ୍‌ଘାତ ହେବାରୁ ଟଳି ପଡିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ କେନ୍ଦ୍ରାପଡା ସହରସ୍ଥ ସୁନାଇଲୋସ୍ଥିତ ନିଜ ମାମୁଁ ଘରେ ସ୍ଥାୟୀ ଭାବରେ ରହୁଥିଲେ । ସିଆରପିଏଫ୍‌ରେ ଯବାନ ଭାବେ ଯୋଗ ଦେଇ ବିଭିନ୍ନ ସ୍ଥାନରେ ସଫଳତାର ସହ ସେ କାର୍ଯ୍ୟ କରିଛନ୍ତି । ନିକଟରେ ତାଙ୍କର ଛତିଶଗଡକୁ ବଦଳି ହୋଇଥିଲା । ଛତିଶଗଡରେ ସେ କାର୍ଯ୍ୟରତ ଥିବା ବେଳେ ବୁଧବାର ସକାଳେ କ୍ୟାମ୍ପରେ ଅନୁଷ୍ଠିତ ପିଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଯାଇଥିଲେ । ଏହି ସମୟରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଘଟଣାସ୍ଥଳରେ ତଳେ ପଡି ଯାଇଥିଲେ । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଜି ଅପରାହ୍ନରେ ମରଶରୀର କେନ୍ଦ୍ରାପଡା ସହରରେ ପହଁଞ୍ଚିବା ଥିଲା । ତିନିମୁହାଣୀ ଠାରେ ତାଙ୍କର ମର ଶରୀର ପହଁଞ୍ଚିବା ପରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ସଂଘର ସଭାପତି କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ସୁବେଦାର ବୀରବର ପାତ୍ର, ସରଜେଣ୍ଟ ଅକ୍ଷୟ ସାହୁ, ହାବିଲଦାର ପ୍ରଫୁଲ୍ଲ ଉପଧ୍ୟାୟ, ଅମର ଦାସ, ନୌ÷ସୈନିକ ସନାତନ ସାହୁ, ମହେଶ୍ୱର କର ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ତିନିମୁହାଣୀ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମର ଶରୀର ସହର ପରିକ୍ରମା କରି ତାଙ୍କ ସୁନାଇଲୋସ୍ଥିତ ବାସଭବନରେ ପହଁଞ୍ଚିବା ପରେ ସେଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ରଣପଡା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ସାନଭାଇ ସମ୍ବିତ ମହାନ୍ତି ମୁଖାଗ୍ନୀ ଦେଇଥିଲେ । ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ରାଜେସ ଦାସ, ସମାଜସେବୀ ରାଜେଶ ପଣ୍ଡା ପ୍ରମୁଖ ରଣପଡା ଶ୍ମଶାନରେ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading