ଉତ୍କଳ ସମାଜ ପକ୍ଷରୁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରଶାସନକୁ ଦାବିପତ୍ର


କେନ୍ଦ୍ରାପଡ଼ା,୧୫ା୯: ଜଳସେଚନର ଅଭାବ ଯୋଗୁଁ କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାର କୃଷକ ପରିବାରର କର୍ମଠ ଯୁବକ ଓ ଯୁବତୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅଚଳ ହୋଇ ପଡିଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ମରାମତି କରାଯିବା ସହିତ ନୂଆ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନିମନ୍ତେ “ଉତ୍କଳ ସମାଜ” କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ “ଉତ୍କଳ ସମାଜ” କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ଗରାପୁରସ୍ଥିତ କାଳି ମନ୍ଦିର ଛକରୁ ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଉତ୍କଳ ସମାଜର ସାଧାରଣ ସମ୍ପାଦକ ଭାଷ୍କର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପଥପ୍ରାନ୍ତ ସଭାରେ ରବିନାରାୟଣ ସାହୁ, ଅଭିରାମ ମିଶ୍ର, ରଞ୍ଜନ କୁମାର ସାହାଣୀ, ପର୍ଶୁରାମ ମଲ୍ଲିକ, ନନ୍ଦ କିଶୋର ବେହେରା ପ୍ରମୁଖ କୃଷି ପାଇଁ ଜଳସେଚନ ଓ ଉଠାଜଳସେଚନ ପ୍ରକଳ୍ପର ଆବଶ୍ୟକ୍ୟତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଓ ଗୁଲନଗର ଗ୍ରାମପଞ୍ଚାୟତର ଶହ ଶହ ଏକର ଚାଷ ଜମି ରବି ଓ ଖରିଫ ଋତୁରେ ପଡିଆ ପଡୁଛି । ଖରିଫ ଋତୁରେ ଗୋରୁଗାଇମାନଙ୍କ ପାଇଁ ଫସଲ ଉଜୁଡି ଯାଉଥିବା ବେଳେ ରବି ଋତୁରେ ଜଳସେଚନ ଅଭାବରୁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଏହି ପରିପ୍ରେକ୍ଷୀରେ ଗୁଲନଗର ପଞ୍ଚାୟତର ରାମନଗରପାଟଣା ନିକଟରେ ଗୋବରୀ ନଦୀରେ ଏକ ନୂତନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଗଲେ କପାଳେଶ୍ୱର ଓ ଗୁଲନଗର ପଞ୍ଚାୟତର ଏକଶହ ହେକ୍ଟରରୁ ଅଧିକ ଚାଷଜମି ଶସ୍ୟଶାମଳା ହେବା ସହିତ ଏହି ଦୁଇଟି ପଞ୍ଚାୟତର ଅନୁନ୍ୟ ଏକହଜାର ପରିବାରର ୧୦ହଜାର ଲୋକଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେମାନେ କହିଥିଲେ । ଖରିଫ ଋତୁରେ ଧାନଚାଷ ହେବା ସହିତ ରବି ଋତୁରେ ଧାନ, ଡାଲିଜାତୀୟ ଫସଲ, ପନିପରିବା ପ୍ରଭୃତି ପ୍ରଚୁର ପରିମାଣରେ ଉତ୍ପାଦନ ହୋଇପାରିବ । ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ କର୍ମଦିବସ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏହି ଅଞ୍ଚଳର ଚାଷୀମାନଙ୍କର ମୁଣ୍ଡପିଛା ଆୟ ଓ କ୍ରୟଶକ୍ତିର ବୃଦ୍ଧି ହୋଇପାରିବ । ଏତଦବ୍ୟତିତ ଗୋରୁଗାଇମାନଙ୍କୁ ଚାଷଜମିକୁ ନଛାଡିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହିତ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ଦାବି କରାଯାଇଛି । ଏଥିସହିତ ରାମନଗରପାଟଣାରେ ଉଠା ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରାଯିବା ସହ କପାଳେଶ୍ୱର ଠାରେ ଥିବା ଅଚଳ ପ୍ରକଳ୍ପକୁ ସଚଳ କରାଯିବାକୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ଆକାର ଧାରଣା କରିବ ବୋଲି ‘ଉତ୍କଳ ସମାଜ’ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା ।


Next Post

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅବ୍ୟାହତ ଧାରଣାରେ ସାମିଲ ହେଲେ କେନ୍ଦ୍ରାପଡା ବିଧାୟକ

Sat Sep 16 , 2023
କେନ୍ଦ୍ରାପଡ଼ା,୧୫ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଏଗାର ଦିନରେ ପହଞ୍ଚିଛି । ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇ ରଖିବାକୁ ଜିଦରେ ଅଟଳ ଥିବା କ୍ରିୟାନୁଷ୍ଠାନ କମିଟି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ଆନ୍ଦୋଳନ ସହ ଅଧିକରୁ ଅଧିକ ଲୋକଙ୍କୁ ଜୋଡିବା ପାଇଁ ପ୍ରତିଦିନ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଧାରଣା ସ୍ଥଳରେ ଆଜି କେନ୍ଦ୍ରାପଡା […]

You May Like