କେନ୍ଦ୍ରାପଡା ଜିଲ୍ଲାରେ ସାଇବର ସୁରକ୍ଷା ରଥ ପହଞ୍ଚିଲା


କେନ୍ଦ୍ରାପଡ଼ା, ୨ା୧୦: ସେପ୍ଟେମ୍ବର ୩୦ରେ ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆରମ୍ଭ ହୋଇଯାଇଥିବା ବେଳେ ଆଜି କେନ୍ଦ୍ରାପଡାରେ ସାଇବର ସୁରକ୍ଷା ରଥ ପହଞ୍ଚିଛି । ଏହି ଅବସରରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଅନୁଷ୍ଠିତ ଏକ ପଥପ୍ରାନ୍ତ ସଭାରେ ସାଇବର ସୁରକ୍ଷା ରଥ ଓ ମାସ୍କଟକୁ ଜିଲ୍ଲା ପରିକ୍ରମା ନିମନ୍ତେ ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।  ଆରକ୍ଷୀ ଅଧିକ୍ଷକ ମଡ଼କର ସମ୍ବିତ ସମ୍ପଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିବା ସହିତ ସାଧାରଣ ଲୋକମାନେ କିଭଳି ସାବଧାନତା ଅବଲମ୍ବନ କରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ସାଇବର ସୁରକ୍ଷା ରଥ ଓ ମାସ୍କଟକୁ ପତକା ଦେଖାଇ ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଆଜି ଠାରୁ ସାଇବର ସୁରକ୍ଷା କ୍ୟାମ୍ପେନ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ଶିକ୍ଷା ପ୍ରଦାନ କରିବା । ଏହି ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟ ସମେତ ପ୍ରତ୍ୟେକ ଥାନା ଅଞ୍ଚଳକୁ ପ୍ରବେଶ କରି ସ୍ଥାନୀୟ ଭାଷାରେ ଅଡିଓ ଭିଜୁଆଲ ଓ ରିଫଲେଟ ବା ପାମ୍ପଲେଟ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବ ।  କେନ୍ଦ୍ରାପଡା ଜିଲ୍ଲାର ପୂର୍ବ ନିର୍ଦ୍ଧାରିତ ରୁଟରେ ସ୍ଥାନୀୟ ହାଟ, ମାର୍କେଟ, ସର୍ବସାଧାରଣ କାର୍ଯ୍ୟାଳୟ ଓ ପଡାଗ୍ରାମ ଗୁଡିକରେ ସାଇବର ସୁରକ୍ଷା ରଥ ପ୍ରଚାରପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଇନିସପେକ୍ଟର ଦିଲ୍ଲିପ କୁମାର ସାହୁ , ସବଇନିସପେକ୍ଟର ଦେବାଶିଷ ପଣ୍ଡା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading