
କେନ୍ଦ୍ରାପଡ଼ା, ୧ା୧୦ : ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ତାଲିମ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଏହି ତାଲିମ ଶିବିରକୁ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଉଦଘାଟନ ପୂର୍ବକ ଆଜିର ଯୁବକଯୁବତୀମାନେ କିଭଳି ଆତ୍ମ ନିଯୁକ୍ତି ପାଇପାରିବେ ସେ ସମ୍ବନ୍ଧରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ରର ଆଇ.ପି.ଓ. ଏବଂ ଅନ୍ୟ ଅଧିକାରୀମାନେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜନଶିକ୍ଷଣ ସଂସ୍ଥାନର ନିର୍ଦେଶକ ଏବଂ ଷ୍ଟେଟବ୍ୟାଙ୍କ ତାଲିମ ପ୍ରଦାନକାରୀ ଏଥିରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ମାର୍ଗଦର୍ଶନ ଏବଂ ଦକ୍ଷତା ବିକାଶ ସମ୍ପର୍କରେ ଅବଗତ କରାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ । ସମାଜତତ୍ୱ ଭୂବିଜ୍ଞାନର ମୁଖ୍ୟ ଅଧ୍ୟାପକ ଯୁବରେଡକ୍ରସ ପରାମର୍ଶଦାତା ଡଃ. ହିମାଂଶୁ ଭୂଷଣ ପରିଡା ସ୍ୱାଗତ ଭାଷଣ ପ୍ରଦାନ ସହ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାଡେମିକ ମୁଖ୍ୟ ସଂଚାଳକ ଡଃ. ହେମନ୍ତ କୁମାର ଶତପଥୀ, ଅଧ୍ୟାପିକା ପ୍ରଭାତୀ ଧଳ, ସୁମିତ୍ରା ମିଶ୍ର, ସାଳିନୀ ପରିଡା, ଅମ୍ଳାନ କିରଣ ରାଉତ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଇତିହାସ ବିଭାଗ ମୁଖ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ଡଃ. ପ୍ରମୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।











