କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଶେଷ ପର୍ଯ୍ୟନ୍ତ ବସ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ।
ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସଟି ଯାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଖସିପଡ଼ିବା ଭଳି ଅଧାରେ ଲଟକି ରହିଛି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏବେ ଘଟଣାସ୍ଥଳରେ କ୍ରେନ୍ ଜରିଆରେ ବସଟିକୁ ବ୍ରିଜ୍ ଉପରକୁ ଆଣିବାର ପ୍ରୟାସ ଆରମ୍ଭ ହୋଇଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଗାଡ଼ିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ହେଲେ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତ୍ରୁଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ କରାଯାଉଛି। ତେବେ ବ୍ରେକ୍ ଫେଲ୍ ହେବାରୁ ଏଭଳି ଅଘଟଣ ଘଟିଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ କୁହାଯାଉଛି।











