କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ


କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସୈାରି ଚନ୍ଦ୍ର ସାହୁଙ୍କ ପୈାରହିତ୍ୟରେ ସ୍ଥାନୀୟ ଗୋପସ୍ଥିତ କମଲ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଘର ଆବାହକ ସରୋଜ କୁମାର ମହାନ୍ତି, ଉପଦେଷ୍ଟା ଭୁବନମୋହନ ଜେନା ଓ ଦେବେନ୍ଦ୍ର ସୁଆର ପ୍ରମୁଖ ଯୋଗଦେଇ କହିଥିଲେ ଯେ ଦୀର୍ଘ ୩ ବର୍ଷ ପରେ କେନ୍ଦ୍ରାପଡାର ଇଷ୍ଟ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପ୍ରିୟ ନୈବେଦ୍ୟ କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ. ମାନ୍ୟତା ମିଳିଥିବାରୁ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ସମେତ ସମଗ୍ର କେନ୍ଦ୍ରାପଡ଼ାବାସୀ ଗର୍ବିତ ଓ ଆନନ୍ଦିତ । ରସାବଳୀ କେନ୍ଦ୍ରାପଡ଼ା ଖାଦ୍ୟ ସଂସ୍କୃତିର ପରାକାଷ୍ଠା ଓ ଆମ ଅସ୍ମିତାର ପ୍ରତୀକ । ତାର ଜାତୀୟ ସ୍ୱୀକୃତି ନିଶ୍ଚିତ ଭାବେ ଆମ ପାଇଁ ଗୌରବର ବିଷୟ । ଏହି ପ୍ରକିୟାରେ ଥିବା ସମସ୍ତ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ଗଣମାଧ୍ୟମର ବନ୍ଧୁମାନଙ୍କୁ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଥିଲା ।

୨୦୧୯ ମସିହାରେ ‘ଓଡିଶା ରସଗୋଲାକୁ ଜି.ଆଇ. ମାନ୍ୟତା ମିଳିବା ପରେ କେନ୍ଦ୍ରାପଡାବାସୀଙ୍କ ମନରେ ପ୍ରଶ୍ନ ଉଠିଥିଲା ଯଦି ରସଗୋଲା ତେବେ ରସାବଳୀ କାହିଁକି ନୁହେଁ । ଏଥିପାଇଁ ପ୍ରଥମେ ୨୦୨୦ ମସିହା ଜୁଲାଇ ୧୧ ରେ ଜି.ଆଇ. ବିଶେଷଜ୍ଞ ଡ. ଅନୀତା ସାବତ୍‌ଙ୍କ ପରାମର୍ଶ ଲୋଡିଯିବା ସହ ଡ.ସାବତ ଏକ ରସାବଳୀ ହ୍ୱାଟସପ୍ ଗୃପ ନିର୍ମାଣ କରି ନିଜେ ଆଡମିନ୍ ରହିବା ସହ ସରୋଜ କୁମାର ମହାନ୍ତିକୁ ସହ ଆଡମିନ୍ କରି ଏହି ଗ୍ରୁପ୍‌ରେ ଥିବା ସମସ୍ତ ସଦସ୍ୟଙ୍କ ନିକଟରୁ ତଥ୍ୟ ଆଦାନପ୍ରଦାନ ପାଇଁ ଆହ୍ୱାନ ଦେଇଥିଲେ । ସେହି ବର୍ଷ ଜୁଲାଇ୨୭ ତାରିଖରେ ଶ୍ରୀ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ସଂଘର ଉପଦେଷ୍ଟା ପ୍ରଫେସର ଭୁବନମୋହନ ଜେନାଙ୍କ ପୃଷ୍ଠପୋଷକତାରେ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତାଙ୍କ ଏକ ସଂଘ ଗଠନ କରାଯାଇଥିଲା । ସଂଘର ସଭାପତି ରୂପେ ସୈାରଚନ୍ଦ୍ର ସାହୁ, ଉପ-ସଭାପତି ରୂପେ ବୈଷ୍ଣବ ଚରଣ ପଣ୍ଡା, ସଂପାଦକ ରୂପେ ଆଡଭୋକେଟ୍ ବଳରାମ ସାହୁ , ସହ-ସଂପାଦକ ରୂପେ କରୁଣାକର ସାହୁ ଏବଂ କୋଷାଧ୍ୟକ୍ଷ ରୂପେ ରମେଶ ପୃଷ୍ଟି ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ରୂପେ ଭୁବନମୋହନ ଜେନା ଏବଂ ସାମ୍ୱାଦିକ ଦେବେନ୍ଦ୍ର ସୁଆରଙ୍କୁ ଗ୍ରହଣ କରାଯାଇଥିଲା । ସଙ୍ଘର ପଞ୍ଜିକରଣ କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାରେ ସଂଘ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ନିକଟରେ ରସାବଳୀର ବୈଜ୍ଞାନିକ ବିଶ୍ଳେଷଣ ପାଇଁ ୨୦୨୧ମସିହା ଅଗଷ୍ଟ୨୧ରେ ଆବେଦନ କରିଥିଲା । ବିଭାଗ ପକ୍ଷରୁ ମନ୍ଦିର ଭିତରର ଅମଣିଆ ଦୋକାନ, କେଶପୁର ବଜାରସ୍ଥିତ ବୈଷ୍ଣବ ଚରଣ ପଣ୍ଡାଙ୍କ ମିଷ୍ଟାନ୍ନ ଦୋକାନ, ପୁରୁଣା ମଟରଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀନାରାଯଣ ମିଷ୍ଟାନ୍ନ ଦୋକାନ, ମହୀପାଳସ୍ଥିତ ସୀତାରାମ ମିଷ୍ଟାନ୍ନ ଦୋକାନ, ତିନିମୁହାଣୀସ୍ଥିତ ସାହୁ ସୁଇଟ୍ ଷ୍ଟଲ ପ୍ରଭୃତିରୁ ନମୁନା ସଂଗ୍ରହ କରାଯାଇଥିଲା । ୨୦୨୧ମସିହା ସେପ୍ଟେମ୍ବର୍ ୨୭ ରେ ସଙ୍ଘକୁ ଏହାର ସବିଶେଷ ରିପୋଟ୍ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା । ଆବାହକ ଶ୍ରୀ ମହାନ୍ତିଙ୍କ ତତ୍ୱାବଧାନରେ ବିଧିବଦ୍ଧ ଆବେଦନ ପାଇଁ ଡୋଜର ପ୍ରସ୍ତୁତ କରାଗଲା । ଏଥିରେ ତାଙ୍କୁ ବିଶିଷ୍ଟ ଗବେଷକ ଅସୀତ ମହାନ୍ତି, ପଣ୍ଡିତ ହୃଷିକେଶ ପଣ୍ଡା ଓ ପ୍ରଫେସର ନନ୍ଦକିଶୋର ପରିଡା ସହାୟତା କରିଥିଲେ । ଆବେଦନ ବେଳେ ନାବାର୍ଡର ସ୍ଥାନୀୟ ଡି. ଡି. ଏମ୍‌. ଅଶୋକ ଆଚାର୍ଯ୍ୟ ସହଯୋଗର ହାତ ବଢାଇଲେ ଏବଂ ନାବାର୍ଡ, ଓଡିଶାର ସହଯୋଗରେ ଆବେଦନ ପାଇଁ ନିଷ୍ପତି ନିଆଗଲା । ୨୦୨୧ ମସିହା ନଭେମ୍ବର୨୪ ରେ ସମସ୍ତ କାଗଜପତ୍ର ନାବାର୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଗଲା । ୨୦୨୧ ମସିହା ଡିସେମ୍ବର୧୩ରେ ବିଧିବଦ୍ଧ ଆବେଦନ କରାଗଲା । ନାବାର୍ଡ ପକ୍ଷରୁ ଏହି ଆବେଦନ ପ୍ରକୀୟାକୁ ହ୍ୟୁମାନ ୱେଲଫେଆର ଆସୋସିଏସନର ସାଧାରଣ ସମ୍ପାଦକ ଡ. ରଜନୀକାନ୍ତ ସଂଯୋଜନା କରୁଥିଲେ । ନାବାର୍ଡ ଅଧିନରେ କାର୍ଯ୍ୟ କରୁଥିବା ଆର.ଆଇ.ଡି.ଇ. ସ୍ୱେଛାସେବୀ ସଂଗଠନର ସମ୍ପାଦକ କିଶୋର କୁମାର ସାହୁ ଏଥିପାଇଁ ସହ ଆବେଦନକାରୀ ରହିଲେ । ଏହା ଭିତରେ କେନ୍ଦ୍ରାପଡ଼ାର କୋଣ ଅନୁକୋଣରୁ ରସାବଳୀକୁ ଜି. ଆଇ. ଟ୍ୟାଗ ମାନ୍ୟତା ପ୍ରଦାନ ପାଇଁ ଦାବୀ ଜୋରଦାର ହୋଇଥିଲା । ସଙ୍ଘର ଉପଦେଷ୍ଟା ଶ୍ର୍ରୀ ସୁଆରଙ୍କ ଅନୁରୋଧ କ୍ରମେ ସାଂସଦ ସୁବାସ ସିଂହ, ସାଂସଦ ମୁନ୍ନା ଖାଁ, ସାଂସଦ ମମତା ମହନ୍ତ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଭେଟି କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମିଳିବା ନେଇ ଦାବି କରିଥିଲେ । ଏହା ବିଭିନ୍ନ ଗଣମାଧ୍ୟମରେ ବହୁଳ ପ୍ରଚାରିତ ହୋଇଥିଲା । ସେପ୍ଟେମ୍ବର୍ ୨୦୨୧ ଅସିତ ମହାନ୍ତି ଓ ସରୋଜ ମହାନ୍ତିଙ୍କ ‘କେନ୍ଦ୍ରାପଡ଼ା ରସାବଳୀ’ ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜି.ଆଇ. ସଂସ୍ଥା ପକ୍ଷରୁ ଗତ ୨୬ ଡିସେମ୍ୱର ୨୦୨୨ରେ ସାକ୍ଷାତକାର ପାଇଁ ସଙ୍ଘକୁ ଭୁବେନେଶ୍ୱରର ସି.ଆର.ପି.ରେ ଅବସ୍ଥିତ ଆଦିବାସୀ ଗବେଷଣା ସଂସ୍ଥାନକୁ ଡକାଯାଇଥିଲା । ସେଠାରେ ରସାବଳୀ ସହ ସଭାପତି ଶ୍ର୍ରୀ ସାହୁ , ଉପ ସଭାପତି ଶ୍ରୀ ପଣ୍ଡା, ସମ୍ପାଦକ ଶ୍ରୀ ସାହୁ, ଉପଦେଷ୍ଟା ଶ୍ରୀ ସୁଆର, ଆବାହକ ଶ୍ରୀ ମହାନ୍ତି , ଆର. ଆଇ. ଡି. ଇ.ର ସମ୍ପାଦକ ଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ରସାବଳୀର ମୌଳିକତା ସମ୍ପର୍କରେ ମତ ରଖିଥିଲେ । ଶେଷରେ ୨୦୨୩ ଅଗଷ୍ଟ ୩୧ରେ ଜି.ଆଇ. ଜେର୍ନାଲରେ ରସାବଳୀ ସଂପର୍କରେ ପ୍ରକାଶିତ ହୋଇ ଏହା ବିରୋଧରେ ୪ମାସ ଭିତରେ ମତାମତ ଆହ୍ୱାନ କରାଗଲା । କେହି ବିରୋଧ ନ କରିବାରୁ ୩ ଅକ୍ଟୋବର୍ ରେ ରସାବଳିକୁ ଜି.ଆଇ. ସ୍ୱୀକୃତି ଦିଆଗଲା । ଏବେ ରସାବଳିକୁ ଜି.ଆଇ. ଟ୍ୟାଗ ମିଳିବା ପରେ ଆମମାନଙ୍କର ଦାୟିତ୍ୱ ଶେଷ ହୋଇନି ବରଂ ରସାବଳିର ମାନ ରକ୍ଷାକରିବା , ମନ୍ଦିର ଭିତରେ ଓ କେନ୍ଦ୍ରାପଡ଼ା ସହରର ବିଭିନ୍ନ ଦୋକାନରେ ଏହାର ମାନ ବୃଦ୍ଧି ହେବା ସହ ଦୂରଦୂରାନ୍ତକୁ ଏହା କିପରି ସଂପ୍ରସାରିତ ହୋଇପାରିବ ପୂର୍ବପରି ସମସ୍ତଙ୍କର ସହଯୋଗ ଏବଂ କିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଆଶା କରିଥିଲା ସଙ୍ଘ । ଏହି ଅବସରରେ ସଙ୍ଘର ୨ ଉପଦେଷ୍ଟା ସମ୍ମିଳନୀରେ ଉପସ୍ଥିତ ସଙ୍ଘର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘର ସଭାପତି ସୌର ଚନ୍ଦ୍ର ସାହୁ, ଉପସଭାପତି ବୈଷ୍ଣବ ଚରଣ ପଣ୍ଡା, ସମ୍ପାଦକ ବଳରାମ ସାହୁ, ସହ ସଂପାଦକ କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

କଳପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Mon Oct 9 , 2023
କେନ୍ଦ୍ରାପଡ଼ା, ୯ା୧୦: କଳପଡାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପୋଲିସ୍ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରୁ ସାଇବର ସଚେତନତା ରଥ କଳପଡାରେ ପହଞ୍ôଚବା ପରେ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ଦ୍ୱାରା ସାଇବର ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ସେଠାରେ […]

You May Like