ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା


ଅହମ୍ମଦାବାଦ୧୪/୧୦: ବୋଲରଙ୍କ ଘାତକ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଓ ଶ୍ରେୟାସ ଆୟାରଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ବଳରେ ପାକିସ୍ତାନ ଧରାଶାୟୀ ହୋଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତ ବିଶ୍ୱକପ୍ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଛି । ଏହି ସହଜ ବିଜୟ ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲ୍‌ର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଏହା ସହିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଧାରା ଅବ୍ୟାହତ ରଖି ୮-୦ର ରେକର୍ଡ କରିଛି । ଅନ୍ୟପଟେ ପାକିସ୍ତାନ ବିଶ୍ୱକପରେ ପ୍ରଥମ ପରାଜୟ ଭୋଗିଛି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ୫୦ ଏବଂ ମହମ୍ମଦ ରିଜୱାନଙ୍କ ୪୯ ରନ ବଳରେ ୪୨.୫ ଓଭରରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ରୋହିତ ଶର୍ମାଙ୍କ ବିସ୍ଫୋରକ ୮୬ ରନ ସହ ଶ୍ରେୟସ ଆୟରଙ୍କ ଅପରାଜିତ ୫୩ ରନର ଉପଯୋଗୀ ବ୍ୟାଟିଂ ବଳରେ ଭାରତ ୩ ୱିକେଟ୍ ହରାଇ ୩୦.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି । ୧୯୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୨୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଡେଙ୍ଗୁରୁ ସୁସ୍ଥ ହୋଇ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିବା ଶୁଭମନ ଗିଲ୍ ୧୬ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ରୋହିତ ଶର୍ମା ଓ ବିରାଟ କୋହଲି ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ । କୋହଲି ୧୬ ରନ କରି ବିଦାୟ ନେଇଥିଲେ । ଅନ୍ୟପଟେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ପାକିସ୍ତାନ ବୋଲରଙ୍କୁ ପ୍ରହାର କରିଥିଲେ । ଏହି କ୍ରମରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ରୋହିତ ଶ୍ରେୟାସ ଆୟରଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୭୭ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ । ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ରୋହିତ ଆଉଟ୍ ହେବା ପ୍ରଶଂସକଙ୍କୁ ନିରାଶ କରିଥିଲା । ରୋହିତ ମାତ୍ର ୬୩ ବଲ୍‌ରୁ ୬ ଚୌକା ଓ ୬ ଛକା ସହ ୮୬ ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ବିଜୟର ଔପଚାରିକତା ପୂରଣ କରିଥିଲେ ଶ୍ରେୟାସ ଆୟର ଓ କେଏଲ ରାହୁଲ । ଶ୍ରେୟାସ ସଂଯମତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଏଥିସହ ଭାରତ ୩୦.୩ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ଶ୍ରେୟସ ୫୩ ରନ ଓ କେଏଲ ରାହୁଲ୧୯ ରନ କରି ଅପରାଜିତ ଅଛନ୍ତି । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୨ଟି ଓ ହସନ ଅଲ୍ଲୀ ଗୋଟିଏ ୱିକେଟ୍ ନେଇଛନ୍ତି । ଘାତକ ବୋଲିଂ ସ୍ପେଲ୍ କାରଣରୁ ବୁମ୍‌ରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading