ମେଡିକାଲ କଲେଜ ଓ ଅର୍ବାନ ସିଏଚସି ଦାବୀରେ କଂଗ୍ରେସର ଗଣ ଗର୍ଜନ ସମାବେଶ



କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା ଦାବିରେ ଆସନ୍ତା ଅକ୍ଟୋବର ୧୮ତାରିଖ ବୁଧବାର ଗଣ ଗର୍ଜନ ସମାବେଶ କରିବାକୁ ବ୍ଲକ ଓ ନଗର କଂଗ୍ରେସ ତରଫରୁ ମୀଳିତ ଭାବରେ ଆଜି ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ବୈଠକରେ ସଭାପତିତ୍ୱ କରିଥିଲେ ଓ କେନ୍ଦ୍ରାପଡା ସ୍ୱାର୍ଥ ପାଇଁ କଂଗ୍ରେସ କୌଣସି ପରିସ୍ଥିତିରେ ସାଲିସ କରିବ ନାହିଁ ବୋଲି ଘୋଷଣା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟି ଅନ୍ତର୍ଗତ ପୂର୍ବମୁଖ୍ୟ ଚିକିତ୍ସାଳୟଠାରେ ଅର୍ବାନ ପିଏଚସି ପରିବର୍ତ୍ତେ ଅର୍ବାନ ସିଏଚସି ପ୍ରତିଷ୍ଠା କରିବା ଦାବୀକୁ ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା କରିଚାଲିଛନ୍ତି । ଏହି ଦାବି ପୁରଣ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ସଙ୍ଗଠକ ତରଫରୁ ଦୁଇ ଦୁଇଟି ମହାଆନ୍ଦୋଳନ ଯଥା “ମାଟି ପାଇଁ ପାଟି ଖୋଲ” ଓ “ମାଟିପାଇଁ ମାଡି ଚାଲ” କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । କେନ୍ଦ୍ରାପଡା ମେଡିକାଲ କ୍ରିୟାନୁଷ୍ଠାନ କମିଟି ତରଫରୁ ଗତ ସେଣ୍ଟମ୍ବର ୨୩ତାରିଖରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱସ୍ଥ୍ୟ ସଚିବଙ୍କୁ ଏ ସଂକ୍ରାନ୍ତରେ ଧାରାବାହକ ଭାବରେ ଚିଠିଲେଖି ଅନୁରୋଧ କରିଥିଲେ ମଧ୍ୟ ତାହା କୌଣସି ଫଳ ଦେଇନାହିଁ । ରାଜ୍ୟ ସରକାର ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, କଳାହାଣ୍ଡି, ବଲାଙ୍ଗିର କୋରାପୁଟ ଓ ସୁନ୍ଦରଗଡ ଜିଲ୍ଲାରେ ଇତି ମଧ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ବାଦ ପଡିଛି ।

ପ୍ରକାଶ ଥାଉକି କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଂସଦରେ କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା ଦାବୀ ଉପସ୍ଥାପନ । ଏ ସମସ୍ତ ଉଦ୍ୟମ ନିଷ୍ଫଳ ହୋଇଛି । ଏଥି ସାଙ୍ଗକୁ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା କରିବାର ଦାବି ପ୍ରତି ସରକାରଙ୍କ ଉଦାସୀନତା ଘୋର ଆପତ୍ତି ଜନକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁନିସିପାଲଟିର ଖଡିଅଙ୍ଗ ଗ୍ରାମରୁ ସ୍ଥାନାନ୍ତର ହେବା ପରେ ମୁନିସିପାଲଟି ପାଇଁ ଏହି ଅର୍ବାନ ସିଏଚସିର ଆବଶ୍ୟକତା ଅତ୍ୟାଥିକ ଭାବେ ଅନୁଭୂତ ହେଉଛି । କେନ୍ଦ୍ରାପଡା ମୁନିସିପାଲଟି ଓଡିଶାର ସର୍ବପ୍ରାଚୀନ ମିନିସିପାଲଟି ଭାବେ ୧୫୪ବର୍ଷରେ ପଦାର୍ପଣ କରିଛି । ସୁତରାଂ ମିନିସିପାଲଟି ନିଜସ୍ୱ ୬୦ହଜାର ଲୋକ ସଂଖ୍ୟା ସହ ପଡୋଶୀ କେନ୍ଦ୍ରାପଡା ବ୍ଲକ ଓ ଡେରାବିଶ ବ୍ଲକର ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ଅର୍ବାନ ସିଏଚସି ଦ୍ୱାରା ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ପାଇଁ ନିର୍ଭର କରନ୍ତି । ମେଡିକାଲ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୀର୍ଘ ୫୪ଦିନର ନିରବଚ୍ଛିନ୍ନ ଗଣ ଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଫଳରେ ରାଜ୍ୟ ସରକାର ଗତ ୨୧/୭/୨୦୨୩ରେ ନିଦ୍ଦେର୍ଶନାମା ଜାରିକରି ମୁନିସିପାଲଟି ଅର୍ବାନ ପିଏଚସିରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ସହ ୪ଗୋଟି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଥିଲେ ମଧ୍ୟ ତାହା କେବଳ କାଗଜ ପତ୍ରରେ ପଡିରହିଛି । ଫଳତଃ କେନ୍ଦ୍ରାପଡାବାସୀ ଉପେକ୍ଷିତ ହୋଇ ଚାଲିଛନ୍ତି । ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଏହି କ୍ରମାଗତ ଅବହେଳା ପ୍ରତିବାଦରେ କଂଗ୍ରେସ ତରଫରୁ ଗଣ ଗର୍ଜନ ନିଷ୍ପତ୍ତି ନିଆଯାଇଛି । ଆଜି ଏହି ସଂକ୍ରାନ୍ତରେ ଅନୁଷ୍ଠିତ ଆଜିର ବୈଠକରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବ୍ଲକ ସଭାପତି ଚିତ୍ରସେନ ପରିଡା, ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ରାଜନ ଥାଟୋଇ, କମଳାକାନ୍ତ ବେହେରା, ଦିଲ୍ଲୀପ ରାଉତ, ନିରଞ୍ଜନ ସାହୁ, ଅରମାନ ବାବୁ, ଲକ୍ଷ୍ମୀଧର ପଲାଇ, ଅନନ୍ତ ଚରଣ ସ୍ୱାଇଁ, ଉମାଶଙ୍କର ଜେନା, ଅଜିତ ସୁଆର, ଦୀପକ ଭଦ୍ର, ରତିକାନ୍ତ ସାମଲ, ଅଜୟ ପ୍ରଧାନ, ସଞ୍ଜୀବ ବିଶ୍ୱାଳ, ସାର୍ଥକ ମହାପାତ୍ର, ତୋଫାନ ମହାନ୍ତି, କ୍ଷମାନିଧି ସାମଲ, ବସନ୍ତ ମଲ୍ଲିକ, କଳ୍ପତରୁ ଦାସ, ବିଶ୍ୱ କଲ୍ୟାଣ ଜେନା,ଅଜିତ ସୁଆ ସୁଆର, ନିରଞ୍ଜନ ସାହୁ, ସମ୍ଭୁନାଥ ମଲ୍ଲିକ, ଜ୍ଞାନ ରଞ୍ଜନ ସାହୁ, ପ୍ରଶାନ୍ତ ବିଶ୍ୱାଳ, ପ୍ରଶାନ୍ତ ସେଠୀ, ଅଭୟ ଦାସ, ବିଭୂତି ଭୂଷଣ ଦାସ, ନାରାୟଣ ଚନ୍ଦ୍ର ପରିଡା ଓ ରଞ୍ଜିତ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇ ଗଣ ଗର୍ଜନ ସମାବେଶ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading