ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଓ ‘ଉତ୍ସାହ’


ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ଓ ‘ଉତ୍ସାହ’- ୨୦୨୩ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପଲ୍ଲିଶ୍ରୀ ମହିଳା ସମିତି ଓ ରେସ୍ୱା ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ‘ଉତ୍ସାହ’କାର୍ଯ୍ୟକ୍ରମରେ ୧୦୦ମିଟର ଓ ୨୦୦ମିଟର ଦୌଡ଼, ଉଚ୍ଚ ଓ ଲମ୍ବ ଡିଆଁ, କ୍ୟାରମ୍ ଓ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ‘ମହକ’ କାର୍ଯ୍ୟକ୍ରମରେ ତର୍କ, ସଙ୍ଗୀତ, ସାଧାରଣଜ୍ଞାନ, ଚିତ୍ରାଙ୍କନ ଓ ଗ୍ରୁପ୍ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଭାଧାରୀ ଶିଶୁମାନେ ଆସନ୍ତା ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା କଲ୍ୟାଣ ଅଧିକାରୀ ଗୁରୁ ଚରଣ ମଲ୍ଲିକ, ଶିଶୁ ମଙ୍ଗଳ ସମିତିିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର ଏବଂ ସଦସ୍ୟମାନେ ଯୋଗ ଦେଇ ଶିଶୁମାନଙ୍କ ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ସହଯୋଗ କାମନା କରିଥିଲେ । ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତା, ପଲ୍ଲିଶ୍ରୀ ମହିଳା ସମିତିର ପରିଚାଳକ ଶ୍ରୀକାନ୍ତ ନାୟକ ଓ କର୍ମକର୍ତ୍ତା, ରେସ୍ୱାର ପରିଚାଳିକା ମିନତୀ ମହାରଣା ଓ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସହଯୋଗ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading