ଧର୍ମଶାଳା ୨୨/୧୦: ଚଳିତ ବିଶ୍ୱକପ୍ରେ ଦୁଇ ଅପରାଜେୟ ଦଳ ଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ମୁକାବିଲାରେ ଭାରତର ଜିତାପଟ ହୋଇଛି । ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ନ୍ୟୁଜିଲ୍ୟାଣ୍ଡକୁ ରବିବାର ଖେଳାଯାଇଥିବା ମୁକାବିଲାରେ ପରାଜିତ କରି ଟିମ୍ଇଣ୍ଡିଆ ଚଳିତ ବିଶ୍ୱକପ୍ରେ ବିଜୟ ଧାରା ଜାରି ରଖିଛି । ।ଜି ମ୍ୟାଚରେ ଟିମ୍ଇଣ୍ଡଆ ୪ ୱିକେଟ୍ରେ ବିଜୟୀ ହୋଇଛି । ଟିମ୍ଇଣ୍ଡିଆର ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ରନ୍ମେସିନ୍ ବିରାଟ କୋହଲି । ଦୁର୍ଭାଗ୍ୟବଶତଃ ବିରାଟ ଶତକ ପୂରଣ କରିପାରିନଥିଲେ ମଧ୍ୟ ଦଳକୁ ବିଜୟଦ୍ୱାର ନିକଟରେ ପହଁଚାଇଥିଲେ । ବିରାଟ ୧୦୪ ଟି ବଲ୍ର ସମ୍ମୁଖୀନ ହୋଇ ୯୫ ସ୍କୋରରେ ହେନ୍ରୀଙ୍କ ବୋଲିଂରେ କ୍ୟାଚ୍ ଆଉଟ୍ ହୋଇଥିଲେ । ବିରାଟଙ୍କ ବ୍ୟତୀତ ହିଟ୍ମ୍ୟାନ୍ ରୋହିତ ୪୬, ଶୁଭମନ୍ ଗିଲ୍ ୨୬, ଶ୍ରେୟାସ ଆୟାର ୩୩, ଲୋକେଶ ରାହୁଲ ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଚଳିତ ବିଶ୍ୱକପ୍ରେ ପ୍ରଥମଥର ସୁଯୋଗ ପାଇଥିବା ସୂର୍ଯ୍ୟକୁମାର ଯାଦବ ୨ ରନ୍ କରି ରନ୍ ଆଉଟ୍ ହୋଇଥିଲେ । ରବୀନ୍ଦ୍ର ଜାଡେଜା ଅପରାଜିତ ୩୯ ରନ୍ର ପାଳି ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଫର୍ଗୁସନ୍ ସଫଳ ବୋଲର ସାବ୍ୟସ୍ତ ହୋଇ ୨ଟି ସଫଳତା ପାଇଥିଲେ । ବୋଲ୍ଡ, ହେନ୍ରୀ ଓ ସାଂଟନରଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା । ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଡାରିଲ୍ ମିଚେଲ୍ଙ୍କ ଶତକ ଓ ରଚିନ ରବୀନ୍ଦ୍ରଙ୍କ ଅର୍ଦ୍ଧଶତକ ବଳରେ ୨୭୩ ସ୍କୋରରେ ଶେଷ ବଲରେ ଅଲଆଉଟ୍ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ୍ ୧୩୦ ରନର ଦମଦାର ଇନିଂସ ଖେଳିଛନ୍ତି । ରଚିନ ରବୀନ୍ଦ୍ର ୭୫ ରନର ଉଲ୍ଲେଖନୀୟଯାଗଦାନ ଦେଇଛନ୍ତି । ଭାରତ ପକ୍ଷରୁ ସଫଳ ବୋଲର ଭାବେ ଶାମି ୫ଟି ୱିକେଟ୍ ନେଇ ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ରେ ଚମକିଛନ୍ତି । ଶାମିଙ୍କ ଘାତକ ବୋଲିଂ ଯୋଗୁଁ ଶେଷ ୧୦ ଓଭରରେ ମାତ୍ର ୫୪ ରନ କରି ନ୍ୟୁଜିଲାଣ୍ଡ ବଡ଼ ସ୍କୋର କରିବାରେ ବିଫଳ ହୋଇଛି । ଭାରତ ପକ୍ଷରୁ ମହମ୍ମଦ ଶାମି ସଫଳ ବୋଲର ଭାବେ ୧୦ ଓଭରରେ ୫୪ ରନ ଦେଇ ୫ଟି ୱିକେଟ୍ ସଫଳତା ହାସଲ କରିଛନ୍ତି । ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ପ୍ରତ୍ୟେକ ୧୦ ଓଭର କରି ୪୫-୪୫ ରନ ଦେଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।