କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା: ପୈାର ଟାଉନହଲ ପରିସରରେ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ତୃତୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶ୍‌ୃଙ୍ଖଳାର ସହିତ ସମାପନ କରିବାକୁ ଉପସ୍ଥିତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ଆସନ୍ତା ମେଲଣ ଓ ଭଷାଣୀ ଉତ୍ସବରେ ଯୋଗଦେଇଥିବା ବିଭିନ୍ନ ପୂଜା କମିଟିର ମେଢ ଗୁଡିକ ମେଲଣରୁ ବାହାରିବା ପାଇଁ ସମୟ ନିର୍ଘଣ୍ଟ ସ୍ଥିରିକୃତ ହୋଇଥିଲା । ଏହି ବୈଠକରେ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ସେମାନଙ୍କ ମତାମତ ରଖିଥିଲେ । ପୂଜା କମିଟିର କର୍ମକର୍ତ୍ତାମାନେ ମେଲଣ ଓ ଭଷାଣୀ ଉତ୍ସବକୁ ୪ଦିନ ଧରି କରାଯିବାକୁ ଏବଂ ସେହି ଦୁଇଟି ଉତ୍ସବରେ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଇକ ବଜାଇବାକୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ ପାଇଁ ନିବେଦନ କରିଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏଥିନିମନ୍ତେ ଜିଲ୍ଲାପାଳଙ୍କୁ ଆବେଦନ କରିବାକୁ ପୂଜା କମିଟି ଗୁଡିକୁ ପରାମର୍ଶ ଦେଇଥିଲେ । ଶେଷରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 ଗଜଲକ୍ଷ୍ମୀ ପୂଜା ପାଇଁ ଟ୍ରାଫିକ୍ ନିୟମ କଡାକଡି ହେବ

 ଆସନ୍ତା ୨୮ତାରିଖରୁ ନଭେମ୍ବରମାସ ୫ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଉତ୍ସବ କେନ୍ଦ୍ରାପଡା ସହରରେ ପାଳନ କରାଯିବ । ଏହି ପର୍ବକୁ ପ୍ରତିଦିନ ଦେଖିବା ପାଇଁ କେନ୍ଦ୍ରାପଡା ଟାଉନ ତଥା ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ସହରରେ ପହଞ୍ଚି ଏକତ୍ରିତ ହେବେ । ଏଥିନିମନ୍ତେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି । ଜନତା ଓ ହାଲୁକା ଯାନଗୁଡିକର ସୁଗମ ଯାତାୟତ ପାଇଁ କେନ୍ଦ୍ରାପଡା ସହରରେ ଟ୍ରାଫିକ୍ ନିୟମାବଳୀକୁ କଡାକଡି କରାଯାଇଛି । ସେହି ଅନୁଯାୟୀ ଗରାପୁରରୁ ସହର ମଧ୍ୟକୁ, ତିନିମୁହାଣୀଠାରୁ ଶ୍ୟାମସୁନ୍ଦରପୁରଗଡା ଏବଂ ଗୋପ ପାଶ୍ୱର୍ରୁ କୌଣସି ଭାରୀ ଯାନ ସହରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଦୁଇ ଚକିଆ ଯାନ, ରିକ୍ସା, ଟେମ୍ପୋ ଭଳି ହାଲୁକା ଯାନଗୁଡିକ ତିନିମୁହାଣୀରେ ସହର ମଧ୍ୟକୁ ପ୍ରବେଷ ପାଇଁ ଅନୁମତି ଦିଆଯିବ ଏବଂ ଗୋବରୀ ରିଙ୍ଗ ରୋଡ୍ ଦେଇ ନୂଆ ବସ୍‌ଷ୍ଟାଣ୍ଡ, ଭାସ୍କର ଟକିଜ୍ ରୋଡ୍‌, କେନ୍ଦ୍ରାପଡା ହାଇସ୍କୁଲ ଛକ, ମେଡିକାଲ ଛକ, ସାନ୍ତସାହି ଛକ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ଦିଆଯିବ । ସାନ୍ତସାହି କେନାଲ ବ୍ରିଜ୍ ଓ କେଶପୁର ବଜାର ଦେଇ ଇଚ୍ଛାପୁରକୁ ରାସ୍ତାରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଇଚ୍ଛାପୁର ପାଶ୍ୱର୍ରୁ ଆସୁଥିବା ହାଲୁକା ଯାନଗୁଡିକ କେଶପୁର, ନସଡିପୁର, ମୀରପାଟଣା, କାକଟ ରାସ୍ତା ଏବଂ ଶ୍ୟାମସୁନ୍ଦରପୁର ଗଡାକୁ ଯାଇପାରିବ । ମେଢ ଗୁଡିକର ଭଷାଣୀ ସମୟରେ କେନ୍ଦ୍ରାପଡା ସହର ଭିତରେ କୌଣସି ପ୍ରକାର ଯାନକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ତେଣୁ ଟ୍ରାଫିକ ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ବସ୍‌, ଅଟୋ ରିକ୍ସା ଓ ଟେମ୍ପୋ ଗୁଡିକର ଡ୍ରାଇଭର ଏବଂ ହେଲ୍‌ପରମାନଙ୍କ ସମେତ ଜନସାଧାରଣଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading