କେନ୍ଦ୍ରାପଡା :କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ଓ ଜୀବିକା ହରାଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେଥିନେଇ ସରକାରଙ୍କ ପକ୍ଷରୁ ବହୁମୁଖୀ ଯୋଜନା ପ୍ରସ୍ତୁତ କରିଯାଇ ଜନ ସାଧାରଣଙ୍କୁ ସହଯୋଗର ହାତ ବଢାଇଥିଲେ । କରୋନା ଲକଡାଉନ-ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାରୁ ରାଜ୍ୟ ସରକାର ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଘୋଷଣା କରିଥିଲେ । ଏହି କ୍ରମରେ ପଟ୍ଟାମୁଣ୍ଡାଇ ପୌରାଂଚଳର ଗଳିକନ୍ଦିରେ ଉଠା ଦୋକାନୀ ଥିଲେ ହେଁ କାଁ ଭାଁ ଉଠା ଦୋକାନୀଙ୍କୁ ପୌରପରିଷଦ ରାଜ୍ୟ ସରକାରଙ୍କ ସହାୟତା ଦେଇ କିଛି ଅସାଧୁ ସରକାରୀ ବାବୁ ବିପତିର ସୁଯୋଗ ନେଇ ସରକାରୀ ଅର୍ଥ ବାଟମାରଣା କରି ଆସିଥିବା ଆରଟିଆଇ ତଥ୍ୟରୁ ଜଣାପଡିଥିବା ଅଭିଯୋଗ ହୋଇଛି ।
କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ବଜାର ଭିତରେ ଅଧିକାଂଶ ସ୍ଥାୟୀ ଦୋକାନ ଥିବା ବେଳେ କେତୋଟି ହାତ ଗଣତି ଉଠା ଦୋକାନ ଏହି ବଜାର ଭିତରେ ଦେଖିବାକୁ ମିଳିଥାଏ । କରୋନା ମହାମାରୀ ସମୟରେ ରାସ୍ତାପାଶ୍ୱର୍ ବ୍ୟବସାୟୀମାନଙ୍କୁ ସହାୟତା ପାଇଁ ସରକାର ଆଗଭର ହୋଇଥିବାବେଳେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସେମାନଙ୍କର ତାଲିକା ପ୍ରସ୍ତୁତ ହୋଇଥିଲା ।ପଟ୍ଟାମୁଣ୍ଡାଇ ପୌରାଂଚରେ ସମୁଦାୟ ୫୨୦ ଉଠାଦୋକାନ ଚିହ୍ନଟ କରି ସେମାନଙ୍କୁ ୪୬ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ସୁଚନାଅଧିକାର ତଥ୍ୟରୁ ଜଣାପଡିଛି ।
ପଟ୍ଟାମୁଣ୍ଡାଇ ପୌରପରିଷଦରୁ ହସ୍ତଗତ ହୋଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଥିଲା ଯେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ୫୨୦ ଜଣ ରାସ୍ତାକଡରେ ଉଠା ଦୋକାନ ଅଛି । ସେହି ବ୍ୟବସାୟୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କରୋନା ସହାୟତା ୯ ହଜାର ଲେଖଏଁ ପ୍ରଦାନ କରାଯାଇଛି ବୋଲି ତଥ୍ୟରେ ଦର୍ଶାହୋଇଛି । ସେହିପରି ଉଠା ଦୋକାନୀ ଥଇଥାନ ତଥ୍ୟରେ ୧୪୭ ଜଣଙ୍କୁ ଦର୍ଶା ଯାଇଥିବା ବେଳେ ୧୦୩ ଜଣ ଉଠା ଦୋକାନଙ୍କୁ ଥଇଥାନ କରାଯାଇଛି ଆଉ ୪୪ ଜଣଙ୍କୁ ଥଇଥାନ କରାଯିବ ବୋଲି ତଥ୍ୟରେ ଉଲେଖ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ମହାମାରୀ କରୋନା ସମୟରେ ୫୨୦ ଜଣ ଉଠା ଦୋକାନୀକୁ ୯ ହଜାରେ ଲେଖାଏଁ ୪୬ ଲକ୍ଷ ୮୦ ହଜାର ପ୍ରଦାନ କରାଯାଇଛି । ତେବେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ସମୁଦାୟ ୧୪୭ଟି ଉଠା ଦୋକାନୀ ଥିବା ବେଳେ ୩୭୩ ଉଠା ଦୋକାନୀ କେଉଁଠୁ ଆସି ୯ ହଜାର ଟଙ୍କା ଲେଖାଏଁ କୋଭିଡ୍ ସହାୟତା ନେଲେ ବୋଲି ସାଧାରଣରେ ପ୍ରଶ୍ନବାଚ୍ଚି ସୃଷ୍ଠିକରିଛି ।
ଉଠା ଦୋକାନୀ ହିତାଧିକାରୀ ମନୋଜକାନ୍ତ ପଣ୍ଡା, ଗୁରୁ ଚରଣ ରାଉତ, ରାମ ଚନ୍ଦ୍ର ସାହୁ, ଭୋଳାନାଥ ବାରିକ ପ୍ରମୁଖଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି କୋଭିଡ ସମୟରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସମସ୍ତ କାଗଜ ପତ୍ର ଦାଖଲ କଲା ପରେ ଆମକୁ ୨ ଟା କିସ୍ତିରେ ୬୦୦୦ ଟଙ୍କା ଲେଖାଏଁ ବ୍ୟାଙ୍କ ଖାତାରେ ଦେଇଛନ୍ତି । ୯ ହାଜାର ଟଙ୍କା ଆମକୁ ଦିଆ ହୋଇନାହିଁ ବୋଲି ସେମାନେ କହିଥିଲେ ।
ସେହିପରି ଯଦୁନାଥ ପଲେଇ,ବିକ୍ରମାନନ୍ଦ ସାମଲ କହିଛନ୍ତି ଆମ ନାମରେ ଘର ଆଲାଟ ହୋଇଛି ଆମେ କୋଭିଡ୍ ସମୟରେ ଏହି ତାଲିକାରେ ଥାଇ ମଧ୍ୟ ଆମକୁ କୌଣସି ସହାୟତା ମିଳି ନାହିଁ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଯଦି ୫୨୦ ଜଣଙ୍କୁ ଯୋଗାଯୋଗ କାରାଯାଏ ତାହାହେଲେ ପୌରପରିଷଦ କେତେ ସହାୟତା ପ୍ରଦାନ କରିଛନ୍ତି ନା ହରିଲୁଟ କରିଛନ୍ତି ତାହା ଜଣାପଡିବ ବୋଲି ଆଇନଜୀବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ ପ୍ରବୀର ନାୟକ, ଶ୍ରୀକାନ୍ତ ବଳ, ପ୍ରଫୁଲ୍ଲ ଦାସ, ଦେବାଶୀଷ ପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି । ଏବାବଦରେ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ଯୋଗାଯୋଗ କରିବାରେ ଏ ବାବଦରେ ମୁ ଅଜ୍ଞଅଛି କାଗଜ ପତ୍ର ଯାଂଚ ପରେ ଜଣାପଡିବ ।