ଜନ୍ମ ମାଟିରେ ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ଶ୍ରାଦ୍ଧୋତ୍ସବ


କେନ୍ଦ୍ରାପଡା – ଅପରାହ୍ନରେ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ କିମ୍ବଦନ୍ତୀ ଗାୟକ ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ତ୍ରୟୋଦଶ ଶ୍ରାଦ୍ଧୋତ୍ସବ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ପୂର୍ବକ ଭଜନ ସମ୍ରାଟ୍‌ଙ୍କ କାଳଜୟୀ ଭଜନ ଏବଂ ସଂଗୀତମୟ ଜୀବନଚର୍ଯ୍ୟା ସଂପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡାର ସୋବଳା ଗ୍ରାମରେ ଜନ୍ମ ଲାଭ କରି ଭଗବାନ ମହାପୁରୁଷଙ୍କ ମଠରେ ସଙ୍ଗୀତ ଗାୟନ ଆରମ୍ଭ କରି ନିଜର ପ୍ରଚଣ୍ଡ ପ୍ରତିଭା ଏବଂ ନିରବଚ୍ଛିନ୍ନ ସାଧନା ବଳରେ କିପରି ଭଜନ ସମ୍ରାଟ୍ ହୋଇପାରିଥିଲେ ସେ ସଂପର୍କରେ କଣ୍ଠଶିଳ୍ପୀ ବିମଳ ପରିଡା ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭଜନ ସମ୍ରଟ୍ ଙ୍କ ଅନ୍ୟତମ ପଟ୍ଟଶିଷ୍ୟ ସ୍ୱରତୀର୍ଥର ପ୍ରତିଷ୍ଠାତା ତଥା ସଂଗୀତ ଗୁରୁ ରବୀନ୍ଦ୍ରନାଥ ମିଶ୍ର ଯୋଗଦେଇ ସ୍ମୃତି ଚାରଣ କରିବା ସହିତ ଭିକାରୀ ବଳଙ୍କ କେତେକ ଜନପ୍ରିୟ ଭଜନ ଗାଇଥିଲେ । ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଂଜନ ପରିଡା ମୁଖ୍ୟ ବକ୍ତା ଏବଂ ଉପସଭାପତି ହରିଶ୍ଚନ୍ଦ୍ର ଜେନା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାରୋ ଗ୍ରାମର ଜ୍ୱାଇଁ ବିକାରୀ ବଳଙ୍କ ଓଡିଆ ଭକ୍ତି ସଂଗୀତ ପ୍ରତି ଥିବା ବଳିଷ୍ଠ ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ରଂଜନ ବରାଳ, ଉପେନ୍ଦ୍ର ପାଢୀ, ସୁଶୀଲ୍ ସୂତାର ପ୍ରମୁଖ ଶିଳ୍ପୀମାନେ ଭଜନ ସମ୍ରାଟ୍‌ଙ୍କ କେତେକ ଭଜନ ଗାଇଥିଲେ । କଳାକାର ମାନଙ୍କ କଣ୍ଠରେ ଜଗନ୍ନାଥ ହୋ, କୋଠ ଭୋଗଖିଆ, ହାତରେ ମୋ ମୁଠା ମୁଠା ଶରଧାବାଲି, ମନ ପାରା, କାଳିଆ ସାଆନ୍ତେ ହୋ ଆଦି ଗୀତ ଗୁଡିକୁ ଶ୍ରୋତାମାନେ ବେଶ୍ ଉପଭୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଭାବଗ୍ରାହୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଧୀରାମଣି ପରିଡା, ନିର୍ଦ୍ଦେଶକ ଇଂ ବିଶ୍ୱଜିତ ପରିଡା, ସୁଶ୍ରୀ ସଂଗୀତା ଜେନା, ରଶ୍ମୀରଂଜନ ଖୁଂଟିଆ, କୈଳାସ ପରିଡା, ଗ୍ରାମ୍ୟ ଉନ୍ନୟନ ସାଂସ୍କୃତିକ ଯୁବ ସଂଗଠନର ସଂପାଦକ ଚିତରଂଜନ ପ୍ରଧାନ, ଅଜୟ ଜେନା, ସୌଭାଗିନୀ ମହାପାତ୍ର ,ସୁରେନ୍ଦ୍ର ରାଉତ୍‌, ମାଗୁଣି ସାହୁ, ସଂଗୀତ ଗୁରୁ ପ୍ରମୋଦ ଦାସ, ତବଲା ଗୁରୁ ସମୀରଂଜନ ଦାସ, ତବଲା ଛାତ୍ର ସ୍ୱର୍ଣକାନ୍ତ ପରିଡା,ଉମେଶ କୁମାର,ପ୍ରମୁଖ ଉପସ୍ଥିତ ଥିଲେ । ରୂପାଲି ସୂତାର, ଅର୍ଚ୍ଚନା ପରିଡା ଏବଂ ରାଜଲକ୍ଷ୍ମୀ ପରିଡା ଗୀତିକାର ବିମଳ ପରିଡାଙ୍କ ରଚନା ଓ ନିର୍ଦ୍ଦେଶନାରେଶ୍ରଦ୍ଧାଞଳି ସଂଗୀତ ଗାଇଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading