
ପଟ୍ଟାମୁଣ୍ଡାଇ ୩.୭-ପ୍ରତ୍ୟେକ ଯୋଗ୍ୟ ଲୋକଙ୍କୁ ଛାତ ଘର ଯୋଗାଇ ଦିଆଯିବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସଯୋଜନା କାର୍ଯ୍ୟାଦେଶ ବଣ୍ଟନ ଓ ମୋ ଘର ଯୋଜନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାଜନଗର ବିଧାୟକ ଶ୍ରୀସାହୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨୦୧୧ ଜନଗଣନା ଅନୁଯାୟୀ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ୧୬ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ସମାନ ଅଂଶଧନ ଥିଲେ ମଧ୍ୟ କେନ୍ଦ୍ର ସରକାର ଓଡିଶାକୁ ମାତ୍ର ୯ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମଂଜୁର କରିଛନ୍ତି । ଯାହାଫଳରେ ୭ଲକ୍ଷ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ପ୍ରତ୍ୟେକ ଗରିବ ଲୋକଙ୍କୁ ଛାତ ଘର ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋ ଘର ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ୩୦ହଜାରରୁ ୬୦ ପର୍ଯ୍ୟନ୍ତ ସବସିଡ ବ୍ୟବସ୍ଥା ରହିଛି । ପ୍ରଥମ ବର୍ଷ ଛାଡି ବାକି ୯ବର୍ଷ ପର୍ଯ୍ୟନ୍ତ ସ୍ୱଳ୍ପ ସୁଧରେ ଋଣ କିସ୍ତି ପରିଶୋଧର ବ୍ୟବସ୍ଥା ରହିଛି । ଏଥିରେ ବିଭିନ୍ନ ବର୍ଗର ଲୋକମାନେ ଘର ତିଆରି, ମରାମତି ଓ ସମ୍ପ୍ରସାରଣ କରିପାରିବେ ବୋଲି ବିଧାୟକ ପ୍ରକାଶ କରିବା ସହିତ ଏଥିରେ କୌଣସି ଅଧିକାରୀ ଓ ବ୍ୟକ୍ତିବିଶେଷ ଘର ଦବା ନାଁ ରେ ଅର୍ଥ ଆଦାୟ କଲେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକରେ ୨୦୧୧ ଜନଗଣନା ଅନୁଯାୟୀ ୨୧୦୮ ହିତାଧିକାରୀଙ୍କ ମଧ୍ୟରୁ ୨୦୨୯ ହିତାଧିକାରୀଙ୍କ କାର୍ଯ୍ୟାଦେଶ ମଂଜୁର କରାଯାଇଛି ଓ ବାକି ୧୧୮ଜଣଙ୍କ ନାଁ ୱେଟିଙ୍ଗ ତାଲିକାରେ ରହିଛି ବୋଲି ବିଧାୟକ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆବାସ ଓ ମୋ ଘର ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ବ୍ଲକ ଓ ପଂଚାୟତ କାର୍ଯ୍ୟାଳୟରେ ମାରିବା ପାଇଁ ନିର୍ଦେଶ ଦେବା ସହିତ ନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରି ଆବାସ ଯୋଜନା ଓ ମୋ ଘର ଯୋଜନାକୁ ସଫଳ ରୂପାୟନ କରି ଗରିବ ଲୋକ ମୁହଁରେ ହସ ଫୁଟାଇବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ,ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଆବାସ ଯୋଜନା ଓ ମୋ ଘର ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଶେଷରେ ଅନିଲ କୁମାର ତରାଇ ଧନ୍ୟବାଦ ଦେଇଥିଲେ । ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତର ୭୨ ହିତାଧିକାରୀଙ୍କୁ ବିଧାୟକ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।











