
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିରି ଅମାର କୁହାଯାଉଥିବା ଧୋୟାଂଚଳର ୭ଟି ପଂଚାୟତରେ ବ୍ୟାପକ ଭାବେ ବିରି ଫସଲ ହୋଇଥିବା ବେଳେ ଏବେ କାଳିମୁଣ୍ଡି ପୋକଙ୍କ ପ୍ରାଦୃଭାବ ଦେଖିବାକୁ ମିଳିଛି । କାଳିମୁଣ୍ଡି ପୋକ ଦେଖି ଧୋୟାଂଚଳର ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ଦଶହରା ପାଖାପାଖି ସମୟରେ ବିରି ବୁଣା କାର୍ଯ୍ୟ ସାରିଥାଏ । ମାତ୍ର ଚଳିତ ବର୍ଷ ଦଶହରା (ଦୋ ମାସି) ପାଇଁ ୧୫ଦିନ ବିଳମ୍ବରେ ହୋଇ ଥିବାରୁ ଚାଷୀ ଅକଟୋବର ପ୍ରଥମ ସପ୍ତାହରେ ବିରି ବୁଣାବୁଣୀ ଆରମ୍ଭ କରି ଦେଇ ଥିଲେ । ବିରି ଗଛ ୮ରୁ ୧୦ ପତରର ହୋଇଥିବାବେଳେ କାଳିମୁଣ୍ଡି ପୋକ ଆକ୍ରମଣ ଚାଷୀମାନଙ୍କୁ ବିବ୍ରତ କରିଦେଇଛି । ରାତିକ ମଧ୍ୟରେ ଏକର ଏକର ବିଲ ନଣ୍ଡା କରିଦେଉଛନ୍ତି । ଚଳିତବର୍ଷ ବନ୍ୟାରେ ଧୋୟାଂଚଳରେ ପନିପରିବା ଫସଲ ଉଜୁଡି ଯାଇଥିଲା । ବନ୍ୟା ପ୍ରକୋପ କମିଲା ପରେ ଅର୍ଥକରୀ ବିରି ଫସଲ ଉପରେ ଚାଷୀମାନେ ଭରସା ରଖିଥିଲେ । ବନ୍ୟାରେ ସର୍ବସ୍ୱ ହରାଇଥିବା ଧୋୟାଂଚଳ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ବିରି ଫସଲକୁ ପୋକ ଦାଉରୁ ରକ୍ଷା କରିବାକୁ ଚାଷୀଙ୍କ ନିକଟରେ ସମ୍ବଳ ନାହିଁ । କୃଷି ବିଭାଗ ଏ ସମ୍ପର୍କରେ ଜାଣି କୌଣସି ପଦକ୍ଷେପ ନେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କୃଷି ବିଭାଗ ପକ୍ଷରୁ ତୁରନ୍ତ କୀଟନାଶକ ଔଷଧ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।
ପଟ୍ଟାମୁଣ୍ଡାଇ ଧୋୟାଂଚଳର ଅଣ୍ଢରା, ଅଳପୁଆ, ଦାଣ୍ଡିସାହି, ସିଂହଗାଁ, କୃଷ୍ଣଦାସପୁର, କୋଳଥିଆ, ପେଣ୍ଠପାଳ, ତରଡିପାଳ, ତୁଳସିଡିଆ, ଅମୃତମଣୋହି, ବଲୁରିଆ, ସିଦ୍ଧବାଲି, ତରାଇପାଟଣା ଆଦି ଗାଁରେ ଥିବା ଚାଷଜମି ବିରି ଫସଲରେ ସର୍ବାଧିକ କାଳିମୁଣ୍ଡି ପୋକଙ୍କ ଦେଖିବାକୁ ମିଳିଛି । ବହୁ ଆଶା ଭରସା ନେଇ ଧୋୟାଂଚଳର ଚାଷୀମାନେ ବିଭିନ୍ନ ସମବାୟ ସମିତିରୁ ଋଣ ନେବା ସହିତ ଘରୋଇ ସୂତ୍ରରୁ ଧାର କରଜ କରି ବିରି ଫସଲ କରିଥିଲେ । ଏପରିକି ବେଣା-ଖରୀ ଜଙ୍ଗଲକୁ ସଫା କରି ଚାଷୀମାନେ ବିରି ଚାଷ କରି ବର୍ଷକର ଦାନା ସଂଗ୍ରହ ଆଶା ରଖିଥିଲେ । କାଳିମୁଣ୍ଡି ପୋକ ଆକ୍ରମଣରେ ବିରି ଫସଲ ନଷ୍ଟ ହେବା ଦେଖି ଚାଷୀମାନେ ସଂପୂର୍ଣ୍ଣ ଭାଙ୍ଗି ପଡିବା ସହିତ ମୁଣ୍ଡରେ ହାତଦେଇ ବସିଛନ୍ତି । ଏଭଳି ଗମ୍ଭୀର ପରିସ୍ଥିତିରେ କୃଷି ବିଭାଗ ନିଦାବିଷ୍ଣୁ ସାଜିଛି । କୃଷି ବିଭାଗର କୌଣସି ଅଧିକାରୀ ଅଦ୍ୟାବଧି ଚାଷୀମାନଙ୍କ ପାଖରେ ପହଂଚି ଏଭଳି ସଂକଟରୁ ଉଦ୍ଧାର ପାଇଁ କୌଣସି ପରାମର୍ଶ ନଦେବା ଚାଷୀମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଓଡିଶା ସରକାରଙ୍କ କୃଷି ବିଭାଗ ରବି ଫସଲ,ବିରି, ମୁଗ, କୋଳଥ, ଚିନାବାଦାମ, ସୋରିଷ ଫସଲକୁ ଶସ୍ୟବୀମାଭୁକ୍ତ କରିବାକୁ ଉଦ୍ୟମ କରିଆସୁଥିଲେ ମଧ୍ୟ ଅଦ୍ୟାବଧି ତାର ସୁଫଳ ଚାଷୀ ମାନେ ପାଇପାରିନାହିଁ । କାଳିମୁଣ୍ଡି ପୋକମାନେ ସାଧାରଣତ ରାତିରେ ଫସଲ ଖାଉଥିବାରୁ, ଚାଷୀମାନେ ସନ୍ଧ୍ୟା ପରେ କୀଟ ନାଶକ ସିଛନ କରୁଥିବାର ଦେଖିବାକୁ ମିଳୁଛି । ତେବେ ଅଭିଜ୍ଞ ଚାଷୀମାନଙ୍କ ମତାମତରୁ ଜଣାଯାଇଛି ଯେ ଜଣେ ଜଣେ ଚାଷୀ କୀଟନାଶକ ସିଛନକଲେ କାଳିମୁଣ୍ଡି ପୋକ ମାନଙ୍କୁ ରୋକାଯାଇପାରିବ ନାହିଁ । କାରଣ, କୀଟନାଶକ ସିଛନ ହୋଇନଥିବା ବିଲରୁ କାଳିମୁଣ୍ଡି ପୋକ ଉଡି ଆସି ପୁଣି ବିରି ଫସଲରେ ମାଡିବାର ସମ୍ଭାବନା ରହିଛି । ରାଜ୍ୟ ସରକାର କାଳିମୁଣ୍ଡି ପୋକ ଯୋଗୁଁ ବିରି ଫସଲ ହାନୀ ରୋକିବା ସହିତ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅବିଳମ୍ବେ କୃଷି ବିଭାଗ ଅଧିକାରୀଙ୍କୁ କାଳିମୁଣ୍ଡି ପୋକ ଉପଦ୍ରବ ଅଂଚଳକୁ ପଠାଇ ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ କୃଷକନେତା ତଥା ଅଣ୍ଢରା ସମବାୟ ସମିତି ପ୍ରାକ୍ତନ ସଭାପତି ଚିତରଞ୍ଜନ ମଲ୍ଲିକ, କୃଷକ ରଂଜିତ ମଲ୍ଲିକ, ଉଲ୍ଲାସ ମଲ୍ଲିକ, ଅଲେଖ ମଲ୍ଲିକ, ପାର୍ଥ ସାରଥୀ ଦାସ, ମୁରଲୀ ପ୍ରଧାନ, ଗଣେଶ ଚନ୍ଦ୍ର ରାଉତ, ସତ୍ୟାନନ୍ଦ ବିଶ୍ୱାଳ, ଅଭୟ ବାରିକ, ରଂଜିତ କୁମାର ନାୟକ, କିଶୋର ଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ଦାସ ଓ ତ୍ରିଲୋଚନ ସେଠୀ ପ୍ରମୁଖ ଦୃଢ ଦାବି କରିଛନ୍ତି ।










