ପାରିବାରିକ ଗଣ୍ଡଗୋଳ ଯୋଗୁଁ ଶଶୁର ଘରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ଜ୍ୱାଇଁର ମୃତ୍ୟୁ ଘଟିବା ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।
ଅଭିଯୋଗ ଅନୁଯାଇ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଘୁଆ କେଶପୁର ଗ୍ରାମର କେଶବ ମଲିଜଙ୍କ ପୁଅ ଶତ୍ରୁଘ୍ନଙ୍କର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ସୁରେଶ ମଲିକଙ୍କ ଝିଅ କଳ୍ପନା ସହିତ ଗତ ଜୁନ ମାସରେ ବିଭାହ କରିଥିଲେ । ତେବେ ବିବାହର ମାତ୍ର ଦୁଇ ମାସ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା । ମିଳାମିଶା ଓ ସମାଧାନ ସତ୍ୱେ ପରିସ୍ଥିତିରେ କୌଣସି ପରିବର୍ତନ ହୋଇନଥିଲା । ଏନେଇ ଶତ୍ରୁଘ୍ନଙ୍କ ପରିବାର ଚଉଦକୁଲାଟ ଫାଣ୍ଡିର ଦ୍ୱାରସ୍ତ ହୋଇଥିଲେ । ତେବେ ପୋଲିସ ଉପସ୍ଥିତିରେ ପାରିବାରିକ ଗଣ୍ଡଗୋଳର ସମାଧାନ ପରେ ଅଗଷ୍ଟ ୧୦ ତାରିଖ ଦିନ କଳ୍ପନା ୮ଦିନ ପାଇଁ ବାପ ଘର ଶ୍ରୀରାମପୁର ଚାଲିଯାଇଥିଲେ । ଗତ ୧ ତାରିଖରେ ଶତ୍ରୁଘ୍ନ ସ୍ତ୍ରୀ କଳ୍ପନାଙ୍କୁ ଆଣିବା ପାଇଁ ନିଜ ଅଟୋ ନେଇ ଶଶୁର ଘର ଶ୍ରୀରାମପୁରରେ ଯାଇଥିଲେ । ଶ୍ରୀରାମପୁର ଗାଁର ଜନୈକ ବ୍ୟକ୍ତି ଶତ୍ରୁଘ୍ନଙ୍କ ପରିବାରକୁ ଫୋନ କରି ପଡିଆରେ ଶତ୍ରୁଘ୍ନ ରକ୍ତ ଜୁଡୁବୁଡୁ ହୋଇ ବେହୋସ ଅବସ୍ଥାରେ ପଡିଥିବା ନେଇ ଜଣାଇଥିଲେ । ଏହି ଖବର ପାଇଁ ଶତ୍ରୁଘ୍ନଙ୍କ ପରିବାର ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ସଂଜ୍ଞଓହୀନ ଅବସ୍ଥାରେ ଥିବା ଶତ୍ରୁଘ୍ନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଶତ୍ରୁଘ୍ନଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଶତ୍ରୁଘ୍ନଙ୍କ ବାପା କେଶବ ମଲିକ ତାଙ୍କ ପୁଅକୁ ପତ୍ନୀ କଳ୍ପନା, ବାପା ସୁରେଶ ଓ ପରିବାର ଲୋକମାନେ ମରଣାନ୍ତକ ଆକ୍ରମଣ କରିବା ସହିତ ଜୋରଜବରଦସ୍ତ ବିଷ ପିଆଇ ମାରି ଦେଇଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମାଂଚଳ ଥାନା ଆଇଆଇସି ବାମଦେବ ନନ୍ଦ ଥାନା କେଶ ନଂ ୫୩୬/୨୩ ଏକ ମୋକଦ୍ଦମା ରୁଜୁ କରି ଘଟଣାର ତନାଘନା ତଦନ୍ତ ଚଲାଇଛନ୍ତି । ଗିରଫ ଭୟରେ କଳ୍ପନାଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି । ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇ ଆଇ ସି ବାମଦେବ ନନ୍ଦ ପ୍ରକାଶ କରିଛନ୍ତି ।