କେନ୍ଦ୍ରାପଡ଼ା : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ସମ୍ମାନୀତ ଅତିଥିଭାବେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଡିଏସ୍ପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡ଼ା ଯୋଗ ଦେଇଥିଲେ । ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସରକାରୀ କର୍ମଚାରୀମାନେ ସେମାନଙ୍କ କର୍ତ୍ତବ୍ୟ ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସରକାରୀ ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ଜନସାଧାରଣଙ୍କୁ ମୂଲ୍ୟବୋଧଭିତିକ ସେବା ଯୋଗାଇବା ଆବଶ୍ୟକ ଏବଂ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଅଙ୍ଗୀକାର ବଦ୍ଧତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବକ୍ତା ଶ୍ରୀ ପରିଡ଼ା ମତବ୍ୟକ୍ତ କରିଥିଲେ । ସରକାରଙ୍କ ୫ଟି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଏହାକୁ ନିଷ୍ଠାର ସହ ପାଳନ କଲେ ଦୁର୍ନୀତି ଆପେ ଉଭେଇଯିବ ବୋଲି କହିଥିଲେ । ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଡିଏସ୍ପି ଶ୍ରୀମତୀ ପୁହାଣ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ସବୁକ୍ଷେତ୍ରରେ ପରିବ୍ୟାପ୍ତ ହୋଇଥିବା ଯୋଗୁଁ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ରୋକିବା ଦିଗରେ ଜନସଚେତନତା ଜରୁରୀ ବୋଲି ଶ୍ରୀମତୀ ପୁହାଣ କହିଥିଲେ । ଏହି ଅବସରରେ କିଛି ଛାତ୍ରଛାତ୍ରୀ “ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସମର୍ପିତ ରହିବା” ଥିମ୍ ଉପରେ ନିଜର ଅଭିମତ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାର ୧୯ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ରଙ୍ଗୋଲିରେ ଅଂଶଗ୍ରହଣ କରିଥିବା ତୁଳସୀ ମହିଳା ମହାବିଦ୍ୟାଳୟର ୮ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀଶ୍ରୀ ବଳଦେବଜୀଉଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ପରେପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରଶାସନକୁ ସ୍ୱଚ୍ଛ, ନିର୍ମଳ ଓ ଉତରଦାୟୀ କରିବା ଉପଲକ୍ଷେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତିବର୍ଷ ଭଳି ଏ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଅକ୍ଟୋବର ୩୦ ତାରିଖ ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଆଜି ସକାଳ ୮ଟାରେ ମିଶନଶକ୍ତି ପକ୍ଷରୁ ଏକ ସଚେତନତା ରାଲି ବାହାରି ସହର କରିକ୍ରମା କରିଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ମହାପାତ୍ର । ଏହି ଶୋଭାଯାତ୍ରାରେ ଭିଜିଲାନ୍ସ ଡିଏସ୍ପି ଶ୍ରୀମତୀ ପୁହାଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ପ୍ରକଳ୍ପ ସଂଯୋଜିକା ସଂଯୁକ୍ତା ମିଶ୍ର, ମିଶନ୍ ଶକ୍ତି ଜିଲ୍ଲା ସଂଯୋଜକ କୈଳାଶ ଚନ୍ଦ୍ର ସେନାପତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
kanikanews.in
Next Post
କେନ୍ଦ୍ରାପଡାରେ ଖୋଲିଲା ଓଡିଶାର ପ୍ରଥମ ଭାରତ ପେଟ୍ରୋଲିୟମ ସିଏନଜି ଷ୍ଟେସନ
Sat Nov 4 , 2023
କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଓଡିଶାର ସର୍ବ ପ୍ରଥମ ସିଏନଜି ସେବା ଆଜି ଆରମ୍ଭ ହୋଇଯାଇ଼ଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଗରାପୁର ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ପ୍ରାଙ୍ଗଣରେ ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଏନଜି ସେବାକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । […]

You May Like
- 1 year ago
ଇନ୍ଦୁପୁର ବାରୁଣୀ ଯାତ୍ରା ପାଇଁ ପ୍ରସ୍ତୁତି
- 1 year ago
ଇନ୍ଦୁପୁରରେ ଲୋକକଳା ମହୋତ୍ସବ
- 2 years ago
ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା – ୨୦୨୩