
ରାଜ୍ୟ ବିଜେଡିର ଟାଣୁଆ ନେତା ଅଦ୍ୱିତୀୟ ଯୁବନେତୃତ୍ୱ ପୂର୍ବତନମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଅଣକଂଗ୍ରେସ ରାଜନୀତିର ଅଭେଦ୍ୟଦୂର୍ଗ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । କେନ୍ଦ୍ରାପଡ଼ା ରାଜନୀତି ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଦଳର ସତର୍କ ଦୃଷ୍ଟି ରହିଥିବାରୁ ନିର୍ବାଚନବର୍ଷରେ ଅଭିଜ୍ଞ ରାଜନେତା ଦୃଢ଼ ସଂଗଠକ ପ୍ରତାପ ଜେନାଙ୍କ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ବହନ କରୁଛି । ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରି ଦଳକୁ ଶକ୍ତିଶାଳୀ କରିଥିବା ପ୍ରତାପଙ୍କ ଉପରେ ଆସ୍ଥା ପ୍ରକଟ କରି ନିଜ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାର ଦଳୀୟ ସଂଗଠନ ଦାୟିତ୍ୱ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାଶ,ଜିଲ୍ଲା ବିଜେଡି ସାଧାରଣସମ୍ପାଦକ ଶ୍ରୀକାନ୍ତ ରାଉତ, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ, କାଉନସିଲର ଗୋପୀବଲ୍ଲଭ ନାୟକ ପ୍ରମୁଖ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ପ୍ରତାପ ଜେନାଙ୍କ ନିଯୁକ୍ତିକୁ ସ୍ୱାଗତ କରିବା ସହିତ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପ୍ରତାପ ଜେନାଙ୍କୁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।











