ସ୍କୁଲ୍ ରୂପାନ୍ତରୀକରଣ କରାଯାଉଛି, ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି । ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ଦେଖିଲେ ପ୍ରାଥମିକ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ । ଗୋଟିଏ କୋଠରୀରେ ବସୁଛନ୍ତି ପ୍ରଥମରୁ ପଂଚମ ଶ୍ରେଣୀର ଛାତ୍ରୀଛାତ୍ର । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ଗ୍ରାମରେ ଥିବା ଖଡିଅଂଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି ।
ଜିଲା ଅଭିଭାବକ ମହାସଂଘ ସମ୍ପାଦକ ନରେନ୍ଦ୍ର ଧଳ କୁହନ୍ତି, ଖଡିଅଂଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରୀଛାତ୍ର ଅଛନ୍ତି । ଏଥିପାଇଁ ୨ ଜଣ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି । ହେଲେ ପିଲାମାନେ ବସି ପାଠପଢ଼ିବା ପାଇଁ ଶ୍ରେଣୀଗୃହ ନାହିଁ । ପୂର୍ବରୁ ଶିକ୍ଷାନୁଷ୍ଠାନର ପାଖରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢା ହେଉଥିଲା । ବର୍ତମାନ ସେ ବାତ୍ୟା ଆଶ୍ରୟସ୍ଥଳୀ କୋଠାଟି ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଗୋଟିଏ ଶ୍ରେଣୀ ଗୃହରେ ବିଭିନ୍ନ ଶ୍ରେଣୀର ୪୭ ପିଲାଙ୍କୁ ୨ ଜଣ ଶିକ୍ଷୟିତ୍ରୀ କେମିତି ପାଠ ପଢ଼ାଉଥିବେ ତାହା ସହଜରେ ଅନୁମାନ କରି ହେଉଛି । କେବଳ ଏତିକିରେ ସ୍କୁଲ ସମସ୍ୟା ସରିନାହିଁ । ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ବସି ଖାଇବାକୁ ମଧ୍ୟ ଜାଗା ନାହିଁ । ଖୋଲା ଆକାଶ ତଳେ ବସି ସେମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ।
ସ୍କୁଲ କମିଟି ସମ୍ପାଦକ ପ୍ରଶାନ୍ତ ଦାସ କୁହନ୍ତି, ସ୍କୁଲର ଶ୍ରେଣୀ ଗୃହ ନ ଥିବାରୁ ଠିକ୍ ଭାବେ ପାଠ ପଢ଼ା ହୋଇପାରୁ ନାହିଁ । ଜଣେ ଶିକ୍ଷକ ଗୋଟାଏ ଶ୍ରେଣୀ ପାଠ ପଢ଼ାଇ ସାରିବା ପରେ ଆଉ ଗୋଟାଏ ଶ୍ରେଣୀ ପାଠ ପଢ଼ାଉଛନ୍ତି । ବର୍ଷେ ତଳୁ ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ବିଇଓ ଓ ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବର୍ତମାନ ସ୍କୁଲ ଗୃହ ରିପାରିଂ କାମ ହେଉଛି । ମାତ୍ର ତାହା ସଠିକ ଢଙ୍ଗରେ ହେଉନାହିଁ । ପାଠପଢ଼ାରେ ହେଉଥିବା ଅସୁବିଧା ଦୂର କରିବାକୁ ଦାବି କରାଯାଇଛି । ହେଲେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଖଡିଅଂଟା ଗ୍ରାମର ବୁଦ୍ଧିଜିବୀ ପ୍ରଭାକର ସେଠୀ, ସୁଶାନ୍ତ ସାମଲ, ଅଶୋକ ମହାନ୍ତି ପ୍ରମୁଖ କହିଛନ୍ତି ସ୍କୁଲ୍ ରୂପାନ୍ତରୀକରଣ କରାଯାଉଛିଟେଯାଜନା ପ୍ରହସନ । ଆମ ଗ୍ରମ ସ୍କୁଲର ଘର ନାହିଁ । ସରକାର ନୂଆ ଘର ତିଆରି କରୁ ନାହାନ୍ତି । ଗୋଟିଏ ଶ୍ରେଣୀ ଗୃହରେ ବସି ଛାତ୍ରୀଛାତ୍ର ପାଠ ପଢ଼ୁଥିବାରୁ ଭଲ ଭାବେ ଶିକ୍ଷାଦାନ ହୋଇ ପାରୁନାହିଁ । ଶିକ୍ଷାନୁଷ୍ଠାନରେ ପାଖରେ ଥିବା ବାତ୍ୟ ଆଶ୍ରୟସ୍ଥଳୀ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଛାତରୁ ସିମେଂଟ ଖଣ୍ଡ ଖସୁଛି । ତେଣୁ ସେଠାରେ ପାଠପଢ଼ା ହେଉନାହିଁ । ଫଳରେ ଗୋଟିଏ କୋଠରିରେ ୫ ଶ୍ରେଣୀର ପିଲାମାନଙ୍କୁ ବସାଯାଇ ଶିକ୍ଷାଦାନ କରାଯାଉଛି । କେବଳ ଶ୍ରେଣୀଗୃହ ନୁହେଁ, ବିଦ୍ୟାଳୟ ଚାରିପାଖେ ପାଚେରି ନିର୍ମାଣ ହେଉନାହିଁ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ । ବିଦ୍ୟାଳୟର ଜିବା ଅସିବା ପଥ ପକ୍କା ହୋଇନଥିବାରୁ ବର୍ଷାଦିନେ ପାଣି କାଦୁଅରେ ଯିବାକୁ ପିଲା ଅନିଛା ପ୍ରକାଶ କରୁଛନ୍ତି । ବିଦ୍ୟାଳୟର ପାଚେରି ନ ଥିବାରୁ ଗୋରୁ ଗାଈ ଅବାଧରେ ପ୍ରବେଶ କରୁଛନ୍ତି । ଏ ନେଇ ଛାତ୍ର, ଅଭିଭାବକ ଓ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ବିଭାଗୀୟ ଉଚ୍ଚକର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ।