ବିଦେଶରେ ଫସିଛନ୍ତି ୨୧ ଜଣ ଶ୍ରମିକ,ଭିଡିଓ ଜାରି କରି କହିଲେ ନିର୍ଯାତନାର କାହାଣୀ


ରୋଜଗାର କରି  ନିଜ ପରିବାରର ପ୍ରତିପୋଷଣ କରିବା ଆଶାରେ ବିଦେଶ ଯାଇ କାମ କରୁଥିବା ଓଡିଆ ଯୁବକ ମାନେ ସେଠାରେ ନିର୍ଯ୍ୟାତିତ ହେବା ସହ ଶାରୀରିକ, ମାନସିକ ତଥା ଶୋଷଣର ଚରମ ଶିକାରରେ ଜୀବନ ବିତାଉଛନ୍ତି । ଯଦି ଏଥିପାଇଁ ମୁହଁ ଖୋଲିଲେ ମିଳୁଛି ଶାରୀରିକ ନିର୍ଯ୍ୟାତନା । ଭିଟାମାଟିକୁ ଫେରାଇ ଆଣିବା ନିମନ୍ତେ ସେଠାରେ ସେମାନେ ଏକ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।ଏଭଳି ଦୁଃଖଦ ପରିସ୍ଥିତିରେ ପରିବାର ଲୋକେ ଆତଙ୍କିତ ହୋଇ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ।  

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଳକର ଜୟନଗର, କୋଇଲିପୁର ଓ ତୈଲକ୍ୟପୁର ଗ୍ରାମପଂଚାୟତର ୧୪ ଶ୍ରମିକ ୨୦୨୨ ମସିହା ଜୁନ ମାସରେ ସାଉଥ ଆଫ୍ରିକାର ଗାବନରେ ସନରାଇଜ ପ୍ଲାଇଉଡ଼ କମ୍ପାନୀକୁ କାମ କରିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ବେଳେ ଖାଇବା ପିଇବାକୁ ମିଳୁନଥିବା କହିଛନ୍ତି । ଜଙ୍ଗଲ ଭିତରେ କମ୍ପାନୀ ହୋଇଥିବାରୁ ସେଠାରେ ବିଦ୍ୟୁତ ନାହିଁ ।  ଜେନେରେଟର ଚାଲିଲେ ପାଣି ଆସିବ l କମ୍ପାନୀ ମାଲିକ ଆଉ ଜେନେରେଟର ଚଲାଉ ନଥିବାରୁ ପାଣି ଆସୁ ନାହିଁ ।  ଦେହ ଖରାପ ହେଲେ ଡାକ୍ତରୀ ଚିକିତ୍ସା ନାହିଁ l ହେଲେ ସେଠାରେ ସେମାନଙ୍କୁ ମାଡ଼ ମରାଯିବା ସହିତ ପାସ୍‌ପୋର୍ଟରେ ଭିଜା ହେଉନଥିବାରୁ ପ୍ରତିଦିନ ପୋଲିସ ସେମାନଙ୍କୁ ଉଠାଇନେବା ସହିତ ହଇରାଣ ହରକତ୍ କରୁଛନ୍ତି ବୋଲି ଭିଡ଼ିଓ ବାର୍ତ୍ତାରେ ସେମାନେ ଜଣାଇଛନ୍ତି । ସେମାନଙ୍କ ସହିତ ଅନ୍ୟ ରାଜ୍ୟର ୭ ଜଣ ଶ୍ରମିକ ରହିଛନ୍ତି। ଏବେ ସେଠାରେ ମୋଟ ୨୧ ଜଣ ଶ୍ରମିକ ବିଭିନ୍ନ ଅସୁବୁଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଦିନକୁ ଦିନ ଶ୍ରମିକଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବେଳେ ଉଦ୍ଧାର କରିବାକୁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି । ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ।

 


Discover more from

Subscribe now to keep reading and get access to the full archive.

Continue reading