ଆସନ୍ନ ମରୁଡିର ପ୍ରତିକାର କର- କୃଷକସଭା


ସମଗ୍ର କେନ୍ଦ୍ରାପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଆଜି ଓଡିଶା କୃଷକ ସଭା (ଏଆଇକେଏସ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହିତ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ସାରା ଜିଲ୍ଳାର ୯ଟି ବ୍ଲକ ଓ ୨ଟି ପୈାରସଂସ୍ଥାରେ ଆଜି ସୁଦ୍ଧା ପ୍ରାୟ ୩୦ଭାଗ ଜମିରେ ପାଣି ଅଭାବରୁ ମରୁଡି ହେଇ ସାରିଲାଣି । ବର୍ଷା ନାହିଁକି କେନାଲରେ ପାଣି ନାହିଁ । ସମସ୍ତ ୩ଟି ମୁଖ୍ୟ କେନାଲ ପୋତି ହେବା ସହିତ ଦଳରେ ଭର୍ତି ହେଇଯାଇଛି । ମୁଖ୍ୟ କେନାଲରେ ପାଣି ନଥିଲେ ଶାଖା କେନାଲରେ କେମିତି ପାଣି ଆସିବ ବୋଲି ଆଜି ଆନ୍ଦୋଳନକାରୀମାନେ ପ୍ରଶାସନକୁ ପ୍ରଶ୍ନ ପଚାରିଥିଲେ? ପ୍ରତିବର୍ଷ କୋଟି କୋଟି ଟଙ୍କା କେନାଲ ସଫେଇ ପାଇଁ ଖର୍ଚ୍ଚ ହେଉଛି । କିନ୍ତୁ ଚାଷୀ ପାଣି ମୁନ୍ଦେ ପାଉନି । ଚାଷୀମାନେ ଧାନ ଗଛକୁ ବଞ୍ଚାଇବା ପାଇଁ ଦିନ ରାତି ଏକାକାର କରି ଦେଇଛନ୍ତି । ସବୁ ଚାଷୀ ବିଲରେ । ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ନଦୀରେ କୁମ୍ଭୀର ଉପଦ୍ରବ ଯୋଗୁଁ ନଦୀ ତଟବର୍ତୀ ଜମି ମାନଙ୍କରେ ପାଣି ମଡେଇବା ପାଇଁ ଚାଷୀମାନେ ସାହସ କରି ପାରୁନାହାନ୍ତି । ଯଦି ଏହି ପ୍ରକ୍ରିୟା ଚାଲୁ ରହେ ଆଉ ପନ୍ଦର ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ଧାନ ଫସଲ ଜମିରେ ସୁଖୀ ଝୋଟହେଇ ଯିବ । ବର୍ଷକର ଦାନା ମାଟିରେ ମିଶିଯିବ । ଜିଲ୍ଲା ପ୍ରଶାସନ, ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ଜଳ ସମ୍ପଦ ବିଭାଗ ତୁରନ୍ତ ବିହିତ ପଦକ୍ଷେପ ନନେଲେ ବ୍ୟାପକ ଫସଲ ହାନି ଘଟିବ ବୋଲି କୃଷକ ସଭା ଦାବି କରିଛି । ଏଣୁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାକୁ ମରୁଡି ଘୋଷଣା କରିବା ସହିତ ଜିଲାର ସମସ୍ତ କେନାଳରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଛାଡିବା, କୁମ୍ଭୀର ଉପଦ୍ରୁତ ସମସ୍ତ ନଦୀ ପାଖିଆ ଜମିମାନଙ୍କରେ ଚାଷୀଙ୍କୁ ସୁରକ୍ଷା ଦେବା ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କୁମ୍ଭୀରକୁ ଘଉଡାଇବା, ସମସ୍ତ ଚାଷୀଙ୍କୁ ଅଧା ଦାମରେ ପମ୍ପସେଟ ଯୋଗାଇବା ସହିତ ଜଳକର ଛାଡ଼ କରିବା ଓ ଜିଲ୍ଲାର ସମସ୍ତ ଚାଷୀଙ୍କ ଠାରୁ କୃଷି ଋଣ ଛାଡ କରିବା ପାଇଁ ଦାବି କରିଥିଲେ । ଏହି ଆନ୍ଦୋଳନରେ ଜିଲ୍ଲା ସଭାପତି ଗୟାଧର ଧଳ, ସମ୍ପାଦକ ବିଜୟ ଦାସ, ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ମାଧବ ଦାସ, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଦାଶରଥି ସାହୁ, ପ୍ରମୋଦ ବେହେରା, ରବୀନ୍ଦ୍ର ସାହୁ, ଚିଦାନନ୍ଦ ରାଉତ, ସନ୍ତୋଷ ବେହେରା ଓ ସୁନାକର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ଜିଲ୍ଲା ପ୍ରଶାସନ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading