ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା, ୨୦ା୧୧ :“ବିକଶିତ ଭାରତ ସଙ୍କଳ୍ପ ଯାତ୍ରା” ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶିବାଶିଷ ପରିଡ଼ା, ଜିଲ୍ଲାର ସମସ୍ତ ତହସିଲ୍‌ଦାର ଓ ବିଡିଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡଃ. ମନୋଜ କୁମାର ଚାନ୍ଦ, କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅରବିନ୍ଦ ଦାସ, ଏଲ୍‌ଡିଏମ୍ ମନୋଜ କୁମାର ପ୍ରଧାନୀ, ଡା. ନୃପେନ୍ ଶତପଥି, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଲାଇନ୍ ଡିପାର୍ଟମେଂଟ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ବାର୍ତ୍ତା ତୃଣମୂଳସ୍ତରରେ ପହଂଚାଇବ “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ।” କେବଳ ବାର୍ତ୍ତା ପହଂଚାଇବନି ବରଂ ଯୋଜନାରୁ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଜନାରେ ସାମିଲ କରାଯିବ । କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୯ଟି ବ୍ଲକ୍‌ର ୨୪୯ଟି ଗ୍ରାମ ପଂଚାୟତରେ ଦୁଇଟି ସଚେତନତା ରଥ ପରିଭ୍ରମଣ କରିବ । “ମେରି କାହାନି, ମେରି ଜୁବାନି”ରେ ଲୋକମାନେ କହିବେ ଯୋଜନାର ସଫଳତା ବିଷୟରେ । ବିକଶିତ ଭାରତ ପାଇଁ ସମସ୍ତେ ନେବେ ସଙ୍କଳ୍ପ । ଗ୍ରାମପଂଚାୟତ ସ୍ତରରେ ସଚେତନତା ରଥର ପରିଭ୍ରମଣକୁ ସଫଳ କରିବା ପାଇଁ ଜନ ଭାଗିଦାରୀକୁ ଗୁରୁତ୍ୱାରୋପ କରାଯିବ । ସରପଂଚ, ସମିତିସଭ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ପ୍ୟାକ୍‌୍‌ସ କର୍ମକର୍ତ୍ତା ପ୍ରଭୃତିଙ୍କୁ ସଂଶ୍ଲିଷ୍ଟ କରାଇବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଗ୍ରାମପଂଚାୟତସ୍ତରୀୟ, ବ୍ଲକ୍‌ସ୍ତରୀୟ ଓ ଜିଲ୍ଲାସ୍ତରୀୟ ନୋଡାଲ ଅଫିସର ମନୋନୀତ ହେବା ସହ ଗ୍ରାମପଂଚାୟତମାନଙ୍କରେ ସଚେତନତା ରଥର ସ୍ୱାଗତ ନିମନ୍ତେ ଉତ୍ସବ ସମିତି ଓ ସ୍ୱାଗତ ସମିତି ଗଠନ ପାଇଁ ଉପସ୍ଥିତ ବିଡିଓ, ତହସିଲ୍‌ଦାର ଓ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା କରିବା ପାଇଁ ଡାକବିଭାଗ ଓ ଶିକ୍ଷା ବିଭାଗକୁ କୁହାଯାଇଛି । ସଚେତନତା ରଥ ପରିଭ୍ରମଣ ସମୟରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ସ୍ଥାନୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳତା ବଖାଣିବା ସହ ସଚେତନତା ରଥର ସ୍ୱାଗତ କରିବେ । “ଧରତୀ କହେ ପୁକାର କେ” ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ଯୁବପୀଢ଼ି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବେ । ସୂଚନାଯୋଗ୍ୟ ଯେ, ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା”ର ଶୁଭାରମ୍ଭ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading