ଆକାଶ ଛୁଆଁ ପରିବା ଦର: ବିନ୍ସ କେଜି ୨୧୦, ଟମାଟୋ ୧୨୦ ଟଙ୍କା; ଅଦା ୩୨୦ ଟପିଲା



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ହାଟ ବଜାରରେ ପରିବା ଦର ଏବେ ଆକାଶ ଛୁଆଁ । ଗାଁ ଠୁ ନେଇ ସହର,ସବୁଠି ପରିବା ଦରକୁ ନେଇ ହା ହା କାର । ୮୦ ତଳକୁ ବଜାରରେ ପନିପରିବା ନାହିଁ । ସପ୍ତାହେ ହେବ ପରିବା ଦର ଲଗାତାର ଭାବେ ଉପରମୁହାଁ ହୋଇ ରହିଛି । ପରିବା ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଏହାର ସିଧାସଳଖ ପ୍ରଭାବ ପଡ଼ୁଛି ସାଧାରଣ ଓ ଗରିବ ଖଟିଖିଆ ଶ୍ରେଣୀର ଲୋକମାନଙ୍କ ଉପରେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅଳପୁଆ, ତରଡିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ଚଉଦକୁଲାଟ, ବାଛରା, ବାଲିପାଟଣା, ଡାମରପୁର, ଶ୍ରୀରାମପୁର,ଶାଶନ ପଂଚାୟତ ସମେତ ପୌରାଂଚଳର ଅଳଭା,କଷଣଅଂଟା,ତନୁପୁର, ଷଣ୍ଢପଲ୍ଲି ବ୍ରାହ୍ମଣୀ ନଦୀ ପଠାରେ ବହୁଳ ଭାବରେ ପରିବା ଚାଷ ହୋଇଥାଏ । ସେହିପରି ଉତିକଣ ଭେଡା ଖଡିଅଂଟା, ସାନଜରିଆ, ଅରଡପଲ୍ଲି, ବଡପଡା, ମହନପୁର ଓ ଦୋସିଆ ପ୍ରଭୁତି ପଂଚାୟତ ସମେତ ନରସିଂହପୁରର ଅଠରବାଟିଆ ପାଳରେ ପର୍ଯ୍ୟାପ୍ତ ପରିମାଣର ପରିବା ଚାଷ ହୋଇ ଜିଲ୍ଲାର ଚାହିଦା ମେଂଟାଇବା ସହିତ କଟକ ଓ ଯାଜପୁର ଜିଲ୍ଲାର ଅନେକ ବଜାରର ବେପାରି ମଧ୍ୟ ଆସି ଚାଷୀମାନଙ୍କ ଠାରୁ ପରିବା ବିକ୍ରୟ ପାଇଁ ନେଇଥାନ୍ତି । ହେଲେ ଚଳିତବର୍ଷ ଅନ୍ୟବର୍ଷ ତୁଳନାରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇ ରେକର୍ଡ ଭାଙ୍ଗିଛି । ଗ୍ରୀଷ୍ମର ପ୍ରଖର ତାଣ୍ଡବ ସହିତ ଉତିକଣ ଭେଡାକୁ କେନାଲ ପାଣି ଛଡା ନ ଯିବା କାରଣରୁ କେନାଲ କୂଳରେ ଥିବା ଜମିରେ ଚାଷୀମାନେ ପନିପରିବା ଚାଷ କରିଥିବାରୁ ପାଣି ବିନା ମରିଯିବା ହେତୁ ପରିବା ଚାଷ ଉପରେ ଗଭୀର ପ୍ରଭାବ ପକାଇଛି । ଫଳରେ ପାରିବା ଦର ଦଶ ଗୁଣା ବୃଦ୍ଧି ପାଇଛି । ଚାରି ସପ୍ତାହ ହେବ ବିନ୍ସ କିଲୋ ପିଛା ୨୧୦ ଟଙ୍କା ହୋଇଥିବା ବେଳେ ଟମାଟୋ ୧୨୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପୋଟଳ କିଲୋ ପ୍ରତି ୮୦ରୁ ୧୦୦, ବାଇଗଣ କେଜି ୬୦ ରୁ ୮୦ ଟଙ୍କା, ଭେଣ୍ଡି କେଜି ୭୦ ଟଙ୍କା, କଲରା କେଜି ୧୦୦ ଟଙ୍କା, ପତ୍ରକୋବି କେଜି ୮୦ ଟଙ୍କା ରହିଛି । ଯାହା କିଲୋ ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ତାର ଦର ଏବେ ୮୦ କିମ୍ବା ୧୦୦ ଟଙ୍କାରୁ ଅଧିକ ଛୁଇଁଛି । ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକ ଏକ ପ୍ରକାର ହତାସ ହୋଇଛନ୍ତି । କାଁ ଭାଁ ଗ୍ରାହକଙ୍କୁ ଛାଡିଦେଲେ ବଜାର ଖାଲି ରହୁଛି । ଆଉ ଯିଏ ବି କିଣୁଛନ୍ତି କିଲୋ ବଦଳରେ ୨୫୦ ଗ୍ରାମ ପରିବା କିଣୁଛନ୍ତି । ଗ୍ରାହକଙ୍କୁ ଅପେକ୍ଷା କରି ବେପାରି ମଧ୍ୟ ନିରାଶ ହୋଇଛନ୍ତି । ସେପଟେ ବ୍ୟବସାୟୀ ବି ନିରାଶ ହୋଇଛନ୍ତି । କାରଣ ଆଗ ଭଳି ଆଉ ବେପାର ହେଉନଥିବା ପରିବା ବ୍ୟବସାୟୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ହୋଇଥିବାବେଳେ ଏଠାରେ ଶୀତଳ ଭଣ୍ଡାରର ଅଭାବ ଦେଖାଯାଇଛି । ଯାଦ୍ୱାରା ଅମଳ ପରିବାକୁ ସୁରକ୍ଷିତ ରଖିବା ଚାଷୀଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି । ସଂରକ୍ଷଣ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀମାନେ ଅମଳ ପରିବାକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି । ଏପରିକି ବିଭିନ୍ନ ସମୟରେ ପରିବା ଦର ଏତେ ତଳକୁ ଖସିଯାଇଥାଏ ଯେ, ଚାଷୀ କେତେବେଳେ ପରିବାର କିଆରୀରେ ଗାଇଗୋରୁ ଛାଡି ଦିଏ ତ ଆଉ କେତେବେଳେ ଅମଳ ପରିବାକୁ ବଜାରରେ ଢ଼ାଳି ଦେଇ ଘରକୁ ଫେରିଥାଏ । କିନ୍ତୁ ଏଭଳି ଦିନ ଆସିଥାଏ, ଚାଷୀ ଯେଉଁ ପରିବାକୁ ଶସ୍ତାରେ ବିକି ଦେଇଥାନ୍ତି, କିଛିଦିନ ପରେ ସେହି ପରିବା ଦର ଆକାଶ ଛୁଆଁ ହୋଇପଡ଼େ ଏବଂ ଚାଷୀଙ୍କ ଲାଭ ସମ୍ପୃକ୍ତ ବ୍ୟବସାୟୀଙ୍କ ହାତକୁ ଚାଲି ଯାଇଥାଏ ବୋଲି ଚିତରଞନ ମଲ୍ଲିକ, ନିରାକାର ବିଶ୍ୱାଳ, ରଞିତ ନାୟକ, ଅମୁଲ୍ୟ ନାୟକ, କାଳନ୍ଦି ସାମଲ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading