
କେନ୍ଦ୍ରାପଡା ୬/୧ – ଆଠଦିନ ଧରି ସହରର ମହୀପାଳ ସ୍ଥିତ ଟେଲିକମ ପଡିଆରେ ଅନୁଷ୍ଠିତ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ଓ ଜିଲ୍ଲା ସଂସ୍କୃତି ବିଭାଗ ସହେଯାଗୀତାରେ ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଶନିବାର ଦିନ ବିଶିଷ୍ଟ ସାହିତ୍ୟିକ ତଥା ପ୍ରାକ୍ତନ ରାଜ୍ୟ ନିର୍ବାଚନ କମିଶନର ଡ. ସଞ୍ଜୀବ ଚନ୍ଦ୍ର ହୋତା ଉଦ୍ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରି କହିଥିଲେ ଯେ ପୃଥିବୀରେ ପରିବେଶ ବର୍ତ୍ତମାନ ଅସମତୁଳ ଅବସ୍ଥା ସୃଷ୍ଟି ହୋଇଛି । ତାହା ସହିତ ଓଡିଆ ସାହିତ୍ୟରେ ଅସମତୁଳ ଅବସ୍ଥା ସୃଷ୍ଟି ହୋଇଛି । ଏହାକୁ ପୁସ୍ତକ ମାଧ୍ୟମରେ ସମତୁଳ କରାଯାଇ ପାରିବ । ସାହିତ୍ୟ, କବିତା, ଗଳ୍ପ ପୁସ୍ତକକୁ ବନ୍ଧୁ କରି ରଖିଥିଲେ, ରହିବ ଓ ରହିଛି । ତେଣୁ ପୁସ୍ତକମେଳା ଦ୍ୱାରା ଏହା ସମ୍ଭବ । ସଭାପତି ଇଂ ଅକ୍ଷୟ କୁମାର ପାଣିଙ୍କ ସଭାପତିତ୍ୱରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡ. ତପନ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବର୍ତ୍ତମାନ ଆଧୁନିକ ଯୁଗରେ ମୋବାଇଲ ଯୋଗୁଁ ପିଲାମାନଙ୍କର ପୁସ୍ତକ ପଢିବାର ଆଗ୍ରହ କମିଯାଇଛି । ଏଥିପାଇଁ ବାପାମାଆମାନେ ଦାୟୀ । ପିଲାଟି ଛୁଆବେଳୁ ସ୍କୁଲରେ ବହି ସାହାଯ୍ୟରେ ପାଠ ପଢିବା ଆରମ୍ଭ କରେ । ତେଣୁ ପିଲାମାନଙ୍କର ମୂଳଦୂଆ ହେଉଛି ବହି । ବହି ଦେଖିଲେ ବହି କିଣିବାକୁ ମନ କରେ । ପୁସ୍ତକମେଳାରେ ପୁସ୍ତକକୁ ପାଠକମାନେ ଦେଖି ବହି କିଣିବାକୁ ଆଗ୍ରହ କରି ପୁସ୍ତକ କିଣନ୍ତି । ଯେଉଁ ବହି ଖୋଜିଲେ ମିଳେନାହିଁ ତାହା ପୁସ୍ତକମେଳାରେ ମିଳିଥାଏ ବୋଲି ଅତିଥିମାନେ କହିଥିଲେ । ଏହି ମେଳାରେ ବିଶିଷ୍ଟ ପରିବେଶ ବିଜ୍ଞାନୀ ଓ ଲେଖକ ଡ. ଜୟକୃଷ୍ଣ ପାଣିଗ୍ରାହୀ ମୁଖ୍ୟବକ୍ତା, ବିଶିଷ୍ଟ ବୈଜ୍ଞାନିକ ଓ କୁମ୍ଭୀର ବିଶେଷଜ୍ଞ ଡ. ସୁଧାକର କର ବିଶିଷ୍ଟ ଅତିଥି, ପରିବେଶବିତ୍ ଓ ପକ୍ଷୀ ବିଶାରଦ ପ୍ରମୋଦ ବଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପରିବେଶ ଉପରେ ଗୁରୁୁତ୍ୱାରୋପ କରିଥିଲେ । ଆଧୁନିକ ଯୁଗରେ ପରିବେଶ ପ୍ରଦୂଷଣ ହୋଇପଡିଛି । ଏହାର ମୂଳ କାରଣ ହେଉଛି ପଲିଥିନ୍ । ଏହାକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନିରଞ୍ଜନ ମେକାପ ଓ ସମ୍ବିତ ଶ୍ରୀ ଚନ୍ଦନଙ୍କ ସହେଯାଗରେ ଚଳିତବର୍ଷ ଅନୁଷ୍ଠାନର ମୁଖପତ୍ର ‘କେନ୍ଦ୍ରାପଡ଼ା ପରିକ୍ରମା‘ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏହି ମୁଖପତ୍ରରେ ଜୈବ ବିବିଧତା କ୍ଷେତ୍ରରେ ପ୍ରସିଦ୍ଧ ଆନ୍ତର୍ଜାତୀୟ ଅଭୟାରଣ୍ୟ ଭିତରକନିକା ଏହି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଏହା ଉପରେ ତଥ୍ୟଭିତ୍ତିିକ ଗବେଷଣାଧର୍ମୀ ଆଲେଖ୍ୟମାନ ସ୍ଥାନୀତ ହୋଇଛି ବୋଲି ସଭାପତି ସୂଚନା ଦେଇଥିଲେ । ବିଶିଷ୍ଟ କୁମ୍ଭୀର ବିଶେଷଜ୍ଞ ଡ. କରଙ୍କୁ କେମ୍ ପକ୍ଷରୁ ମୋମେଣ୍ଟମ୍, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତଥର ରାଜ୍ୟ ଓ ରାଜ୍ୟ ବାହାରୁ ୬୦ଟି ଷ୍ଟଲ୍ ଖୋଲାଯାଇଛି ଓ ଏହି ପୁସ୍ତକ ମେଳାରେ ସବୁଦିନ ବିଶିଷ୍ଟ ସାହିତ୍ୟିକ, ଲେଖକ, ବୈଜ୍ଞାନିକ, ପରିବେଶବିତ୍ ଓ ପକ୍ଷୀ ବିଶାରଦ, ସଂସ୍କୃତି ପ୍ରେମୀ ମାନେ ଯୋଗ ଦେଇଥିଲେ । ସମ୍ପାଦକ ଜାହିଦ୍ ଖାଁ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । କେମ୍ର ସଦସ୍ୟ ଶାନ୍ତ୍ୱନୁ ମଲ୍ଲିକ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ଶେଷରେ ବଂଶୀଧର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବାବାଜୀ ଚରଣ ଉପାଧ୍ୟାୟଙ୍କ ଏକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନର କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବାହ୍ନରେ ଏଲ୍.କେ.ଜି ଠାରୁ କଲେଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହିମାଂଶୁ ଦାସ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୨୭୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହାକୁ ସଦସ୍ୟ ଧର୍ମଦର୍ଶୀ କର, ସଞ୍ଜୀବ ସାହୁ, ସରୋଜ ସାହୁ, ବିଜୟ ସାହୁ, ଭଞ୍ଜକିଶୋର ମହାରଣା ପରିଚାଳନା କରିଥିଲେ । ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟ, ଓøପନ୍ୟାସିକ ତଥା ପୂର୍ବତନ ସାହିତ୍ୟ ଏକାଡେମୀର ସଭାପତି ଡଃ. ରାମଚନ୍ଦ୍ର ବେହେରା, ଲେଖିକା ଋତୁପର୍ଣ୍ଣା ମହାନ୍ତି, ଅନ୍ନପୂର୍ଣ୍ଣା ମହାନ୍ତି, କାଶୀନାଥ ରାଉତରାୟ, ଶୁଭ୍ରାଂଶୁ ଦାସ ପ୍ରମୁଖ ବହୁ ଲେଖକ/ଲେଖିକାମାନେ ଉପସ୍ଥିତ ଥିଲେ । ଏହି ମେଳାକୁ ସଭ୍ୟ ତାରିଣୀ ପାଟଯୋଶୀ, ବଂଶୀଧର ମହାନ୍ତି, ହିମାଂଶୁ ଦାସ, ଶିବଚରଣ ସାମଲ, ସମ୍ବିତ ଶ୍ରୀଚନ୍ଦନ, ଶାନ୍ତନୁ ମଲିକ, ଉମାକାନ୍ତ ଜେନା, ଅମ୍ରିନ ସାହାଦତ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ସାରସ୍ୱତ, ବୌଦ୍ଧିକ, ସାଂସ୍କୃତିକ, ସମ୍ବର୍ଦ୍ଧନା ପର୍ବ, କୁଇଜ, ହାସ୍ୟ ଆସର ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ପାଣି ସୂଚନା ଦେଇଛନ୍ତି ।










