ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ତୁଳସୀକ୍ଷେତ୍ର


କେନ୍ଦ୍ରାପଡ଼ା, ତା ୦୯/୦୧: ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ଗୋବରରେ ଲିପାପୋଛା କରି ବସେଇଛନ୍ତି ଶୁଭ କଳସ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ଭାବମୟ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ  କେନ୍ଦ୍ରାପଡ଼ାବାସୀ ଶ୍ରଦ୍ଧାର ସହ ସମର୍ପି ଦେଉଛନ୍ତି ଅରୁଆ ଚାଉଳ ଓ ଗୁଆ ।

ଆଜି ପଟ୍ଟାମୁଣ୍ଡାଇ ବ୍ଲକ୍‌ର ସିଂହଗାଁ, ଅଳପୁଆ, ବଳଭଦ୍ରପୁର, ଖଡ଼ିଅଂଟା, ଗଙ୍ଗାରାମପୁର ଆଦି ଗ୍ରାମ ପଂଚାୟତରେ ଅକ୍ଷତ ଓ ଗୁଆ ସଂଗ୍ରହ ହୋଇଥିବା ବେଳେ ଆସନ୍ତାକାଲି ତରଡ଼ିପାଳ, ବଲୁରିଆ, ଶ୍ରୀରାମପୁର, କଖାରୁଣି, ନରସିଂହପୁର ଆଦି ଗ୍ରାମ ପଂଚାୟତରେ ପହଂଚିବ ‘ଅର୍ପଣ ରଥ ।’ ସେହିପରି ରାଜକନିକା ବ୍ଲକ୍‌ର ବାଘବୁଦା, ବରାଡ଼ିଆ, ଜୟନଗର, କୋଇଲିପୁର, କାଟଣାବଣିଆ, ବରୁଣା, ପେଘରପଡ଼ା, ଦୋମୁଣ୍ଡା, ଶିହପଡ଼ା ଗ୍ରାମ ପଂଚାୟତରେ ଲୋକେ ‘ଅର୍ପଣ ରଥ’କୁ ଭବ୍ୟ ସ୍ୱାଗତ କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ମିନତି ରାଉତ, ଭାଇସ୍ ଚେୟାର୍‌ମ୍ୟାନ୍ ତନ୍ମୟ ରଞ୍ଜନ ଦାସ, ସ୍ଥାନୀୟ ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏହି ‘ଅର୍ପଣ ରଥ’ ପରିକ୍ରମାରେ ସାମିଲ ହୋଇଥିଲେ । ସେହିପରି ଆଳି ବ୍ଲକ୍‌ର ଚଣ୍ଡିଆଗଡ଼ି, ଡିମିରିପାଳ, ନିଆଳ, ଅଟାଳ ଆଦି ଗ୍ରାମ ପଂଚାୟତରେ ଲୋକେ ‘ଅର୍ପଣ ରଥ’କୁ ବନ୍ଦାପନା କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ରାପଡ଼ା ବ୍ଲକ୍‌ର ଓସ୍ତପୁର, ବଗଡ଼ା, ଚନ୍ଦନପୁର, ଧୁମାତ, ପଳସିଙ୍ଗା, ଚକ୍ରୋଡ଼ା ଆଦି ଗ୍ରାମ ପଂଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଶ୍ରୀ ଶଶିଭୂଷଣ ବେହେରା, କେନ୍ଦ୍ରାପଡ଼ା ବ୍ଲକ୍ ଭାଇସ୍ ଚେୟାରମ୍ୟାନ୍ ପ୍ରତାପ ମହାପାତ୍ର, ସ୍ଥାନୀୟ ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଶୋଭଯାତ୍ରାରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ‘ଅର୍ପଣ ରଥ’ ଘରକୁ ଘର ବୁଲି ଲୋକମାନଙ୍କଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି । ସଂଗ୍ରହ କରାଯାଇଥିବା ଅକ୍ଷତ ଓ ଗୁଆ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ପୁରୀକୁ ନିଆଯିବ । ଚଳିତ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପୂର୍ବରୁ ଏହି ଅକ୍ଷତ ଓ ଗୁଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯିବ ।


Discover more from

Subscribe now to keep reading and get access to the full archive.

Continue reading