
କେନ୍ଦ୍ରାପଡ଼ା ୧୫ା୧: ନବେ ଦଶକରୁ ଦୁହୁରିଆ ସନ୍ନିକଟ ପାଣ୍ଡିରୀ ଠାରୁ ଠାକୁରହାଟ ରାସ୍ତାର ମଧ୍ୟ ସ୍ଥଳର ପାଟନାଳୀ କୂଳରେ ମା’ପାଟ୍ଟ ସାମୁଲାଇଙ୍କ ବିଜେସ୍ଥଳିରେ ପ୍ରତିବର୍ଷ ମକର ସଂକ୍ରାନ୍ତୀ ପାଳିତ ହୋଇଥାଏ । ଚଳିତବର୍ଷ ମଧ୍ୟ ମା’ଙ୍କ ମକରବେଢା ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଖପାଖ ୪ଖଣ୍ଡି ମୈାଜା ଜମଧର ଗ୍ରାମପଞ୍ଚାୟତର ପାଣ୍ଡିରୀ, କଣ୍ଟାପଦା, କଷୋଟୀ, ଜୁଇଦାସପୁର, ଗୁଆଳସିଂ ପଞ୍ଚାୟତର ଖସାପଡିଆ, ବାଲିପାଟଣା, ଛାଞ୍ଚୁଣିଆ, ହଳଦିଆ, ଠାକୁରହାଟ, ଠାକୁରପାଟଣା ସମେତ ଉଦୟନଗର ପ୍ରଭୃତି ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକମାନେ ଏକାଠି ହୋଇ ମା’ଙ୍କ ମକରବେଢା ପରିକ୍ରମା କାର୍ଯ୍ୟକ୍ରମକୁ ସଫଳତାର ସହିତ ପାଳନ କରିଛନ୍ତି । କଥିତ ଅଛିଯେ ମା’ଙ୍କ ଅପାର କରୁଣାରୁ ଲୋକମାନେ ବିଭିନ୍ନ ଦୁରାରୋଗ ବ୍ୟାଧିରୁ ଆରାଗ୍ୟ ଲାଭ କରିଥାନ୍ତି ଏବଂ ଶାନ୍ତିର ସହିତ ପାରିବାରିକ ଜୀବନ ବିତାଇଥାନ୍ତି । ମନ୍ଦିରର ମୁଖ୍ୟ ପୂଜକ ରମେଶ ଚନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବକୁ କରୁଣାକର ରାଉତ, ପ୍ରଭାକର ସାହୁ, ମହେଶ୍ୱର ସାହୁ, ନାରାୟଣ ସାହୁ, ଗୋଲଖ ଚନ୍ଦ୍ର ସାହୁ, ନରହରି ପୋଥାଳ, ବିକାଶ ବିଶ୍ୱାଳ, ବିରବର ବିଶ୍ୱାଳ, ସପନା ମହାନ୍ତି, ରତିକାନ୍ତ ସାହୁ, ବାବୁଲି ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ୫ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଙ୍କ ଆଶ୍ରିର୍ବାଦ ଭିକ୍ଷା କରିଥିଲେ ।











