ଅଙ୍ଗନବାଡ଼ି କେନ୍ଦ୍ର ଉପରେ ମହଙ୍ଗା ମାଡ଼: ଅପପୁଷ୍ଟିର ମୁକାବିଲା ଯୋଜନା ବାଟବଣା


  • ଗୋଟା ଅଣ୍ଡା ୯ କିନ୍ତୁ ତରକାରି ପାଇଁ ମିଳୁଛି ୬,
  • ଡାଲି ଦର ବାଧୁଛି

ବିଗତ କିଛି ଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢି ଚାଲିବା ଡାଲି ଓ ପରିବା ଦର କ୍ରମାଗତ ଭାବରେ ବଢ଼ିଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କ ଲାଗି କାର୍ଯ୍ୟକାରୀ କରାଯାଉଥିବା ପୃଷ୍ଟିକର ଖାଦ୍ୟ ପ୍ରଦାନ ଯୋଜନା ପରିଚାଳିତ କରୁଥିବା ଅଙ୍ଗନୱାଡି କେନ୍ଦ୍ର ଉପରେ । ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢୁଥିବା ୩-୬ ବର୍ଷର ଛାତ୍ର ଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦେବା ଲକ୍ଷରେ ଅଙ୍ଗନୱାଡି କର୍ମୀଙ୍କୁ ଦାୟୀତ୍ୱ ଦିଆଯାଇଛି । ପ୍ରତ୍ୟେକ ପିଲାଙ୍କ ପିଛା ୭ ଟଙ୍କା ୬୩ ପଇସା ଦର ଧାର୍ଯ୍ୟ ହୋଇଥିବା ବେଳେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି ।

ଅଙ୍ଗନବାଡି କର୍ମୀମାନେ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ,ସରକାର ଅଣ୍ଡା ପ୍ରତି ୫ ଟଙ୍କା ଦେଉଛନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ ୯ ଟଙ୍କା । ଏହାର ଅର୍ଥ ରାଜ୍ୟ ସରକାର ଦେଉଥିବା ଟଙ୍କା ଓ ବଜାର ଦର ଭିତରେ ପାଖାପାଖି ୪ଟଙ୍କା ଫରକ । ଏକଥା ସରକାର ମଧ୍ୟ ଜାଣିଛନ୍ତି । ଏଭଳିସ୍ଥିତିରେ ଅଙ୍ଗନବାଡି କର୍ମୀ ନାଚାର । ସରକାରଙ୍କ ପକ୍ଷରୁ ପ୍ରତି କେନ୍ଦ୍ରକୁ ଚାଉଳ ଓ ତରକାରି ପାଇଁ ଟଙ୍କା ମିଳୁଛି । ଜଣେ ଶିଶୁ ପିଛା ସୋମବାର ଗୁରୁବାର ୩୦ ଗ୍ରାମ ଡାଲି ଏବଂ ଆଳୁ ସହିତ ୭୦ ଗ୍ରାମ ସୋୟାବିନ ଓ ପରିବା ମିଶାଇ ପ୍ରସ୍ତୁତ ଡାଲମା ପାଇଁ ୪ ଟଙ୍କା ମିଳଥିବା ବେଳେ ମଙ୍ଗଳବାର, ବୁଧବାର, ଶୁକ୍ରବାର, ଶନିବାର ଆଳୁ ଅଣ୍ଡା ତରକାର. ପରିବା ତରକାରି ପାଇଁ ୬ ଟଙ୍କା ଦିଆଯାଉଛି । ସବୁ ଦିନ ସକାଳ ଜଳଖିଆ ପାଇଁ ୧ ଟଙ୍କା ୨୦ ପଇସା ଦିଆଯାଉଛି । ସପ୍ତାହରେ ଅନ୍ୟ ଖାଦ୍ୟ ସହିତ ଅଣ୍ଡାକୁ ମିଶାଇ ୭ ଟଙ୍କା ୬୩ ପଇସା ରହିଛି । କିନ୍ତୁ ଅଣ୍ଡାରେଟ ଏବେ ୯ ଟଙ୍କା ପଡୁଛି । ଦ୍ୱିତୀୟତଃ ହରଡ଼ ଡାଲି,ବୁଟଡାଲି ଓ ପରିବା ଦର କ୍ରମାଗତ ଭାବରେ ବଢ଼ି ଚାଲିଛି ଏବଂ କମିବାର ନାଁ ନେଉ ନାହିଁ । ଏଥିଯୋଗୁଁ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକମାନ ହ୍ରାସ ପାଉଛି । ଅଧିକାଂଶ କେନ୍ଦ୍ରରେ କେବଳ ଆଳୁ କିମ୍ବା କଖାରୁ ଦିଆଯାଇପାରୁଛି । ସମୁଦାୟ ଭାବରେ କହିବାକୁ ଗଲେ ବର୍ତମାନ ଯେଉଁଭଳି ପରିସ୍ଥିତି ରହିଛି ଖାଦ୍ୟର ଗୁଣାତ୍ମକମାନ ହ୍ରାସ ପାଇବାର ଆଶଙ୍କା ରହିଛି । ସେଥିରେ ପୁଣି ଅଙ୍ଗନବାଡ଼ି କର୍ମଚାରୀ ସଂଘ ପକ୍ଷରୁ ସପ୍ତାହରେ ଥରେ ଅଣ୍ଡା ବଦଳରେ କ୍ଷୀର ଜାତୀୟ ଖାଦ୍ୟ ଦେବା ପାଇଁ ଦାବି କରାଯାଉଛି । ଅନେକ ଜାଗାରେ ସଠିକ ସମୟରେ ଅଣ୍ଡା ନମିଳିବାରୁ ଗାଁ ଗାଁରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ବୁଦ୍ଧିଜିବୀ ପ୍ରବିର ନାୟକ, କୃପାସିନ୍ଧୁ ନାୟକ କୁହନ୍ତି ରାଜ୍ୟରେ ୬ ମାସରୁ ଊର୍ଧ୍ୱ ୬୪% ଶିଶୁ ରକ୍ତହୀନତାର ଶିକାର ଅଛନ୍ତି । ୩୧% ଶିଶୁଙ୍କ ଉଚ୍ଚତା କମିବାରେ ଲାଗିଛି । ୧୮.୧% ଶିଶୁ ଅତି ପୁଷ୍ଟିହୀନତାର ଆକ୍ରାନ୍ତ । ପ୍ରତି ଏକ ହଜାରରେ ୬୬.୨ ଜଣ ଆଦିବାସୀ ଶିଶୁଙ୍କ ଆୟୁଷ ପାଂଚ ବର୍ଷ ମଧ୍ୟ ଟପୁ ନାହିଁ । ରାଜ୍ୟରେ ଶିଶୁ ଅପପୁଷ୍ଟିର ଆହୁରି ଦୁଃଖଦ ଚିତ୍ର ରହିଛି । ଏହାର ମୁକାବିଲା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ସବୁଜ ପରିବା, ଡାଲି ଏବଂ ଅଣ୍ଡା ଭଳି ପୋଷଣଯୁକ୍ତ ଖାଦ୍ୟ ଦିଆଯାଏ । ବର୍ତମାନ ଯେଉଁ ଭଳି ଡାଲି, ପରିବା ଏବଂ ଅଣ୍ଡା ଦର ଆକାଶଛୁଆଁ ହେଲାଣି, ସେହି ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସରକାରୀ ଅନୁଦାନ ବଢ଼ିନାହିଁ । ବରଂ କିଛି ମାସ ହେଲା ଅନୁଦାନ ହ୍ରାସ କରି ଦିଆଯାଇଛି । ଏଭଳି ସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ପୃଷ୍ଟିକର ଯୋଜନା ଉପରେ ପଡିଛି ଦରବୃଦ୍ଧିର ପ୍ରଭାବ । ଉଚିତ ପ୍ରାପ୍ୟ ନ ପାଇବାରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଭାବେ ଅଣ୍ଡା ଯୋଗାଇ ଦେବାରେ ଅଙ୍ଗନୱାଡି କର୍ମୀ ଅସମର୍ଥ ହେଉଛନ୍ତି । କେତେବେଳେ ବାଁ ଡାହାଣ କରି ତ ଆଉ କେତେବେଳେ ପିଲାଙ୍କ ସଂଖ୍ୟାକୁ ବଢାଇ ଅଣ୍ଡା ଦେବାକୁ ବାଧ୍ୟ ହେଉଛନ୍ତି । ପ୍ରସୂତୀଙ୍କୁ ମାସକୁ ୧୨ଟି ଅଣ୍ଡା ଦେବା ଲାଗି ନିୟମ ରହିଛି । କିନ୍ତୁ ଦିଆଯାଉଛି ମାତ୍ର ୧୦ଟି । ସେହିପରି ସପ୍ତାହକୁ ୫ ଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନି । ଅପର ପକ୍ଷରେ ସ୍ୱଳ୍ପ ବେତନରେ ଅଙ୍ଗନବାଡି କର୍ମୀ ନିଜ ହାତରୁ ପଇସା ଦେଇ ପିଲାଙ୍କ ପାଇଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ କରିଚନ୍ତିି ।ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି ।


Next Post

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ

Wed Jan 17 , 2024
ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ଚାଲିଛି ତ୍ରି ଦିନାତ୍ମକ ହୋମଯଜ୍ଞ । ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ସମ୍ପୂର୍ଣ୍ଣ ପରିବେଶ । ଚାରି ଦ୍ୱାରରେ ଚାଲିଛି ବେଦପାଠ । ଆସନ୍ତାକାଲି ଯଜ୍ଞର ପୁରୋଧା ଗଜପତି ମହାରାଜ ପୂର୍ଣ୍ଣାହୂତି ଦେବେ । ଏହି ପୂର୍ଣ୍ଣହୂତି କାର୍ଯ୍ୟକ୍ରମ ଓ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌ଟି ଅଧ୍ୟକ୍ଷ […]

You May Like