
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ତାର ଆଖପାଖ ଅଂଚଳରେ କେତେକ ଯୁବକ ଦୃତ ଗତିରେ ବାଇକ ଚଳାଇବା ସହିତ ଜାଣିଶୁଣି ବାଇକରେ ଶବ୍ଦ କରାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ଶବ୍ଦ ପ୍ରଦୂଷଣ କରୁଛନ୍ତି । ଯାହକୁନେଇ ବାରମ୍ବାର ଦୁର୍ଘଟଣା ଘଟିବା ସହିତ ଅନ୍ୟ ପଥିକ ମାନଙ୍କୁ ସମସ୍ୟାରେ ପକାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜନସାଧାରଣ ଓ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ବୁଦ୍ଧିଜିବୀ ରମେଶ ଦେ କୁହନ୍ତି ପଟ୍ଟାମୁଣ୍ଡାଇରେ ଏବେ ସ୍ପିଡ୍ ବାଇକ୍ଚାଳକଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି । ସହର ମଧ୍ୟରେ ୨୦ ରୁ ୩୦ କିମି ଗତିରେ ବାଇକ୍ ଚଳାଇବାର ନିୟମ ଥିଲେ ମଧ୍ୟ ସ୍ପିଡ୍ ବାଇକ୍ଚାଳକମାନେ ଏହାକୁ ଖାତିର କରୁନାହାନ୍ତି । ସ୍ପିଡ୍ ସାଙ୍ଗକୁ ବିକଟାଳ ହର୍ଣ୍ଣରେ କାନ ଫଟାଇ ଦେଉଛନ୍ତି । ନିଜେ ଦୁର୍ଘଟଣାର ଶିକାର ହେଉଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ବିକଟାଳ ହର୍ଣ୍ଣ ସାଙ୍ଗକୁ ସାଇଲେନ୍ସର ଠାଏ ଠାଏ ବିକଟାଳ ଶଦ୍ଧ ଲୋକମାନଙ୍କୁ ଅତିଷ୍ଠ କରିଦେଉଛି । ଏପରି ବାଇକ୍ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିୟମ ଥିଲେ ମଧ୍ୟ ପଟ୍ଟାମୁଣ୍ଡାଇରେ ତାହା ପାଳନ ହେଉନାହିଁ । ଯାହାକୁ ନେଇ ସ୍ପିଡ୍ ବାଇକ୍ଚାଳକଙ୍କ ଉତ୍ପାତ ଓ ଆତଙ୍କ ବଢ଼ି ବଢ଼ି ଚାଲିଛି । କେବଳ ଏତିକି ନୁହେଁ ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଏପରି ସାଇଲେନ୍ସର ଅବାଧରେ ବିକ୍ରି ହେଉଥିବା ବେଳେ ଏପରି ବ୍ୟବସାୟକୁ ରୋକାଯାଇ ପାରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଆଇନଜିବୀ ସୌମ୍ୟରଞନ ଧଳ କୁହନ୍ତି ଏବେ ପଟ୍ଟାମୁଣ୍ଡାଇର ସ୍ପିଡ୍ ବାଇକ୍ଚାଳକମାନେ ପୋଖରିଆପଡା (ଡାକବଙ୍ଗଳା ଛକ) ସ୍କୁଲରୁ କଲେଜରୋଡ ଛକ ଶିଶୁମନ୍ଦିର ରାସ୍ତା, ବକ୍ତାରପୁର ଛକ, ରାଜନଗର ରାସ୍ତା, ବିଜୁପଟ୍ଟନାୟକ ଛକରୁ ପୁରୁଣା ପୋଲ କେନ୍ଦ୍ରାପଡା ରାସ୍ତା ସହିତ ବିଭିନ୍ନ ଜନଗହଳି ରାସ୍ତାରେ ଆତଙ୍କ ଖେଳାଉଛନ୍ତି । କେତେକ ଯୁବ ବାଇକ ଚାଳକ କାର ସମ୍ମୁଖରେ ସର୍ପିଳ ଗତିରେ ଏପରି ବାଇକ୍ ଚଳାଉଛନ୍ତି ଯେ ଅନ୍ୟ ଆରୋହୀମାନେ ଭୟଭୀତ ହୋଇ ପଡ଼ୁଛନ୍ତି । ରାତି ୮ଟା ପରେ ପରିସ୍ଥିତି ଜଟିଳ ହୋଇ ପଡ଼ୁଛି । ବାଇକ୍ ମେନ ଷ୍ଟାଣ୍ଡକୁ ରାସ୍ତାରେ ଘଷିଘଷି ନିଆଁ ବାହାର କରୁଛନ୍ତି । ଏକାବେଳକେ ୩/୪ ବାଇକ ଚାଳକ ଏଭଳି ବିଭିନ୍ନ ରାସ୍ତାରେ ଉତ୍ପାତ ଓ ଆତଙ୍କ ଖେଳାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।
ସମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ବାର ତେର ବର୍ଷର ନାବାଳକ ବି ସ୍କୁଟି, ବୁଲେଟ, ପଲସର, ୟାମହା, କେଟିଏମ୍ ଆଦି ଦ୍ରୁତଗାମୀ ବାଇକ ଧରି ପୁଣି ବିନା ହେଲମେଟରେ ଅତ୍ୟନ୍ତ ଦ୍ରୁତଗତିରେ ଯାଉଛନ୍ତି । ଗତ କିଛି ଦିନ ହେବ କେତେକ ପିଲା ଦଳ ଦଳ ହୋଇ ଦ୍ରୁତ ବାଇକରେ ପ୍ରତିଯୋଗିତା ବି କରୁଥିବା ଦେଖିବାକୁ ମିଳିଛି । ଏହି ଅମାନିଆ ପିଲାଙ୍କ ପାଇଁ ସହରରେ ଟ୍ରାଫିକ୍ ସମସ୍ୟା ସହ ଛୋଟ ବଡ ଦୁର୍ଘଟଣା ଗତ କିଛି ଦିନ ହେବ ନିୟମିତ ହୋଇଛି । ଗତ କିଛିଦିନ ତଳେ କଲେଜରୋଡ ନିଗମ ହୋଟେଲ ପାଖରେ ଜଣେ ନାବାଳକ ଦୃର୍ଘଟଣା ଘଟାଇ ଦୁଇଜଣଙ୍କୁ ଅହତ କରିଥିଲେ । ଆଉ ଜଣେ ଯୁବକ ବାଇକ ଚଳାଇବା ସହିତ ଭିଡିଓ ସୁଟିଙ୍ଗ କରୁଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ ଦୁର୍ଘଟଣା ଘଟାଇଥିଲେ । ଦ୍ରୁତ ଗତିରେ ବାଇକ୍ ଚଳାଇ ଅନ୍ୟ ବାଇକ ଚାଳକଙ୍କୁ ଅସୁବିଧାରେ ପକାଉଥିବା ବେଳେ ଜନସାଧାରଣ ଯିବାଆସିବାକୁ ଭୟ କରୁଛନ୍ତି । ଯଦିଓ ପୋଲିସ ପକ୍ଷରୁ କିଛି ସମୟରେ ଯାଂଚ କରାଯାଉଥିଲେ ହେଁ ଏହା ଅଳ୍ପ କିଛି ସମୟ ପାଇଁ । ଏହି ସମୟରେ ଏହି ନାବାଳକ ମାନେ ଅନ୍ୟ ସାହି ଓ ଗଳି ରାସ୍ତାରେ ଯିବା ଆସିବା କରିବା ପରେ ଯଥା ପୂର୍ବଂକୁ ତଥା ପରଂ ଅବସ୍ଥାକୁ ପଳାଇ ଆସୁଛି । ଯାଂଚକୁ ନିୟମିତ କରିବା ସହ ନାବାଳକ ବାଇକ୍ ଚାଳକଙ୍କୁ ଧରିବା ସହ ସେମାନଙ୍କ ଅଭିଭାବକଙ୍କୁ କଡା ତାଗିଦ୍ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏବାବଦରେ ଆଦର୍ଶ ଥାନା ଆଇଆଇସି ରଞିତ ମହାନ୍ତି କୁହନ୍ତି ଚେକିଂ କରାଯାଇ ଫାଇନ ଆଦାୟ ହେଉଛି । ôତାବି ଆଗୁ ଚେକିଙ୍ଗ ଯୋରଦାର କରାଯିବ ।

